ବଲାଙ୍ଗିର ବିଜେଡିରେ ଜଳ ଜଳ କନ୍ଦଳ; ଅଧାରୁ ଉଠି ଚାଲିଗଲେ କଳିକେଶ

ଦଳ ପାଇଁ ଆତ୍ମଘାତୀ ହୋଇପାରେ ଆତ୍ମବଡ଼ିମା

ବଲାଙ୍ଗିର : ବଲାଙ୍ଗିର ଜିଲା ବିଜୁ ଜନତା ଦଳର ନୂଆ ଟିମ୍‍ ଘୋଷଣା ହୋଇଛି। ଅଶୋକ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି, ପାଟଣାଗଡର ମହେଶ୍ୱର ସାହୁ, ଲୋଇସିଂହାର ସୁରେଶ ନାଏକ, ଟିଟିଲାଗଡର ସୁରେନ୍ଦ୍ର ସାହୁ, କଣ୍ଟାବାଞ୍ଜିର ଉମା ସାହୁ, ବଲାଙ୍ଗିର ପ୍ରଦୀପ ଗୁରୁଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଥିବାବେଳେ ୮ଜଣ ସାଧାରଣ ସଂପାଦକ, ପ୍ରେମଚାନ୍ଦ ଜୈନଙ୍କୁ କୋଷାଧ୍ୟକ୍ଷ, ୧୪ଜଣଙ୍କୁ ସଂପାଦକ ଓ ୨୮ଜଣଙ୍କୁ ଜିଲା କମିଟି ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ଏହି ତାଲିକା ପ୍ରକାଶ ପାଇବା ପରେ ସଂପାଦକ ପଦ ପାଇଥିବା ଟିଟିଲାଗଡର ପ୍ରମୋଦ ପ୍ରଧାନ ଅସନ୍ତୋଷ ପ୍ରକାଶ କରି ନିଜ ପଦରୁ ଇସ୍ତଫା ଦେବା ସହ ପୂର୍ବ ଭଳି ଦଳର ଶୃଙ୍ଖଳିତ କର୍ମୀ ଭାବେ କାମ କରିବେ କହିଥିଲେ। ବଲାଙ୍ଗିର ଜିଲା ବିଜେଡିରେ ସବୁ କିଛି ଠିକ୍‍ଠାକ୍‍ ଚାଲିଥିବା ଦେଖାଯାଉଥିଲେ ବି ଦଳରେ ଲାଗି ରହିଛି ଛକାପଞ୍ଝା। ଦଳ ପାଇଁ ଜିଲାରେ ବଳ ହେବେ କ’ଣ, ଜିଲା କମିଟି ଘୋଷଣା ପରେ ଦଳ ମଧ୍ୟରେ ଥିବା କନ୍ଦଳ ଜଳ ଜଳ ଦିଶୁଛି।
ଜନତା ଦଳ ହେଉକି ବିଜୁ ଜନତା ଦଳ, ବଲାଙ୍ଗିର ଜିଲାରେ ଦଳର ନିର୍ଣ୍ଣାୟକ ଓ ଅଲିଖିତ କ୍ଷମତା କେନ୍ଦ୍ର ଶୈଳଶ୍ରୀ ପ୍ୟାଲେସ୍‍ ଥିଲା। କିଏ କେଉଁ ପଦବୀରେ ରହିବେ ଏଇଠି ହିଁ ନିର୍ଦ୍ଧାରଣ ହେଉଥିଲା। ତେବେ ରାଜ୍ୟସଭା ସାଂସଦ ପଦରୁ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟାଳୟ ଶେଷ, ଲୋକସଭା ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓଙ୍କ ପରାଜୟ ସହ ସାନ ଭାଇ ଅର୍କେଶ ବଲାଙ୍ଗିର ବିଧାନସଭା କ୍ଷେତ୍ରରୁ ହାରିବା ସିଂହଦେଓ ପରିବାରର କ୍ଷମତା କେନ୍ଦ୍ର ଉପରେ ଆଙ୍ଗୁଠି ଉଠିଥିଲା। ଟିଟିଲାଗଡରୁ ବିଧାୟିକା ଓ ପରେ ମନ୍ତ୍ରୀ ହୋଇଥିଲେ ଟୁକୁନୀ ସାହୁ। ତାଙ୍କ ଉପରେ ମୁଖିଆଙ୍କର ବିଶ୍ୱାସ ବଢି ଯାଇଥିଲା। ତେଣୁ ଜିଲା ସଭାପତି ଭାବେ ଶ୍ରୀମତୀ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀମତୀ ସାହୁ ଦାୟିତ୍ୱ ନେବା ପରେ ଅନେକ ଫେରବଦଲ ଜିଲା ବିଜେଡିରେ ଦେଖିବାକୁ ମିଳିଥିଲା। ଦିନେ ରାଜ ପରିବାରର ଘନିଷ୍ଠ ଥିବା ଲୋଟସ୍‍ ଷଡଙ୍ଗୀ(ପୂର୍ବ ଯୁବ ସଭାପତି) ତଥା ପ୍ରଦ୍ୟୁତ ମିଶ୍ର ଜିଲା ସଭାପତି ତଥା ମନ୍ତ୍ରୀଙ୍କ ଘନିଷ୍ଠ ହେବା ବଡ଼ ଧକ୍କା ହୋଇଥିଲା। ସେହିପରି ଜିଲା ବିଜେଡିରେ ରାଜ ପରିବାରର ଦବ୍‍ଦବା ବି କ୍ରମାଗତ ଭାବେ ମିଳେଇ ଯାଉଥିବା ଅଭିଯୋଗ ରହିଛି। ତେଣୁ ଭିତରେ ଭିତରେ ଅସନ୍ତୋଷ କୁହୁଳିଥିଲା।
ସୂଚନା ଅନୁସାରେ, ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ବବି ଦାସଙ୍କ ଭୁବନେଶ୍ୱର ସ୍ଥିତ ଘରେ ଗତ ୨୫ ତାରିଖରେ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂହ, ଜିଲା ସଭାପତି ମନ୍ତ୍ରୀ ଶ୍ରୀମତୀ ସାହୁ, ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେର, ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିହାର ରଞ୍ଜନ ବେହେରା, କଣ୍ଟାବାଞ୍ଜିର ପୂର୍ବ ବିଧାୟକ ଆୟୁବ ଖାନ୍‍, ଅଜୟ ଦାସ, ପୂର୍ବ ସାଂସଦ ଶ୍ରୀ ସିଂହଦେଓ ଯୋଗ ଦେଇଥିଲେ। ଜିଲା କମିଟିରେ କାହାକୁ ରଖାଯିବ ସେ ନେଇ ବିଚାର ବିମର୍ଷ ହୋଇଥିଲା। ଅନେକ ଆଲୋଚନା, ପର୍ଯ୍ୟାଲୋଚନା ପରେ ତାଲିକା ଚୂଡାନ୍ତ ହୋଇଥିଲା।
ବୈଠକରେ ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ ପ୍ରମୁଖ ସର୍ବସାଧାରଣରେ ଲଗାଯାଉଥିବା ବ୍ୟାନର ତଥା ବିଭିନ୍ନ ଅଞ୍ଚଳରେ ହେଉଥିବା ବୈଠକରେ ଜିଲା ସଭାପତିଙ୍କର ସ୍ଥାନ ନଥିବାରୁ ସାଧାରଣରେ ଭିନ୍ନ ବାର୍ତ୍ତା ଯାଉଥିବା ଜିଲା ସଭାପତି ଶ୍ରୀମତୀ ସାହୁ ବୈଠକରେ ଉଠାଇଥିବା ସୂଚନା ମିଳିଛି। ଏନେଇ ଯୁବ ବିଜେଡି ସଭାପତି କହିଥିଲେ ଯେ, ପୂର୍ବ ସାଂସଦ ଶ୍ରୀ ସିଂହଦେଓଙ୍କ ପାଇଁ ସେ ଜିଲା ଯୁବ ବିଜେଡି ସଭାପତି ହୋଇଛନ୍ତି। ଯାହାକି ଆଲୋଚନାକୁ ସରଗରମ କରିଥିଲା। କେବଳ ସେତିକି ନୁହେଁ, ବିଜେଡି ମୋ ପରିବାର କାର୍ଯ୍ୟକ୍ରମ ପାଇଁ ପ୍ରଦ୍ୟୁତ ମିଶ୍ରଙ୍କ ନାଁ ଦିଆଯାଇଥିବାବେଳେ ଅନ୍ୟଜଣଙ୍କୁ ଏହାର ସଂଯୋଜକ କରାଯିବା ବି ଆଲୋଚନାକୁ ଆସିଥିଲା। ଜିଲା ମହିଳା ବିଜେଡି ନେତ୍ରୀ ଭାବେ ପୂର୍ବ ପୌରାଧ୍ୟକ୍ଷା ଦମୟନ୍ତୀ ବାଗଙ୍କ ନାଁ ସୁପାରିଶ କରାଯାଇଥିଲା। ଏହାକୁ କେହି ବିରୋଧ କରୁ ନାହାନ୍ତି। ତା’ହେଲେ ଅନ୍ୟ ନାଁ ପ୍ରସ୍ତାବ ଦେଲା ବେଳେ କାହିଁକି ବିରୋଧ ହେଉଛି ବୋଲି ପ୍ରଶ୍ନ ଉଠିଥିବା ବୈଠକରେ ଉପସ୍ଥିତ ଜଣେ ନେତାଙ୍କଠାରୁ ଜଣାପଡିଛି। ଦିନେ ଜିଲା ବିଜେଡିରେ କ୍ଷମତା କେନ୍ଦ୍ର ଥିବା ରାଜ ପରିବାର ଏବେ ଅଡୁଆ ପରିସ୍ଥିତିରେ ପଡିଥିବାବେଳେ ଜିଲାରେ ସମାନ୍ତରାଳ ସଂଗଠନ ଦଳ ପାଇଁ ସମସ୍ୟାର କାରଣ। ସମସ୍ୟାକୁ ନବଢାଇ ନିଜ ନିଜ ଅଞ୍ଚଳ ପାଇଁ ନିଜେ ନେତାଏ ଦାୟୀ ରହିବେ ବୋଲି କୁହାଯାଇ ସେମାନଙ୍କ ପସନ୍ଦର କର୍ମୀ ଓ ନେତାଙ୍କୁ ଥଇଥାନ କରାଯାଇଥିବା ଜଣାପଡିଛି। ବଲାଙ୍ଗିର ଜିଲା ବିଜେଡିରେ ଥିବା କ୍ଷମତା କନ୍ଦଳ ଚର୍ଚ୍ଚା ଅନ୍ୟ ରାଜନୈତିକ ଦଳ ପାଇଁ ଖୋରକ ଯୋଗାଇଛି।

ବୈଠକ ଅଧାରୁ ଉଠିଗଲେ କଳିକେଶ

ବଲାଙ୍ଗିର ଜିଲାର ପୂର୍ବ ଯୁବ ବିଜେଡି ସଭାପତି ଲୋଟସ୍‍ ଷଡଙ୍ଗୀଙ୍କୁ ଦଳୀୟ ଦାୟିତ୍ୱ ଦେବାକୁ ଆଲୋଚନା ହେଉଥିବା ପୂର୍ବ ସାଂସଦ କଳିକେଶ ସିଂହଦେଓ ବିରୋଧ କରିଥିବା ଜଣାପଡିଛି। ଯାହାକୁ ନେଇ ଢେର ସମୟ ଆଲୋଚନା ହୋଇଥିଲା। ତେବେ ଶ୍ରୀ ଷଡଙ୍ଗୀଙ୍କ ନାଁରେ କୌଣସି ବିଶୃଙ୍ଖଳା କି ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ନାହିଁ। ତାଙ୍କୁ ଦଳରୁ ଦୂରେଇ ଦେବା, ପଦବୀ ଦିଆ ନଯିବା ନେଇ ଉପସ୍ଥିତ ନେତାଏ ଯୁକ୍ତି ବାଢୁଥିବା ବେଳେ ବୈଠକ ଅଧାରୁ ଅସନ୍ତୁଷ୍ଟ ଶ୍ରୀ ସିଂହଦେଓ ଘରକୁ ଚାଲିଯିବାକୁ ବାହାରିଥିଲେ। ଶେଷରେ ଉପସ୍ଥିତ ନେତାଏ ଶ୍ରୀ ସିଂହଦେଓଙ୍କୁ ଅଟକାଇ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କିଏ କିଏ ପଦବୀରେ ରହିବେ ସେନେଇ ମତ ଦେବାକୁ କୁହାଯାଇଥିଲା। ସେହି ଅନୁସାରେ ଜିଲା ବିଜେଡି କମିଟି ଗଠନ କରାଯାଇଥିବା ଏବେ ଆଲୋଚନା ହେଉଛି।

Comments are closed.