କରୋନା ମୁକାବିଲା: ଜୁଲାଇରେ ଆଉ ୩ ଜିଲା ହେବ ସପ୍ତାହନ୍ତ ସଟ୍ଡାଉନ୍
ନୟାଗଡ଼ ଏନ୍ଏସି ୩ ୱାଡ୍ କଣ୍ଟେନ୍ମେଣ୍ଟ ଜୋନ୍

ଭୁବନେଶ୍ବର: ବଲାଙ୍ଗିର, ବରଗଡ଼, ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କରୋନା ମୁକାବିଲା ପାଇଁ ଆସନ୍ତା ଶନିବାର ଓ ରବିବାର ଏହି ୩ଟି ଜିଲାକୁ ସଟ୍ଡାଉନ୍ କରାଯିବା ନେଇ ଘୋଷଣା କରାଯାଇଥିବା ନେଇ ଜିଲା ପ୍ରଶାସନ ସୂଚନା ଦେଇଛି। ସାପ୍ତାହନ୍ତ ସଟ୍ଡାଉନ୍ ସମୟରେ ଏହି ତିନୋଟି ଜିଲାରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିପାରିବ। ଶନିବାର ଓ ରବିବାର ସଟ୍ଡାଉନ୍ ନିୟମ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ନୟାଗଡ଼ ଏନ୍ଏସିର ୩ଟି ୱାର୍ଡରେ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ନୟାଗଡ଼ ଏନ୍ଏସିର ସେହି ୩ଟି ୱାର୍ଡକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି।
କରୋନା ସଂକ୍ରମଣ ରୋକିବାକୁ ବଲାଙ୍ଗୀର ଜିଲାପାଳ ନୂଆ ନିଷ୍ପତ୍ତି ନେଇଛନ୍ତି। ଏଠାରେ ପ୍ରତି ଶନିବାର ଓ ରବିବାର ବଲାଙ୍ଗିର ଜିଲା ସଟ୍ଡାଉନ୍ ରହିବ। ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲାରେ ହୋଟେଲ୍, ଫାଷ୍ଟଫୁଡ୍ ଦୋକାନ, ଚା’ ପାନ ଦୋକାନ, ରାସ୍ତାକଡ଼ ଜଳଖିଆ, ଲସି ଦୋକାନ ଆଦି ବନ୍ଦ ରହିବ। ଏହି ସଟ୍ଡାଉନ୍ କଟକଣା ଆସନ୍ତାକାଲିଠାରୁ ଆରମ୍ଭ ହେବ ଏବଂ ଏହା ଜୁଲାଇ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୧ ସୁଦ୍ଧା ବଲାଙ୍ଗିର ଜିଲାରେ ୧୯୪ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୩ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ଶନିବାର ଓ ରବିବାର ବରଗଡ଼ ଜିଲା ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ବରଗଡ଼ ଜିଲାକୁ ସପ୍ତାହନ୍ତ ସଟ୍ଡାଉନ୍ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବରଗଡ଼ ଜିଲାରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫୭ଜଣ ସୁସ୍ଥ ହୋଇଛନ୍ତି।
ଅପରପକ୍ଷରେ ନୟାଗଡ଼ ଜିଲାରେ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ନୟାଗଡ଼ ଏନ୍ଏସିର ୩ଟି ୱାର୍ଡରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାରେ କନ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ନୟାଗଡ଼ ଜିଲାରେ ମୋଟ ୧୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୯ଜଣ ସୁସ୍ଥ ହୋଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟର ୧୦ଟି ଜିଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେଉଁଝର ଓ ଝାରସୁଗୁଡ଼ାରେ ସପ୍ତାହନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏସବୁ ଜିଲାଗୁଡ଼ିକରେ ମଧ୍ୟ ଜୁଲାଇ ଶେଷ ପର୍ଯ୍ୟନ୍ତ ସଟ୍ଡାଉନ୍ ଅବଧିକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି।