ପ୍ରତିକୂଳ ପରିସ୍ଥିତିରେ ଲାଭବାନ କରାଇଛି ଆଖୁଚାଷ

ବଲାଙ୍ଗିର : ବଲାଙ୍ଗିର ଦେଓଗାଁ ଚିନି କଳ ବନ୍ଦ ହେବା ପରେ ଆଖୁ ଚାଷୀଙ୍କ ମୁଣ୍ଡରେ ବଡ଼ ଚଡକ ପଡିଥିଲା। ଲକ୍ଷ ଲକ୍ଷ ଖର୍ଚ୍ଚ କରି ଚାଷ କରୁଥିବା ଆଖୁ ବିକିବେ କେମିତି। ସମସ୍ତଙ୍କୁ ଏକ ବଡ ଧରଣର ନିଶ୍ଚିତ କ୍ଷତି ସହିବାକୁ ପଡିଥିଲା। କିନ୍ତୁ ବିପଦ ପଡିଲେ ବୁଦ୍ଧି ଯେମିତି ଆପେ ଆପେ ଚାଲିଆସେ ସେହିଭଳି ଏକ ଘଟଣା ଘଟିଥିଲା ବଲାଙ୍ଗିର ସଦର ବ୍ଲକ ହରିପାଲି ଗାଁର ବାଲେଶ୍ୱର ପଟେଲଙ୍କ କ୍ଷେତ୍ରରେ। ଚିନି କଳ ଦେବା ପରେ ସେହି ବର୍ଷ ବହୁ ପରିମାଣର ଆଖୁଚାଷ କରିଥିଲେ। କିନ୍ତୁ ଚିନିକଳ ବନ୍ଦହେବା ପରେ ଆଖୁ କାଟି କରିବେ କଣ ତାହା ଚିନ୍ତା କରୁକରୁ ନିଜେ ଗୁଡ ତିଆରି କରି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସେ ପାରିବାରିକ ଆଖୁଚାଷ କରିଆସୁଥିବାବେଳେ ପ୍ରତିକୂଳ ପରିସ୍ଥିତିରେ ବି ଜିଲାର ଜଣେ ସଫଳ ଆଖୁ ଚାଷୀ ଭାବେ ସାମ୍ନାକୁ ଆସିଛନ୍ତି। ବର୍ଷକୁ ୭ ରୁ ୮ ଏକର ଜମିରେ ଚାଷ କରି ପ୍ରାୟ ୧୫ଲକ୍ଷ ଟଙ୍କା ଆୟ ଏବେ ତାଙ୍କ ଆର୍ଥିକ ସ୍ଥିତିକୁ ବେଶ ସୁଦୃଢ କରିଛି।
ବଲାଙ୍ଗିର ସଦର ବ୍ଲକ ହରିପାଲି ଗାଁର ବାଲେଶ୍ୱର ପଟେଲ ପ୍ରତିବର୍ଷ ବହୁ ପରିମାଣର ଆଖୁଚାଷ କରୁଥିବାବେଳେ ଚଳିତ ବର୍ଷ ଆଠ ଏକର ଜମିରେ ଆଖୁଚାଷ କରିଛନ୍ତି। ଶ୍ରୀ ପଟେଲଙ୍କ କହିବା ଅନୁସାରେ, ଦେଓଗାଁ ଚିନିକଳ ବନ୍ଦ ହେବା ତାଙ୍କ ଚାଷରେ କିଛି ପ୍ରଭାବ ପକାଇନାହିଁ ବରଂ ତାଙ୍କୁ ଏକ ନୂଆ ରାସ୍ତାରେ ଠିଆ କରାଇଥିଲା, ଯାହାଫଳରେ ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିଛି। ତାଙ୍କ ବାପା ଅମଳରୁ ସେମାନେ ଆଖୁ ଚାଷ କରିଆସୁଛନ୍ତି। ଚିନିକଳ ପ୍ରତିଷ୍ଠା ପୂର୍ବରୁ ପାରମ୍ପରିକ ପ୍ରଣାଳୀରେ ଆଖୁ ଚାଷ କରି ଗୁଡ଼ ତିଆରି କରି ବିକ୍ରି କରୁଥିଲେ। ପରେ ଚିନିକଳ ହେବା ପରେ ଆଖୁ ଚାଷ ପରିମାଣ ବଢାଇ ସେଠାରେ ବିକୁଥିଲେ। କିନ୍ତୁ ତାହା ବନ୍ଦ ହୋଇଯିବା ପରେ ବାଲେଶ୍ୱରଙ୍କ ମୁଣ୍ଡରେ ଚଡକ ବାଜିଥିଲା। ଯେଉଁବର୍ଷ ଚିନିକଳରେ ତାଲା ଝୁଲିଲା ସେହି ବର୍ଷ ସେ ସର୍ବାଧିକ ପରିମାଣର ଚାଷ କରି ପ୍ରଚୁର ଟଙ୍କା ଲଗାଇଥିଲେ। ସେହି କ୍ଷତି ଭରଣା କରିବା ପାଇଁ ସେ ବିଭିନ୍ନ ଲୋକଙ୍କ ସଂପର୍କରେ ଆସି ଆନ୍ଧ୍ରପ୍ରଦେଶ ଯାଇ ସେଠାରୁ ଆଖୁପେଡ଼ା ମେସିନ୍ ଆଣି ବସାଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ଆଖୁ ଚାଷ କରିବା ସହିତ ନିଜେ ଗୁଡ଼ ତିଆରି କରି ବିକ୍ରି କରୁଥିବା କହିଛନ୍ତି। ପ୍ରାୟତଃ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆଖୁ ଲଗାଇଥାନ୍ତି। ପ୍ରାୟ ୧୦ ମାସ ହେବା ପରେ ଆଖୁକଟା ଆରମ୍ଭ ହୋଇଥାଏ। ପରେ ଗୋଟିଏ ମାସ ଧରି ଆଖୁପେଡ଼ି ବାଲେଶ୍ୱର ଗୁଡ଼ ତିଆରି କରିଥାନ୍ତି। ଆଖୁ ଚାଷରେ ସେ ଏକର ପିଛା ପଚାଶ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି। ଗୋଟିଏ ଏକରରୁ ୫୦ଟନ୍ ଆଖୁ ବାହାରିଥାଏ। ଅର୍ଥାତ ଗୋଟିଏ ଏକର ଜମିରୁ ପ୍ରାୟ ୩୦୦ ଟିନ(୨୫କେଜି) ଗୁଡ ବାହାରିଥାଏ। ଏହି ହିସାବରେ ସେ ପ୍ରତିବର୍ଷ ପାଖାପାଖି ୨୫ଶହ ଟିନ ଗୁଡ କରିଥାନ୍ତି। ବଜାର ଦର ବର୍ତ୍ତମାନ ଟିନ (୨୫କେଜି) ପ୍ରତି ୮ଶହରୁ ୯ଶହ ଟଙ୍କା ରହିଥିବା ବେଳେ ସେ ବର୍ଷକୁ ୨୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥାନ୍ତି। ଖର୍ଚ୍ଚକୁ ଛାଡି ଦେଲେ ବର୍ଷକୁ ପାଖାପାଖି ପ୍ରାୟ ୧୨ ରୁ ୧୫ ଲକ୍ଷ ଟଙ୍କାର ଲାଭ ହୋଇଥାଏ। ଏହି ଲାଭ ଟଙ୍କାରେ ସେ ଦୁଇଟି ଟ୍ରାକ୍ଟର, ଧାନକଟା ମେସିନ୍ କରିବା ସହିତ ଆର୍ଥିକ ସ୍ଥିତିକୁ ବହୁ ପରିମାଣରେ ସଜାଡି ଦେଇଥିବା କହିଛନ୍ତି। ତାଙ୍କର ଦୁଇ ପୁଅ ମଧ୍ୟ ଚାଷରେ ନିୟୋଜିତ ଥିବାବେଳେ ଆଖୁଚାଷ ତାଙ୍କ ପାଇଁ ଆଶୀର୍ବାଦ ହୋଇଥିବା କହିଛନ୍ତି। ତାଙ୍କ ଭାଇମାନେ ମଧ୍ୟ ଅଳ୍ପବହୁତେ ଆଖୁଚାଷ କରୁଥିବାବେଳେ ଚାଷୀ ଚାହିଁଲେ ଆଖୁଚାଷ କରି ବେଶ୍ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି। ଏପରିକି ଧାନ ଅପେକ୍ଷା ଆଖୁଚାଷରେ ବେଶି ଲାଭ ରହିଥିବା କହିଛନ୍ତି।

Comments are closed.