ଡାକ୍ତରଖାନା ହେବ ତ ଏମିତି : ଡାକ୍ତରଙ୍କ ପ୍ରୟାସ, ନୂଆ ଜୀବନ ପାଇଲା ଜରାଜୀର୍ଣ୍ଣ ଡାକ୍ତରଖାନା

ବଲାଙ୍ଗିର (ଅଭିଳାଷ ହୋତା): କଥାରେ ଅଛି ଦୃଢ ଇଚ୍ଚାଶକ୍ତି ଆଗରେ ସର୍ବଦା ଅସମ୍ଭବ ମୁଣ୍ଡ ନୁଆଁଇଛି। ଯଦି କିଛି କରିବାର ବିଶ୍ୱାସ ରହିଛି ତେବେ ଯେଉଁଭଳି ପରିସ୍ଥିତି ଆସୁନା କାହିଁକି ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ଏମିତି ଏକ ଉଦାହରଣ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକରେ ଦେଖିବାକୁ ମିଲିଛି। ବର୍ଷକ ପୂର୍ବରୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବାଦିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଚର୍ଚ୍ଚାରେ ରହିଥିଲା। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଜରାଜୀର୍ଣ୍ଣ ହୋଇପଡିଥିବା ଡାକ୍ତରଖାନା ନୂଆ ଜୀବନ ପାଇଥିଲା। ଠିକ ସେହିପରି କୁଶଙ୍ଗ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏବେ ଜୋରଦୋର ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ମାସ ତଲେ ଏହି ଡାକ୍ତରଖାନାରେ ଅବସ୍ଥା ଯାହା ଥିଲା ତାହା ଆଜି ସଂପୂର୍ଣ୍ଣ ବଦଲିଯାଇଛି।ଡାକ୍ତରଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି।

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କୁଶଙ୍ଗ ଓ ବାଦିମୁଣ୍ଡା ଠାରେ ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। କିଛି ମାସ ତଲେ ଏହି ଦୁଇ ସ୍ୱାସ୍ଥ୍ୟକେନ୍ଦ୍ରର ଜରାଜୀର୍ଣ୍ଣ ଅବସ୍ଥା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଉଭୟ ଡାକ୍ତରଖାନାରେ କାମ କରୁଥିବା ଦୁଇ ଜଣ ଡାକ୍ତରଙ୍କ ପ୍ରଚେଷ୍ଟା ଯୋଗୁ ପୁର୍ନବାର ଏହି ଡାକ୍ତରଖାନା ପ୍ରଶଂସା ଗୋଟାଇଛନ୍ତି। ସ୍ବଚ୍ଛତା, ସୁନ୍ଦରତା ଓ ବ୍ୟବସ୍ଥା ଉପରେ ନଜର ପକାଇଲେ ଏହି ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବି ପଛରେ ପକାଇଦେବ। ଲୋଇସିଂହା ବ୍ଲକ କୁଶଙ୍ଗ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବହେଳିତ ହୋଇପଡିରହିଥିଲା। ବାଡ ଥିଲା କିନ୍ତୁ ଇଟା ନଥିଲା। କୋଠରୀ ଥିଲା କିନ୍ତୁ ତାହା ଡାକ୍ତରଖାନା ବଦଳରେ ମଦୁଆଙ୍କ ପାଇଁ ବ୍ୟବହାର ହେଉଥିଲା। ଏହିଭଳି ପରିସ୍ଥିତିରେ ରୋଗୀ ମାନେ ଡାକ୍ତରଖାନା ଯିବା ପାଇଁ ନାକ ଟେକୁଥିଲେ। କିଛି ମାସ ତଲେ ଏହି ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ଯୋଗଦେଇଥିଲା ଡା. ସୂର୍ଯ୍ୟକାନ୍ତ ମହାପାତ୍ର। ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ ସେ ପ୍ରଥମେ ଚିନ୍ତା ପ୍ରକଟ କରିଥିଲେ। କୌଣସି ବ୍ୟବସ୍ଥା ନଥିବା ବେଳେ ଡାକ୍ତରଖାନାର କାୟା କିପରି ପରିବର୍ତ୍ତନ ହେବ ସେ ଦିଗରେ ନିଜ ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର କେଇଟା ମାସ ଭିତରେ କୁଶଙ୍ଗ ଡାକ୍ତରଖାନା ନୁଆ ଜୀବନ ପାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଘରୋଇ ଡାକ୍ତରଖାନା ଭଳି ଅତ୍ୟାଧୁନିକ ବର୍ହିବିଭାଗ, ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର କୋଠା, ରୋଗୀ ଓ ସଂପର୍କୀୟ ମାନଙ୍କ ପାଇଁ ପ୍ରତୀକ୍ଷାଳୟ, ଯୋଗାଭ୍ୟାସ କରିବା ପାଇଁ ସ୍ଥାନ ଏହିଭଳି ଅନେକ କିଛି ସୁଧାର ଆସିଛି ଡାକ୍ତରଖାନାରେ। ଅନେକ ପ୍ରତିବନ୍ଧକ, ସରକାରୀ କଟକଣା ସତ୍ୱେ କିଛି ମାସ ତଲେ ଡା. ମହାପାତ୍ର ଆରମ୍ଭ କରିଥିବା ପ୍ରୟାସ ସଫଳ ହୋଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ତାଙ୍କୁ ଏହି ପ୍ରୟାସରେ ଆୟୁଷ ଡାକ୍ତର ଡା. ସୁଦାମ ଅଗ୍ରୱାଲ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଡା. ମହାପାତ୍ରଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବିଧାୟକ ମଧ୍ୟ ପ୍ରଶଂସା କରିଛନ୍ତି।

ଏହି ବ୍ଲକରେ ଥିବା ଆଉ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ବାଦିମୁଣ୍ଡା ଠାରେ। ସେଠାକାର ପରିବେଶରେ ବେଶ ପରିବର୍ତ୍ତନ ଆସିଛି। ରୋଗୀଙ୍କ ପାଇଁ ସୁବ୍ୟବସ୍ଥା ସାଙ୍ଗକୁ ଡାକ୍ତରଖାନାର ସ୍ୱଚ୍ଚତା କିଛି ମାସ ତଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରାଜ୍ୟସ୍ତରରେ ଏହି ଡାକ୍ତରଖାନା ଓ ଡାକ୍ତର ଶେଖରଲାଲ ପଧାନଙ୍କୁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ। ଏହି ଡାକ୍ତରଖାନାକୁ କାୟାକଲ୍ପ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ଡାକ୍ତରଖାନା କୁ ନୁଆ ଜୀବନ ଦେବାର ଏକ ପ୍ରୟାସ କରିଥିବା ଏହି ଦୁଇ ଜଣ ଡାକ୍ତର ନିହାତି ଭାବେ ପ୍ରଶଂସାର ହକଦାର। ଏହି ଦୁଇଟି ଛୋଟ ଡାକ୍ତରଖାନା ଲୋଇସିଂହା ବ୍ଲକ ମୁଖ୍ୟ ଡାକ୍ତରଖାନାରୁ ବହୁ ଆଗରେ ରହିଛନ୍ତି। ଡାକ୍ତର ମାନଙ୍କ ଏହିଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.