ତେଲନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ, ସୁରକ୍ଷା ପାଚେରି ଉପରକୁ ଚଢିଯାଇ ଝୁଲିପଡିଲା

ବେଲଗାଁ: ଜାତୀୟ ରାଜପଥ ୫୯ ଏବଂ ୨୬ ଉପରେ ରହିଥିବା ବେଲଗାଁ ତେଲନଦୀ ପୋଲରେ ଆଜି ଭୋର ସମୟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଟ୍ରକ୍‌ ଦୁଇଟି ପୋଲତଳକୁ ଖସିପଡ଼ିବାରୁ ଅଲ୍ପକେ ବର୍ତ୍ତିଯାଇଥିବା ଜଣାଯାଇଛି। ସୂଚନା ଯେ ଭୋର ସମୟରେ ବିଶାଖାପାଟଣା ପଟରୁ ଆସୁଥିବା ଏକ ଖାଲି ତେଲ ଟାଙ୍କି ଟ୍ରକ ଏବଂ ବଲାଙ୍ଗିର ପଟରୁ ଯାଉଥିବା ଏକ ଲୁହା ଗୁଣ୍ଡ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାରେ ତେଲଟାଙ୍କି ଟ୍ରକଟିର ପଛ ଅଂଶ ପୋଲ କଡରେ ରହିଥିବା ସୁରକ୍ଷା ପାଚେରି ଉପରକୁ ଚଢିଯାଇ ଝୁଲିପଡିଥିଲା। ତେବେ ଅଲ୍ପକେ ଦୁଇଟି ଟ୍ରକ ପ୍ରାୟ ୧୦୦ ଫୁଟ ପୋଳ ତଲକୁ ଖସିବାରୁ ବର୍ତ୍ତିଯାଇଥିବା ଆଲୋଚନାର ବିଷୟ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଏନେଇ ପ୍ରାୟ ୩ ଘଣ୍ଟା ଧରି ଜାତୀୟ ରାଜପଥ ଦ୍ୱୟରେ ଶହ ଶହ ଗାଡି ମୋଟର ଅଟକି ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ଆଇଆଇସି ଅଶୋକ ମହାପାତ୍ର, ବେଲଗାଁ ପୁଲିସ ଅଧିକାରି ଅନାଦି ମଟାରୀ, ବଡମାଲ ପୁଲିସ ଅଧିକାରୀ କୁନୁ ସାହୁ ଘଟଣାସ୍ଥଳକୁ ପହଂଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ପରେ ଦୁଇଟି ଜେସିବି ମେସିନ ସହାୟତାରେ ଟ୍ରକ ଦୁଇଟିକୁ ବାହାର କରିବା ପରେ ଟ୍ରାଫିକ ସ୍ୱାଭାବିକ ହୋଇଥିଲା। ଉଭୟ ଟ୍ରକକୁ ସଇଁନ୍ତଲା ପୁଲିସ ପକ୍ଷରୁ ଜବତ କରାଯାଇଥିବା ବେଲଗାଁ ପୁଲିସ ଅଧିକାରି ଶ୍ରୀ ମଟାରି ସୂଚନା ଦେଇଛନ୍ତି।

Comments are closed.