କଟକଣା ବଢାଇଲା ଚିନ୍ତା ; ବ୍ୟବସାୟ ଚଳାଇବା ପାଇଁ ଉପଜିଲାପାଳଙ୍କୁ ଭେଟିଲେ ଉଠାଦୋକାନୀ

ବଲାଙ୍ଗୀର : ବଲାଙ୍ଗୀରରେ କରୋନା କୁ ନେଇ ଜିଲା ପ୍ରଶାସନ କଠୋର ମନୋଭାବ ପୋଷଣ କରିଥିଲା। ହାତୀଶାଲପଡା ଓ ଅନ୍ୟ କିଛି ପଡାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସହରରେ ଥିବା ଠେଲା, ଉଠା ଦୋକାନୀ ମାନଙ୍କ ବ୍ୟବସାୟ ଉପରେ ରୋକ ଲଗାଇଥିଲା ପ୍ରଶାସନ। ତେବେ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ଉଠାଦୋକାନୀ ମାନେ। ସହରର ଅନ୍ୟ ଦୋକାନ ଯେଉଁଠି ସଂକ୍ରମଣ ସମ୍ଭାବନା ଅଧିକ ରହିଛି ସେହି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି କିନ୍ତୁ ଗରିବ ଛୋଟ ଦୋକାନୀ ମାନଙ୍କୁ ଏହିଭଳି କଟକଣା ଲଗାଇବା ଘଟଣାକୁ ନେଇ ବହୁ ଠେଲା ଦୋକାନୀ ସୋମବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନା ଅନୁସାରେ, ବଲାଙ୍ଗୀର ସହରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହାତୀଶାଲପଡା, ଲାଲଟିକ୍ରା, ଠିକାଦାରପଡାରେ ଏକାଧିକ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସଂକ୍ରମଣକୁ ନଜରରେ ରଖି ଜିଲା ପ୍ରଶାସନ ଜୁଲାଇ ପହିଲାରୁ ସହରରେ ଥିବା ରାସ୍ତାକଡ ଠେଲା, ଉଠାଦୋକାନ ମାନଙ୍କରେ ଖାଇବା ସାମଗ୍ରୀ, ଚା, ପାନ ଦୋକାନ ଖୋଲିବାରେ ରୋକ ଲଗାଇଥିଲା। ଏହାକୁ ନେଇ ବିଭିନ୍ନ ମହଳ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଟକଣା ଦ୍ୱାରା ଅନେକ ଛୋଟ ଗରିବ ପରିବାର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯିବାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତିରେ ସୋମବାର ସହରରେ ଥିବା ବହୁ ଠେଲା ଦୋକାନୀ, ଚା, ପାନ ଦୋକାନୀ ଉପଜିଲାପାଳଙ୍କୁ ସାକ୍ଷାତ କରି ଦୋକାନ ଖୋଲିବା ଅନୁମତି ଦେବା ପାଇଁ ଦାବି କରିଛନ୍ତି। ସହରର ଅନ୍ୟ ହୋଟେଲ ଦୋକାନ, ବଡ ବଡ ଦୋକାନ ମାନ ଖୋଲା ରହିଥିବା ବେଳେ ଛୋଟ ଦୋକାନୀ ମାନଙ୍କୁ କାହିଁକି ବାରଣ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସପିଂମଲ ଗୁଡିକରେ କରୋନା ଗାଇଡଲାଇନ କୁ ଉଲଂଘନ କରାଯାଉଥିବା ଦେଖାଯାଉଛି କିନ୍ତୁ ଏମାନଙ୍କୁ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ ଛୋଟ ବେପାରୀ ମାନଙ୍କ ପେଟରେ ମାଡ ଦେଉଥିବା ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଦୋକାନୀ ମାନଙ୍କ ପରିବାର ଚଲାଇବା ପାଇଁ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରାଯିବା ସହ ଦୋକାନ ଖୋଲିବା ଅନୁମତି ନେଇ ଜିଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଉପଜିଲାପାଳ ସଞ୍ଜୟ ମିଶ୍ର। ତେବେ ଏହି ଗରିବ ବ୍ୟବସାୟୀ ମାନଙ୍କ ସ୍ୱାର୍ଥ୍ୟକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Comments are closed.