ପାଣିରେ ପଡିଛି ଲକ୍ଷ ଲକ୍ଷ ଟଙ୍କା : ‘ସରକାର କା ମାଲ୍‍ ଦରିଆ ମେ ଡାଲ୍‍’

୭ ବର୍ଷ ହେଲା ବ୍ୟବହାର ନହୋଇ ପଡିରହିଛି ନବନିର୍ମିତ କୋଠା

ବଲାଙ୍ଗୀର : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ। ଅର୍ଥାତ ସରକାରୀ ଟଙ୍କାର ଅପବ୍ୟବହାର। ଏହି ଉକ୍ତିଟି ଏବେ ବଲାଙ୍ଗୀର ଜିଲାରେ ଅକ୍ଷରେ ଅକ୍ଷରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା କୋଠା ଗୁଡିକ ବର୍ଷ ବର୍ଷ ଧରି ପଡିରହୁଛି। ନା ଏହାର ବ୍ୟବହାର କରାଯାଉଛି ନା ତାହାର ଲାଭ ଲୋକେ ଉଠାଇପାରୁଛନ୍ତି। ତେବେ ଏହିଭଳି ଭାବେ ଶ୍ରାଦ୍ଧ ହେଉଥିବା ଅର୍ଥ ପାଇଁ ଦାୟୀ କିଏ ? ଏପର୍ଯ୍ୟନ୍ତ ଏହିଭଳି ଅନେକ ଅଭିଯୋଗ ଆସିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ କୌଣସି ବି ପଦକ୍ଷେପ ଗ୍ରହଣ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଆଠଗାଁ ପଞ୍ଚାୟତରେ ଏହିଭଳି ଦୁଇଟି କୋଠା ନିର୍ମାଣ ହେବା ଦିନ ଠାରୁ ଭୂତକୋଠୀ ପାଲଟିଥିବା ଅଭିଯୋଗ ହୋଇଛି। ତେବେ ତାହା କିଏ ନିର୍ମାଣ କରିଛି, କାହା ପାଇଁ ନିର୍ମାଣ ହୋଇଛି ତାହାର କୌଣସି ସୂଚନା ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସୂଚନା ଅନୁୟାୟୀ, ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ଆଠଗାଁ – ଉପରଝର ରାସ୍ତାରେ ବଲାଙ୍ଗିର ପଟୁ ଯିବା ସମୟରେ ଡାହାଣ ପାର୍ଶ୍ବରେ ନିଛାଟିଆ ସ୍ଥାନରେ ଦୁଇଟି କୋଠା ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇରହିଛି। ୧୦୦ ମିଟର ଦୂରତା ଭିତରେ ନିର୍ମାଣ ହୋଇଥିବା ଏହି ଦୁଇଟି କୋଠା ସରକାରୀ କୋଠା ହୋଇଥିବା ସ୍ପଷ୍ଟ ହେଉଥିବା ବେଳେ କିଏ ନିର୍ମାଣ କରିଛି, କେଉଁ ବିଭାଗ ପାଇଁ ଏହା ନିର୍ମାଣ ହୋଇଛି ତାହା ଲେଖା ମଧ୍ୟ ନାହିଁ। ତେବେ ଏତେ ଟଙ୍କା ଖର୍ଚ୍ଚ କରି ସରକାରୀ କଳ କୋଠା ନିର୍ମାଣ କରିବାର ଲକ୍ଷ୍ୟ କଣ ତାହା ଜାଣିବା ପାଇଁ ଚେଷ୍ଟାକରିଥିଲେ ଆମ ପ୍ରତିନିଧି।  ସ୍ଥାନୀୟ ଜଣେ ଲୋକଙ୍କ କହିବା ଅନୁସାରେ ୨୦୧୩ ମସିହାରେ ନିକଟସ୍ଥ ଗାଁର ଜଣେ ଠିକାଦାର ଏହାକୁ ନିର୍ମାଣ କରିଥିଲେ। ଗୋଟିଏ କୋଠା ଆଠଗାଁ ଆରଆଇ ଅଫିସ ପାଇଁ ନିର୍ମାଣ ହୋଇଛି। ଆଉ ଅନ୍ୟ କୋଠାଟି ଡାକ୍ତରଖାନା ପାଇଁ ନିର୍ମାଣ କରାଯାଇଛି। ହେଲେ ନିର୍ମାଣ ସରିବା ଦିନଠାରୁ ହିଁ ତାହା ଏହି ଅବସ୍ଥାରେ ପଡିରହିଛି। ଗାଁରେ ଥିବା ପଞ୍ଚାୟତ ଅଫିସରେ ଆରଆଇ ସର୍କଲ ଅଫିସ ଚାଲୁଥିବା ବେଳେ ଡାକ୍ତରଖାନା ମଧ୍ୟ ସେହିଭଳି ଅବସ୍ଥାରେ ନାହିଁ ନାହିଁରେ ଚାଲିଛି। ତେବେ ସରକାରୀ ଟଙ୍କା ଖର୍ଚ୍ଚ କରି କୋଠା ପଡିରହିଛି ଅଥଚ ଯେଉଁ କାର୍ଯ୍ୟାଳୟ ପାଇଁ ତାହା ନିର୍ମାଣ କରାଯାଇଛି ତାହା ଧାରରେ ଚାଲିବା ସ୍ଥାନୀୟ ବାସିନ୍ଦାକୁ ମଧ୍ୟ ଚକିତ କରିଛି। ଉଭୟ କୋଠାର ଗେଟରେ ତାଲା ଝୁଲୁଥିବା ବେଳେ ଭିତର ପଟ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଉକ୍ତ ଦୁଇ କାର୍ଯ୍ୟାଳୟ ଏଠାକୁ ଆସିଲେ ଲୋକଙ୍କ ସୁବିଧା ହୁଅନ୍ତା କିନ୍ତୁ କିଛି ସ୍ଥାନୀୟ କୁଜିନେତାଙ୍କ ଯୋଗୁ ତାହା ହୋଇପାରୁନଥିବା ଅଭିଯୋଗ କରିଛନ୍ତି।

ଏହି ଦୁଇ କୋଠାର ଅବସ୍ଥିତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ସୁଦ୍ଧା ଏନେଇ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ତେବେ ଲୋକଙ୍କ ଟଙ୍କାରେ ତିଆରି କୋଠା ୭ ବର୍ଷ ଧରି ବ୍ୟବହାର ନ ହୋଇ ପଡିରହିବା କେତେ ଯୁକ୍ତିଯୁକ୍ତ ତାହା ନିଶ୍ଚିତ ଏକ ଆଲୋଚନାର ବିଷୟ। ତେବେ ଏହି କୋଠା କିଭଳି ବ୍ୟବହାର ହୋଇପାରିବ ସେଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.