ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ବଙ୍ଗୋମୁଣ୍ଡା ଅଞ୍ଚଳବାସୀ

ବଙ୍ଗୋମୁଣ୍ଡା:  ବଲାଙ୍ଗିର ଜିଲା ସଦର ମହକୁମା ଠାରୁ ୯୫ କିଲୋମିଟର ଦୂରତାରେ ରହିଥିବା ବଙ୍ଗୋମୁଣ୍ଡା ବ୍ଲକ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା। ମରୁଡି ପ୍ରପୀଡିତ, ଦାଦନ ପ୍ରବଣ ଏହି ବ୍ଲକର ଉପାନ୍ତ ଅଞ୍ଚଳରୁ ଜିଲା ସଦର ମହକୁମାକୁ ୧୪୫ କିଲୋମିଟରରୁ ଅଧିକ ଦୁର ପଡେ। ବ୍ଲକର ୨୬ ଟି ପଞ୍ଚାୟତ ରେ ୨୦୧୧ ଜନଗଣନା ଅନୁସ।।ରେ ୧୧ ଲକ୍ଷ ୨୨୬ ହଜାର ରୁ ଅଧିକ ଲୋକ ବସବାସ କରୁଛନ୍ତି। ସରକାର ଏବଂ ପ୍ରଶାସନିକ ଅବହେଳାରୁ ବ୍ଲକର ଜନସାଧାରଣ ମୌଲିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବ୍ଲକର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ ଏବଂ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦୈନିକ ଅଞ୍ଚଚଳର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରିଥାନ୍ତି। ବଙ୍ଗୋମୁଣ୍ଡା ବ୍ଲକ ସହିତ ମୁରିବାହାଲ ବ୍ଲକର ୪ ଟି ପଞ୍ଚାୟତର ଲୋକେ ଅନ୍ୟାନ୍ୟ କାମ ସହ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ବଙ୍ଗୋମୁଣ୍ଡାରେ ସ୍ୱାସ୍ଥ୍ୟ ସେବା ପାଇଁ ଅବଶ୍ୟକ ଭିତ୍ତିଭୂମି ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତରଙ୍କ ଭରସାରେ ଚାଲୁଛି। ଜଣେ ଫାର୍ମାସିଷ୍ଟ,ଜଣେ ଷ୍ଟାପ ନର୍ସ ଲୋକଙ୍କ ଚିକିତ୍ସା ସେବାରେ ଲାଗିଥିବା ବେଳେ ରୋଗୀଙ୍କ ସଂଖ୍ୟା ବଢିଚାଲିଛି।

୨୦୧୬-୧୭ ମସିହାରେ ୧୩୨୧୮ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ୨୦୧୭-୧୮ ରେ ୧୩୬୮୬, ୨୦୧୮-୧୯ ମଧ୍ୟରେ ୧୫୧୨୫ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ରୋଗୀ ସଂଖ୍ୟା ଅହେତୁକ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ପାଇଁ ଆବଶ୍ୟକ ଭିତ୍ତିଭୂମି ତଥା ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବାରୁ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉନ୍ନୀତ କରାଯାଇ ଅଞ୍ଚଳ ଡାକ୍ତରଖାନା କିମ୍ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କରାଗଲେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରନ୍ତେ। ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନୀତ କରାଯିବା ପାଇଁ ଦାବି ହେଉଥିବା ବେଳେ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନି ଦିଆଯାଇଛି।

Comments are closed.