କମଲ ହାସନଙ୍କ ଜିଭ କାଟିଦେବା ଉଚିତ: ତାମିଲନାଡୁ ମନ୍ତ୍ରୀ

ଚେନ୍ନାଇ: ହିନ୍ଦୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମକ୍କଲ ନୀଧି ମୈୟମ(ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନଙ୍କ ଜିଭ କାଟିଦେବା ଉଚିତ ବୋଲି ତାମିଲନାଡୁର ଜଣେ ମନ୍ତ୍ରୀ କେ.ଟି​‌ ରାଜେନ୍ଥ୍ର ବାଲାଜୀ କହିଛନ୍ତି। କମଲ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ,  ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ସେ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ।

ଏହି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିବାବେଳେ ତାମିଲନାଡୁ ମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ବାଲାଜୀ କହିଛନ୍ତି, କମଲ ହାସନ ହିଂସା ଦୃଷ୍ଟି ଉଦ୍ଦେଶ୍ୟରେ ଏଭଳି କହିଥିବାରୁ ତାଙ୍କ ପାର୍ଟି ଏମଏନଏମକୁ ନିଷେଧ କରିବା ସହ ତାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କମଲ ହାସନଙ୍କ ଜିଭ କାଟିଦେବା ଉଚିତ। ଆତଙ୍କବାଦର କୌଣସି ଧର୍ମ ନାହିଁ। ସେ ହିନ୍ଦୁ ନୁହେଁ କି ମୁସଲିମ ଅଥବା ଖ୍ରୀଷ୍ଟିୟାନ ନୁହେଁ। କମଲ ହାସନ ଦଳିତ ଭୋଟ ହାତେଇବାକୁ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବା ବାଲାଜୀ କହିଛନ୍ତି। ସେ ଜଣକୁ ସନ୍ତୁଷ୍ଟ କରିବା ପାଇଁ ବିଷ ବାନ୍ତି କରୁଛନ୍ତି।

Comments are closed.