ବୈତରଣୀ ନଦୀର ତଳମୁଣ୍ଡରେ କମୁଛି ବନ୍ୟାଜଳ, ୪ଟି ପଞ୍ଚାୟତର ବହୁ ଗାଁ ଏବେବି ପାଣି ​ଘେ​‌ରରେ

କୃଷି ଅଧିକାରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଆରଡ଼ି: ବୈତରଣୀ ନଦୀର ତଳମୁଣ୍ଡରେ ବନ୍ୟାପାଣି କମିବାରେ ଲାଗିଛି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନ ଠିକ ଭାବେ ହେଉ ନ ଥିବାରୁ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଞ୍ଚାୟତର ଏବେବି ବହୁ ଗାଁ ପାଣି ଘେରରେ ରହିଛି।

ବୋଡକ ନିକଟରେ ବନ୍ୟାପାଣି କମିଥିବାରୁ ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟ ରାଜପଥ ଯାତାୟତ ସ୍ବାଭାବିକ ହୋଇଛି। ହେଲେ ଏବେବି ଦୀର୍ଘ ୪ଦିନ ହେଲା ମୁଆଁ ଓ ଆରଡି ଡିହସାହି ଘୋଷରାରେ ୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡିକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏଥିସହ ନିକଟବର୍ତ୍ତି ଗାଁ ପାଲଟପୁର, ଭୂଇଁପୁର, କୋଇଲିଖା, ବାଙ୍କମୁଆଁ, ସନ୍ତରା, ବାତୋଳ, ମୁଆଁ, ସିଙ୍ଗିପୁର ଆଦି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ବୈତରଣୀ ନଦୀର ବନ୍ୟାଜଳ ଗତ ୪ଦିନ ହେଲା ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଥିବାରୁ ଫସଲ ଉଜୁଡିଯିବାକୁ ବସିଛି। ସେହିପରି ବନ୍ୟାଘେରରେ ଥିବା ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ନେବା ଓ ମେଡିକାଲକୁ ଆସିବା ପାଇଁ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି। ଅନେକ ସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି। କିଏ ବାଉଁଶ ଭେଳାରେ ପିଇବାପାଣି ନେଉଛି ତ ଆଉକିଏ ଅଣ୍ଟାଏ ପାଣିରେ ପଶି ପିଇବା ପାଣି ନେଉଛି। ଏବେ ବହୁ ଘରେ ବନ୍ୟାପାଣି ଛାଡିଥିବାରୁ ବିପନ୍ନଙ୍କ ଦୁର୍ଦଶା ବଢିବାରେ ଲାଗିଛି। ଗୃହପାଳିତ ପଶୁ ଅଧିକ ପ୍ରଭାବିତ ହୋଇଛନ୍ତି। ଦୀର୍ଘଦିନ କ୍ଷେତକୁ ନଯାଇ ଗାଁ ଦାଣ୍ଡରେ ବନ୍ଧା ହୋଇଛନ୍ତି।

ଅନ୍ୟପଟେ ରବିବାର ଆରଡି ସମେତ ୪ଟି ପଞ୍ଚାୟତ ଚାଷଜମିର କ୍ଷୟକ୍ଷତିର ଆକଳନ କରିବା ପାଇଁ ବନ୍ୟାଞ୍ଚଳରେ ପହଞ୍ଚିଥିଲେ ଭଦ୍ରକ ଜିଲା ମୁଖ୍ୟ କୃଷିଅଧିକାରୀ ଜଗନ୍ନାଥ ନନ୍ଦ, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ଅଧିକାରୀ ଡ. ଅରବିନ୍ଦ ଦାସ, ଚାନ୍ଦବାଲି ବ୍ଲକ କୃଷିଅଧିକାରୀ ରଘୁନାଥ ପତି, ଆରଡି ଆର.ଆଇ ଦେବାଶିଷ ରାୟ, ଗ୍ରାମ୍ୟ କୃଷି ଅଧିକାରିଣୀ ରଞିତା ପଣ୍ଡା ପ୍ରମୁଖ ବନ୍ୟା ପ୍ଳାବନ କ୍ଷେତକୁ ଯାଇ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏଥିସହ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। କୃଷିବିଭାଗର ଏହି ଗସ୍ତରେ ନାନ୍ଦପୁର ପୂର୍ବତନ ସରପଞ୍ଚ ସରୋଜ ଦାସ, ଓଳଗ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ ସେଠୀ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଗଦାଧର ପାଢୀଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।

Comments are closed.