ପରଂବ୍ରହ୍ମଙ୍କ ଆଜି ବାହୁଡ଼ା ବିଜେ

ଦିନ ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା
ସାନ୍ଧ୍ୟ ଆଇନ ଜାରି
ବୁଧବାର ସୁନାବେଶ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ମଙ୍ଗଳବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ପରଂବ୍ରହ୍ମ। ମହାପ୍ରଭୁଙ୍କ ଫେରିବା ବାଟକୁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନିରଥ। କଡା ସୁରକ୍ଷା ବଳୟରେ ରହିଛି ପର୍ଯ୍ୟଟନ କ୍ଷେତ୍ର ପୁରୀ। ତିନିରଥରେ ଚାରମାଳ ବନ୍ଧାଯିବା ସହ ଆକର୍ଷଣୀୟ ଫୁଲରେ ସଜ୍ଜା ଯାଇଛି। ମଙ୍ଗଳବାର ପ୍ରାତଃ ୪ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯିବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଏବଂ ସକାଳଧୂପ ସେନାପଟା ଲାଗିପରେ ମଙ୍ଗଳାର୍ପଣ କରାଯିବ।

ଦିନ ୧୨ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ ମଧ୍ୟରେ ଶେଷହେବ। ଘଣ୍ଟ, ପଖଉଜ ଏବଂ ବିଜେ କାହଳୀ ବାଦ୍ୟ ସହ ସେବକଙ୍କ ଗହଣରେ ଝୁଲି ଝୁଲି ରଥ ଉପରକୁ ବିଜେ କରିବେ ମହାପ୍ରଭୁ। ପହଣ୍ଡି ଶେଷହେବା ପରେ ରଥ ଉପରେ ଠାକୁରଙ୍କୁ ବେଶ କରାଯିବ। ଦିନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା। ସନ୍ଧ୍ୟାସୁଦ୍ଧା ରଥ ଗୁଡିକ ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ସମ୍ଭାବନା ରହିଛି। କେବଳ ସେବାୟତମାନେ ପାରମ୍ପରିକ ବେଶରେ ରଥ ଟାଣିବେ। ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜଙ୍କ ଦ୍ବାରା ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହେବ। ବୁଧବାର ରଥଉପରେ ଦାରୁବ୍ରହ୍ମଙ୍କ ସୁନାବେଶ କରାଯିବ।
ଶ୍ରୀଜୀଉଙ୍କ ବାହୁଡାଯାତ୍ରା ଏବଂ ସୁନାବେଶକୁ ଦୃଷ୍ଟିରେ ରଖି ସୋମବାର ରାତିରୁ ସମଗ୍ର ପୁରୀ ସହରରେ ୪୮ଘଣ୍ଟିଆ ସାନ୍ଧ୍ୟ ଆଇନ ଜାରି କରାଯାଇଛି।

ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରି ଦିଆଯାଇଛି। ବାହାର ଲୋକଙ୍କ ପୁରୀ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ। ବସ୍‌ ଏବଂ ରେଳଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା ହୋଟେଲ, ଲଜିଂ, ଧର୍ମଶାଳା ଏବଂ ଅତିଥି ଭବନ ଗୁଡିକୁ ବନ୍ଦ କରାଯିବା ସହ ଦୋକାନ ଗୁଡିକୁ ନଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି। ଘର ଛାତ ଏବଂ ବାଲ୍‌କୋନୀରେ ଛିଡାହୋଇ ରଥଯାତ୍ରା ଦେଖିବା ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି ଗୁଡିକର ପ୍ରବେଶ ପଥରେ କାଠବାଡ ପକାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

ରଥ ଘେରରେ ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶ ବନ୍ଦପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୦ଟି ସ୍ବତନ୍ତ୍ର କାର୍ଯ୍ୟକରୀ ଦଳ ନିୟୋଜିତ କରାଯାଇଛି। ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ସେଥିରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍‌ ଏବଂ ପୁଲିସ ଅଧିକାରୀଙ୍କ ସମେତ ଭିଡିଓ କ୍ୟାମେରା ରଖାଯାଇଛି। ଏହଛଡା ତିନିରଥ ଅନ୍ତଃଘେର ଭିତରେ ଯାଞ୍ଚ ପାଇଁ ତିନୋଟି ଦଳ ଗଠନ କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନରେ ଚିତ୍ରଉତ୍ତୋଳନକାରୀ ଯନ୍ତ୍ର ଲଗାଯାଇଛି। ଦୃଶ୍ୟ ଉତ୍ତୋଳନ ପାଇଁ ଅଧିକ ସଂଖ୍ୟକ ଡ୍ରୋନ୍‌ କ୍ୟାମେରା ନିୟୋଜିତ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ କହିଛନ୍ତି। ୬୫ ପ୍ଲାଟୁନ ପୁଲିସ ଦଳ ଏବଂ ୫ଶହରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ସୋମବାର ରାତି ୧୦ଟାରେ ମହାପ୍ରଭୁଙ୍କ ପହୁଡ ଆଳତି ଅନୁଷ୍ଠିତ ହୋଇଛି। ଦଇତାପତିଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟକଣ୍ଟ ନୀତି ସମ୍ପନ୍ନ ହୋଇଛି। ଆଡ଼ପ ମଣ୍ଡପ ସମ୍ମୁଖରେ କୋଠ ସୁଅଁାସିଆ ସେବକଙ୍କ ଦ୍ବାରା ଚାରମାଳ ବନ୍ଧାଯାଇଛି। ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ମହାପ୍ରଭୁ।

Comments are closed.