ନୀତିନିଷ୍ଠ, ସ୍ବାଭିମାନୀ ଓଡ଼ିଆ ରାଜନେତା ବାଗ୍ମୀ ବିଶ୍ବନାଥ ଦାସ

ବାଗ୍ମୀ ବିଶ୍ବନାଥ ଦାସ। ଗଞ୍ଜାମ ଜିଲା ବେଲଗାଁରେ ୮ ମାର୍ଚ୍ଚ (ଆଜିର ଦିନରେ) ୧୮୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ପରାଧୀନ ଭାରତର ଜଣେ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ, ଅପ୍ରତିଦ୍ବନ୍ଦ୍ବୀ ରାଜନେତା, ବିଶିଷ୍ଟ ଆଇନଜ୍ଞ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ଅଗ୍ରସାରଥୀ ତଥା ସମାଜସେବୀ ଭାବେ ଓଡ଼ିଶାର ପୁରପଲ୍ଲୀରେ ଆଜି ବି ବିଶ୍ବନାଥ ଦାସ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ। ବ୍ରିଟିଶ ଶାସନକାଳରେ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଶାର ତତ୍କାଳୀନ ପ୍ରାଦେଶିକ ସଂଘୀୟ ଶାସନ ବ୍ୟବସ୍ଥାରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ (୧୯୩୭-୩୯) ହେବାର ଗୌରବ ଲାଭ କରିଥିଲେ। ମାତ୍ର ଜାତୀୟ ସ୍ତରରେ କଂଗ୍ରେସ ନେତୃମଣ୍ଡଳୀଙ୍କ ନିଷ୍ପତ୍ତି ଓ ବ୍ରିଟିଶ ସରକାରଙ୍କୁ ଅସହଯୋଗ କରିବା ଲାଗି ବିଶ୍ବନାଥ ବାବୁ ଏହି ପଦକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଚାଷୀମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ପାଇଁ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନର ଚାଷୀ ଆନ୍ଦୋଳନର ପ୍ରମୁଖ ନେତୃତ୍ବ ନେଇଥିଲେ ବିଶ୍ବନାଥ ବାବୁ। ୧୯୨୦ ମସିହାରେ ଗଞ୍ଜାମ ତାଲୁକା ବୋର୍ଡର ​ସଭାପତି ନିର୍ବାଚିତ ହୋଇଥିଲେ। ସେତେବେଳେ ଗଞ୍ଜାମ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧିନରେ ଥିଲା। ଜଣେ ନିଷ୍ଠାପର ଓଡ଼ିଆ ଭାବରେ ନିଜ ଭାଷା, ସାହିତ୍ୟର ଉନ୍ନତି ପାଇଁ ସେ ବହୁ ଜନହିତକର କାମ କରିପାରିଥିଲେ।

ସେତେବେଳେ ଗଞ୍ଜାମ ଓ କୋରାପୁଟ ଅଞ୍ଚଳର ଉନ୍ନତି ପାଇଁ ମାନ୍ଦ୍ରାଜ ବିଧାନ ପରିଷଦକୁ ସଦସ୍ୟ ଭାବେ ନିର୍ବାଚିତ ହୋଇ ୧୯୨୧ରୁ ୧୯୩୦ ପର୍ଯ୍ୟନ୍ତ ପ୍ରାୟ ୧୦ବର୍ଷରୁ ଅଧିକ କାଳ ଜନସେବା କରିଥିଲେ। ସେତେବେଳେ ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ଆନ୍ଦୋଳନର ଦାନା ବାନ୍ଧୁଥିଲା। ତେବେ ଓଡ଼ିଆ ଭାଷା ବିରୋଧୀ ଅଣଓଡ଼ିଆ, ତେଲୁଗୁ, ତାମିଲ ଓ ବଙ୍ଗାଳୀଙ୍କର ପ୍ରବଳ ପ୍ରଭାବ ରହିଥିଲା। ଅବହେଳିତ ଓଡ଼ିଆମାନେ କେଉଁଠି ଆନ୍ଧ୍ର, ମଧ୍ୟପ୍ରଦେଶ, ବିହାର ଓ ବଙ୍ଗଳାରେ ଖଣ୍ଡଖଣ୍ଡ ହୋଇ ଶାସିତ ହେଉଥିଲେ। ସେମାନଙ୍କ ଭାଷା, ସାହିତ୍ୟ, ଆଞ୍ଚଳିକତା, ଜାତି ଓ ସଂଗଠନ ଆଦି ନିଜତ୍ବ ହରାଇଥିଲା। ବହୁ ବିରୋଧର ସାମ୍ନା କରି ଅପମାନିତ ହେଉଥିଲେ ଓଡ଼ିଆ ଲୋକେ। ଏ ସମୟରେ ବିଶ୍ବନାଥ ଦାସ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଥାଇ ସୁଦ୍ଧା ମଧୁସୂଦନ ଦାସଙ୍କ ନେତୃତ୍ବରେ ଚାଲିଥିବା ଓଡ଼ିଆ ଭାଷା ଆନ୍ଦୋଳନକୁ ପୂର୍ଣ୍ଣପ୍ରାଣରେ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ଯୋଗାଇ ଆସିଥିଲେ। ବିଧାନ ପରିଷଦର ସଭ୍ୟ ଥିଲାବେଳେ ‘ଆଶା’ ପତ୍ରିକାର ସମ୍ପାଦକ ଶଶିଭୂଷଣ ରଥ ଓ ସାର୍‌ ଏ.ପି.ପାତ୍ରଙ୍କ ସହଯୋଗରେ ବହୁ କଲ୍ୟାଣକର କାର୍ଯ୍ୟ କରିଥିଲେ। ୧୯୩୧ ମସିହାରେ ଜାତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ମାନ୍ଦ୍ରାଜ ବିଧାନ ପରିଷଦରୁ ଇସ୍ତଫା ଦେଇ ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ ଭେଲୋରର କେନ୍ଦ୍ରୀୟ ଜେଲ୍‌ରେ ଏକବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା।

ମହାତ୍ମାଗାନ୍ଧୀଙ୍କ ୧୯୨୧ ଓଡ଼ିଶା ଆଗମନ କାଳରେ ତେଲୁଗୁ-ଓଡ଼ିଆଙ୍କ ମଧ୍ୟରେ ବିଭେଦ ଲାଗିରହିଥିଲା ଓ ଗାନ୍ଧିଜୀ ନୂତନ ଓଡ଼ିଶା ପ୍ରଦେଶ ଗଠନକୁ ପ୍ରାୟତଃ ସ୍ବୀକୃତି ଦେଇଥିଲେ ହେଁ ଉଭୟଙ୍କ ମତଭେଦ ଆଲୋଚନା ଜରିଆରେ ସମାଧାନ କରିବାକୁ ଚାହିଁଥିଲେ। ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଓଡ଼ିଶା ଗଠନ ଲାଗି ବୁଝାଇବାର ସୂତ୍ରଧର ଥିଲେ ବିଶ୍ବନାଥ ବାବୁ। ଓଡ଼ିଶା ସୀମା ନିର୍ଦ୍ଧାରଣ ପାଇଁ ସାଇମନ୍‌ କମିସନଙ୍କ ଓଡ଼ିଶା ଆଗମନକୁ ଜାତୀୟ କଂଗ୍ରେସ ବିରୋଧ କରିବାକୁ ନିଷ୍ପତି ନେଇଥିଲା। ଅନ୍ୟ କେତେକ ନୂତନ ଓଡ଼ିଶା ପ୍ରଦେଶ ଗଠନ ପାଇଁ କମିସନଙ୍କ ଆଗମନକୁ ସ୍ବାଗତ ଜଣାଇଥିଲେ। ମଧୁସୂଦନ ଦାସ, ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ଓ ତାଙ୍କ ସମର୍ଥକମାନେ କମିସନଙ୍କୁ ସ୍ବାଗତ କରୁଥିବାବେଳେ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସମେତ କେତେକ କମିସନଙ୍କ ଆଗମନକୁ ବିରୋଧ କରିଥିଲେ। ଏଥିରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ଆଭିମୁଖ୍ୟ ନେଇ ବିଶ୍ବନାଥ ଦାସ, ଶଶିଭୂଷଣ ରଥ ଓ ଦିବାକର ପଟ୍ଟନାୟକ ଏଇ ଦୁଇ ଗୋଷ୍ଠୀର ମତଭେଦ ଦୂର କରି କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ସମର୍ଥନ ଦେଇଥିଲେ। ଫଳରେ ୧୯୩୬ ମସିହା ଏପ୍ରିଲ ପହିଲାରେ ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଭାରତରେ ପ୍ରଥମ କରି ଗଠନ ହେଲା।

୧୯୩୧ ଭାରତ ସରକାରଙ୍କ ପ୍ରାଦେଶିକ ସଙ୍ଘୀୟ ବ୍ୟବସ୍ଥା ଅନୁଯାୟୀ ପ୍ରାଦେଶିକ ସଙ୍ଘୀୟ ସରକାର ଗଠନର ପ୍ରଚେଷ୍ଟା ହେଲା। ୧୯୩୬ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଶ୍ବନାଥ ଦାସ ଗଞ୍ଜାମର ଜଗନ୍ନାଥପ୍ରସାଦ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ବରେ ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ ପାଇଥିଲେ ହେଁ ଭାରତୀୟ ଜାତୀୟ କଂଗ୍ରେସର ନିଷ୍ପତି ଅନୁଯାୟୀ ଇଂରେଜ ସରକାରଙ୍କୁ ଅସହଯୋଗ କରି ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାକ୍ଷାନ କରିଥିଲେ। ଫଳରେ କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଦାୟିତ୍ବ କିଛି ମାସ ପାଇଁ ନେଇଥିଲେ। ପୁନଶ୍ଚ ୧୯୩୬ ଜୁଲାଇ ୫ ତାରିଖରୁ ଗଜପତିଙ୍କ ଇସ୍ତଫା ପରେ ବିଶ୍ବନାଥ ଦାସ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆସନ ଗ୍ରହଣ କରିଥିଲେ।

ବିଶ୍ବନାଥ ଦାସ ଥିଲେ ଜଣେ ଆତ୍ମସଚେତନ ସ୍ବାଭିମାନୀ ମଣିଷ। କୌଣସି ବେଳେ କିଛି ପ୍ରଲୋଭନ ଓ ଅହେତୁକ ସୁବିଧା ହାସଲ ପାଇଁ ନିଜ ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଦେଉ ନ ଥିଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ଥିଲେ ସାର୍‌ ଜନ୍‌ ଅଷ୍ଟିନ୍‌ ହବାକ୍‌। ନୀତି ଓ ପ୍ରଧାନମନ୍ତ୍ରୀ କ୍ଷମତାର ଉପଯୋଗିତା ନେଇ ବିଶ୍ବନାଥ ବାବୁଙ୍କ ସହ ରାଜ୍ୟପାଳଙ୍କ ସମ୍ପର୍କ ତିକ୍ତ ହୋଇଥିଲା। ଏଥିରେ ଅସନ୍ତୁଷ୍ଟ ଅଷ୍ଟିନ୍‌ ସାହେବ ଦୀର୍ଘ ଦିନ ଛୁଟିରେ ଯିବାକୁ ଚାହିଁ ରାଜ୍ୟର ରାଜସ୍ବ କମିସନର ବ୍ରିଟିଶର ଜନ୍‌ ଡେଇନ୍‌ଙ୍କୁ ରାଜ୍ୟପାଳ ଦାୟିତ୍ବ ତୁଲାଇବା ପାଇଁ ସରକାରଙ୍କୁ ସୁପାରିସ କରିଥିଲେ; କିନ୍ତୁ ସ୍ବାଭିମାନୀ ବିଶ୍ବନାଥ ରାଜ୍ୟର ପ୍ରଧାନମନ୍ତ୍ରୀ ତାଙ୍କଠାରୁ ଅଧସ୍ତନ କର୍ମଚାରୀଙ୍କୁ ରାଜ୍ୟପାଳ ଦାୟିତ୍ବ ଦିଆଯାଇପାରିବନାହିଁ ବୋଲି ଏକ ନୀତିଗତ ନିଷ୍ପତି ନେଇ ଏହାକୁ ତୀବ୍ର ବିରୋଧ କଲେ। ଫଳରେ ଏହାକୁ ଜାତୀୟ ସ୍ତରରେ ଏକ ସାମ୍ବିଧାନିକ ସଙ୍କଟ ଭାବରେ ଉପସ୍ଥାପନ କରି ଭାରତର ନିର୍ବାଚିତ ସମସ୍ତ ପ୍ରଧାନମନ୍ତ୍ରୀମାନେ ଇସ୍ତଫା ଦବାର ଧମକ ରଖିବାରୁ ଇଂରେଜ ସରକାର ବାଧ୍ୟ ହୋଇ ଅଷ୍ଟିନ୍ ସାହେବ ଛୁଟିରେ ଯିବାକୁ ବନ୍ଦ କରିଦେଇଥିଲେ। ଏହା ଥିଲା ବିଶ୍ବନାଥଙ୍କ ପଦପଦବୀ ଓ ନିର୍ବାଚିତ ଜନଅଧିକାରକୁ କିଭଳି ସମ୍ମାନ ଦିଆଯାଇପାରେ ତାହାର ଏକ ବଳିଷ୍ଠ ଉଦାହରଣ।

ପରବର୍ତ୍ତୀ କାଳରେ ଓଡ଼ିଶା ତଥା ଜାତୀୟ ସ୍ତରରେ ଦେଖାଯାଇଥିବା ଗଡ଼ଜାତ ଶାସନ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନକୁ ସମର୍ଥନ କରି ଗଣତନ୍ତ୍ରକୁ ମଜଭୁତ କରିବାରେ ସେ ସହାୟକ ହୋଇଥିଲେ। ୧୯୩୯ ମସିହାରେ ଜାତୀୟ କଂଗ୍ରେସ ଡକରାରେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଇଂରେଜ ସରକାର ବିରୋଧରେ ଅସହଯେ​‌ାଗ ଓ ଭାରତଛାଡ଼ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଶ୍ବନାଥ ବାବୁ। ଫଳରେ ସ୍ବାଧୀନତା ଆନ୍ଦୋଳନକୁ ଅଧିକ ତୀବ୍ର କରିପାରିଥିଲେ।

୧୬ ଏପ୍ରିଲ ୧୯୬୨ରୁ ୩୦ ଏପ୍ରିଲ ୧୯୬୭ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦଶର ରାଜ୍ୟପାଳ ଦାୟିତ୍ବ ତୁଲାଇଥିଲେ। ୧୯୬୬ ମସିହାରେ ସେ ଲାଲା ଲଜ୍‌ପତ୍ ରାୟଙ୍କ ଗଠିତ ‘ଲୋକସେବକ ମଣ୍ଡଳ’ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଅନେକ ଜନହିତକର କାର୍ଯ୍ୟ କରିଥିଲେ। ଓଡ଼ିଶା ବିଧାନସଭାକୁ ୧୯୭୧ ମସିହାରେ ସେ ନିର୍ବାଚିତ ହୋଇଥିଲେ। ଉତ୍କଳ କଂଗ୍ରେସ, ସ୍ବତନ୍ତ୍ର ପାର୍ଟି ଓ ଝାଡ଼ଖଣ୍ଡ ପାର୍ଟିକୁ ନେଇ ଗଠିତ ମିଳିତ ସାମୁଖ୍ୟର ସରକାର ଗଠନ ହୋଇଥିଲା। ବିଶ୍ବନାଥ ଦାସ ମିଳିତ ସାମ୍ମୁଖ୍ୟର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୩ ଏପ୍ରିଲ ୧୯୭୧ରୁ ୧୪ ଜୁନ୍‌ ୧୯୭୨ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଚଣ୍ଡ ସ୍ବାଭିମାନୀ, ବର୍ଷୀୟାନ୍‌ ରାଜନେତା, ଓଡ଼ିଆ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନର ଅନ୍ୟତମ ରୂପକାର, ଗଡ଼ଜାତ ବିରୋଧୀ ପ୍ରଜା ଆନ୍ଦୋଳନର ପ୍ରମୁଖ ମାର୍ଗଦର୍ଶକ ବିଶ୍ବନାଥ ଦାସଙ୍କର ୨ ଜୁନ୍‌ ୧୯୮୪ ମସିହାରେ ୯୫ବର୍ଷ ବୟସରେ ପରଲୋକ ଘଟିଥିଲା। ଆଜି ତାଙ୍କର ୧୩୨ତମ ଜୟନ୍ତୀରେ ଅଗଣିତ ଓଡ଼ିଆଙ୍କ ତରଫରୁ ଅୟୁତକୋଟି ଶ୍ରଦ୍ଧାସୁମନ।

Comments are closed.