ପ୍ରତିଶ୍ରୁତିରେ ଅଟକିଛି ବାଘଲଟି ସେଚ ପ୍ରକଳ୍ପ ବିସ୍ଥାପିତଙ୍କ ବିକାଶ

ପାତ୍ରପୁର: ଗଞ୍ଜାମ ଜିଲାର ପାତ୍ରପୁର, ଦିଗପହଣ୍ଡି ଓ ଚିକିଟି ତହସିଲକୁ ଶସ୍ୟଶ୍ୟାମଳା କରିବା ଲକ୍ଷ୍ୟରେ ବହୁଦା ନଦୀର ବାଘଲଟି ନିକଟରେ ୧୯୯୬ ମସିହାରେ ଆରମ୍ଭ କରାଯାଇଥିଲା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ। କେତେକାଂଶରେ ଲକ୍ଷ୍ୟ ସାଧନ ହୋଇଥିବା ବେଳେ ଯାହାଙ୍କ ଯୋଗୁ ପ୍ରକଳ୍ପ ସାକାର ରୂପ ନେଇଛି ସେମାନଙ୍କ ବିକାଶ ଏବେ କେବଳ ପ୍ରତିଶ୍ରୁତିରେ ଅଟକି ରହିଛି।

ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତରେ ନିର୍ମିତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୮ଟି ଗ୍ରାମର ଶତାଧିକ ପରିବାର ବାସଚ୍ୟୁତ ହେବାର ୨୨ ବର୍ଷ ବିତିଯାଇଛି। ଏହି ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଉଦବାସ୍ତୁଙ୍କ ବିକାଶ ବଦଳେ ଚିନ୍ତା ବଢି ଚାଲିଛି। ଗାଁର ତଳ ଅଂଶରେ ବାଘଲଟି ଯୋଜନା କାର୍ଯ୍ୟକାରୀ ହେବ। ବାସଚ୍ୟୁତ ଲୋକଙ୍କୁ ଠିକ ଭାବେ ଥଇଥାନ କରାଯିବ। ପ୍ରତି ପରିବାରକୁ ନିଯୁକ୍ତି ସୁଯୋଗ, ବାସଗୃହ, କ୍ଷତିପୂରଣ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଚାଷ ଜମି ଯୋଗାଇ ଦେବା ସହ ଲୋକଙ୍କ ମତକୁ ପ୍ରାଧାନ୍ୟ ଦେଇ ଉନ୍ନୟନ କାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେ ସବୁ ଶୂନ୍ୟରେ ମିଳେଇ ଯାଇଛି।

ନାବାର୍ଡ ଆର୍ଥିକ ସହାୟତାରେ ପ୍ରକଳ୍ପ କାମ ଆରମ୍ଭ ହେବାର ଦୁଇ ବର୍ଷ ପରେ ପାଣି ଭର୍ତ୍ତି ହେବା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର ଜରୁରୀ ହେବାରୁ ୮ଗୋଟି ଗ୍ରାମର ଲୋକଙ୍କୁ ୧୯୯୮ମସିହାରେ ପ୍ରସିଦ୍ଧ ଦେବୀ ପୀଠ କୁରେଇଶୁଣି ମନ୍ଦିର ସାମନାରେ ସର୍ଭେ ହୋଇନଥିବା ଯନ୍ତ୍ରଗଡ ମୌଜାରେ ଥଇଥାନ କରାଯାଇଥିଲା। ବେଙ୍ଗଇ ସାହିର ୨୭ପରିବାର, ବୁରୁଡାସିଙ୍ଗିର ୧୪, ଦ୍ୱିତୀକା ସାହିର ୯, ସିନ୍ଦୁରପୁରର ୨୮, କରାବାଙ୍କିର ୧୧, ଗମ୍ଭାରୀଖୋଲର ୩୦, ପୋଡାଢ଼ିଅର ୧୨ ଓ ବାଟଢ଼େଇପଡାର ୩୦ସମେତ ୧୨୨ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ସେଥିମଧ୍ୟରୁ ଗମ୍ଭାରୀଖୋଲ, ପୋଡାଢ଼ିଅ ଆଙ୍କୁଲି ପଞ୍ଚାୟତରେ ଥିବା ବେଳେ ଅନ୍ୟ ଗ୍ରାମ ତୁରୁବୁଡି ପଞ୍ଚାୟତ ଅଧୀନରେ ଥିଲା। ପରବର୍ତ୍ତୀ ସମୟରେ ଆଙ୍କୁଲି ପଞ୍ଚାୟତର ଦୁଇଟି ଗ୍ରାମର ଲୋକଙ୍କ ପାଇଁ ପଞ୍ଚାୟତ ମୁଖ୍ୟଦପ୍ତର ଅଧିକ ଦୂର ହେଉଥିବାରୁ ସେହି ଦୁଇ ଗ୍ରାମକୁ ତୁରୁବୁଡି ପଞ୍ଚାୟତରେ ସାମିଲ କରାଯାଇଥିଲା। ଏହିସବୁ ଗ୍ରାମବାସୀ ସ୍ଥାନାନ୍ତର ହେବା ପରେ ୨୦୦୯ ମସିହାରେ ୭ଟି ଗ୍ରାମର ଆଦିବାସୀଙ୍କୁ ଘରବାରି ପଟ୍ଟା ଯୋଗାଇ ଦିଆଯାଇଥିଲା।

ସିନ୍ଦୁରପୁର ଗ୍ରାମର ଦଳିତ ଏବଂ ଅନ୍ୟ ଦୁଇ ଆଦିବାସୀଙ୍କୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ମିଳିନି। ସେଠାକାର ଲୋକେ ପୂର୍ବ ସ୍ଥାନରେ ବଗଡ଼ କରି ଜୀବକାର୍ଜନ କରୁଥିଲେ। ଏହା ଦେଖି ଲୋକଙ୍କୁ ବସତି ଠାରୁ ପ୍ରାୟ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝଗଡାପଲ୍ଲୀ ନିକଟରେ ପ୍ରତି ପରିବାରକୁ ଏକ ଏକର ଜମି ଦେବାକୁ ସ୍ଥିର ହୋଇଥିଲା। ୪୦ରୁ ଅଧିକ ପରିବାରକୁ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା। ଲୋକେ ସେହିଦିନଠାରୁ ଖଜଣା ଦାଖଲ କରୁଥିଲେ ହେଁ ଜମି ଚିହ୍ନଟ ବର୍ତ୍ତମାନ ସୁଦ୍ଧା ହୋଇପାରିନି। ପ୍ରଥମ ଦଫାରେ ବାଦ ପଡିଥିବା ବହୁ ପରିବାରକୁ ଆଜି ପର୍ଯ୍ୟନ୍ତ ଜମିପଟ୍ଟା ମିଳିନ ନାହିଁ। ଯଦ୍ବାରା ଉଦବାସ୍ତୁମାନେ ଅନିଶ୍ଚିତତା ମଧରେ ଦିନ କାଟୁଛନ୍ତି। ସବୁ ଗ୍ରାମର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୧୦ ମସିହାରେ ଦୁତିକା ସହି ଗ୍ରାମରେ ଗଭୀର ନାଳକୁଅ ଖନନ, ଓଭର ହେଡ ଟ୍ୟାଙ୍କ ନିର୍ମାଣ ସହ ପ୍ରତି ଗ୍ରାମକୁ ପାଇପ ବିଛାଯାଇଇ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରିବାକୁ ହୋଇଥିବା ବ୍ୟବସ୍ଥା ଅଚଳାବସ୍ଥାରେ ରହିଛି।


କୁରେଇଶୁଣି ସୋସାଇଟି ଗଠନ କରାଯାଇ ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ ହୋଇଛି। କିନ୍ତୁ ଲୋକଙ୍କୁ ମାଛ ଧରିବା ତାଲିମ ଦିଆଯାଇନି କି ଡଙ୍ଗା ଯୋଗାଇ ଦିଆଯାଇନି। ପୋଡାଢ଼ିଅ ଗ୍ରାମର କୁରେସୁ ବିଷୋୟୀ ତିତଲିଠାରୁ ଭଙ୍ଗା ଘର ମଧରେ ଦିନ କାଟୁଛନ୍ତି। ତାଙ୍କର ଦୁଇ ପୁଅ ଓ ଝିଅ ଏବେ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲି ଯାଇ ଛନ୍ତି। ସେହିପରି ବତାଢେଇପଡା ଗ୍ରାମର ବିଧବା ମହିଳା ସୁଶିଳା ବଳୀୟ।ରସିଂ ତାଟି ବାନ୍ଧି ଘର ମଧ୍ୟରେ ରହୁଛନ୍ତି। ଗମ୍ଭାରୀଖୋଲ ଲବଙ୍ଗ ଶବରଙ୍କ ସମେତ ଅନ୍ୟ ଗ୍ରାମର ପାଞ୍ଚରୁ ଅଧିକ ବୃଦ୍ଧା ଓ ବିଧବାଙ୍କୁ ଭତ୍ତା ମିଳୁନି। କୁରା ଶବରଙ୍କୁ ପୁରୁଣା ଘରର କ୍ଷତିପୂରଣ ଅର୍ଥ ମିଳିନାହିଁ। ଲୋକଙ୍କ ଜମିକୁ ଜଳସେଚନ ପାଇଁ ପୋଡାଢ଼ିଅ ଗ୍ରାମ ଉପର ଅଂଶରେ ୨୦୦୪ରେ ନିର୍ମାଣ ହୋଇଥବା ଚେକଡ୍ୟାମ ନିର୍ମାଣ ଠାରୁ ଅଚଳ। କେତେକ ଗ୍ରାମର କଂକ୍ରିଟ ରାସ୍ତରୁ ମେଟାଲ ଉଠି ଯାଇଛି। ଏହିସବୁ ଗ୍ରାମର ଉନୟନ କାର୍ଯ୍ୟ ପଞ୍ଚାୟତ ଜରିଆ​‌େ​‌ର କରାଇବାକୁ ଜଳସେଚନ ବିଭାଗ ତରଫରୁ ପ୍ରଶାସନକୁ ବହୁବାର ଅବଗତ କରାଯାଇଛି।

 

Comments are closed.