ଆଗକୁ ମକର : ଧାନ ବିକ୍ରି କରି ନ ପାରି ଚିନ୍ତାରେ ମୟୁରଭଞ୍ଜର ଚାଷୀ

ବଡ଼ସାହି : ଆଗକୁ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲାର ଗଣ ପର୍ବ ମକର। ଗାଁ ଗଣ୍ଡାରେ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ଜିଲାର ଚାଷୀଗଣ ଚିନ୍ତାରେ। ସେମାନଙ୍କର ଉତ୍ପାଦିତ ଧାନ ବିକ୍ରି କରିପାରୁ ନାହାନ୍ତି। ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ଠାରୁ ଅବ୍ୟବସ୍ଥା ପାଇଁ ଚାଷଜମି ଓ ଖଳାରେ ପଡ଼ିରହିଛି ଧାନ। ଗୁରୁବାର ଅଦିନିଆ ବର୍ଷା ଫଳରେ ତାଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଛି। କେହି କେହି ବାଧ୍ୟରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ବେପାରୀଙ୍କ ଦଲାଲଙ୍କୁ କମ୍‍ ଦରରେ ଧାନ ବିକ୍ରି କଲେଣି। କାରଣ ମକର ପର୍ବ ମୟୁରଭଞ୍ଜ ଜିଲାରେ ପ୍ରତି ପରିବାରରେ ପାଳିତ ହୋଇଥାଏ। ପରିବାରର ସମସ୍ତ ସଦସ୍ୟଙ୍କ ନୂତନ ବସ୍ତ୍ର ସହିତ ବନ୍ଧୁମିଳନରେ ପିଠାପଣା ଓ ମାଂସ ପ୍ରତି ଘରେ ହୋଇଥାଏ। ୩/୪ଦିନ ଧରି ଉତ୍ସବ ପାଳନ ଏଠି ଅବାହମାନ କାଳରୁ ପ୍ରଚଳିତ। ସମସ୍ତ ପୁଞ୍ଜି ବିନିଯୋଗ ସାଙ୍ଗକୁ ଧାର କରଜ କରି ଧାନଚାଷ କରିଥିବା ଚାଷୀ ଫସଲ ଅମଳ ପରେ ମକରକୁ ଆଖିରେ ରଖି ବିକ୍ରିବଟା କରିଥାଏ। ପରନ୍ତୁ ଚଳିତ ବର୍ଷ ଅଦିନିଆ ବୁଲବୁଲ ପାଇଁ ଜମିରେ ପାଣି ରହିବାରୁ ଫସଲ ଅମଳରେ ବହୁ ଖର୍ଚ୍ଚାନ୍ତ ହୋଇଛନ୍ତି। କିଛି ବର୍ଷ ଧରି ଅମଳ ଧାନ ସଙ୍ଗେସଙ୍ଗେ ବିକ୍ରି କରୁଥିବାରୁ ଚାଷୀ ଘରେ ଅମାର, ଡୁଲି ଆଦି ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ନାହିଁ। ଯାହା ଫଳରେ ବୁରାରେ ଧାନ ଭର୍ତ୍ତି କରି ଚାଷୀ ଚାଷଜମି, ଖଳା ବା ଘର ପିଣ୍ଡାରେ ରଖି ସରକାରୀ ଧାନମଣ୍ଡିକୁ ଅନାଇ ବସିଛି।

ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୨୦୧୯-୨୦ ଖରିଫ ବର୍ଷରେ ସାଧାରଣ କିସମର ଧାନ ଓ ଗ୍ରେଡ଼ ଏ ଧାନ ଯଥାକ୍ରମେ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଓ ୧୮୩୫ଟଙ୍କା ଧାର୍ଯ୍ୟ ହୋଇଛି। ଧାନ ବିକ୍ରି ପାଇଁ ମୟୂରଭଞ୍ଜ ଜିଲାରେ ମୋଟ ୪୦ହଜାର ୫୮୩ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ରାଜ୍ୟ ସରକାର ଏହି ଜିଲା ପାଇଁ ଖରିଫ ବର୍ଷରେ ୯ ଲକ୍ଷ ୯୧ହଜାର ୧୭୬ କୁଇଣ୍ଟାଲ ଧାନ କିଣିବା ପାଇଁ ୫୨ଟି ଲ୍ୟାମ୍ପ୍ସର ୯୮ଟି ଧାନକ୍ରୟ କେନ୍ଦ୍ର ନିରୁପଣ କରିଛନ୍ତି। ରାଜ୍ୟରେ ନଭେମ୍ବର ୧୫ରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲାରେ ଗତ ୧୭ତାରିଖରୁ ଧାନକ୍ରୟ ନେଇ ଡ଼ିଏଲପିସି ବୈଠକରେ ସ୍ଥିରିକୃତ ହୋଇଥଲା। ତେବେ ପ୍ରଥମ ପର୍ଯ୍ୟାୟରେ ୪୪ଟି କେନ୍ଦ୍ର ପାଇଁ ଯୋଗାଣ ବିଭାଗରୁ ଆଲଟମେଣ୍ଟ ଆସିଥିବା ବେଳେ ବଡ଼ସାହି କେନ୍ଦ୍ରକୁ ଛାଡ଼ିଦେଲେ ୨୬ତାରିଖ ଶୁକ୍ରବାର ସୁଦ୍ଧା ୪୩ଟି କେନ୍ଦ୍ରରେ ଧାନ କିଣା ଆରମ୍ଭ ହୋଇଛି। ବାକି ୫୪ଟି କ୍ରୟ କେନ୍ଦ୍ର ପାଇଁ ଯୋଗାଣ ବିଭାଗରୁ ଆଲଟମେଣ୍ଟ ଆସିଲେ ଜାନୁଆରୀ ୨୦ ତାରିଖରୁ ଧାନ କିଣାଯିବ ବୋଲି ଡ଼ିଆରସିଏସ ଦମୟନ୍ତୀ ସିଂ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପ୍ରଥମତଃ ଜିଲାରେ ବାକି ଥିବା ୫୪ଟି କେନ୍ଦ୍ରରେ ମକର ପୂର୍ବରୁ ଧାନ କିଣା ଯିବନାହିଁ। ଦ୍ୱିତୀୟରେ ଗତ ଖରିଫ ବର୍ଷରେ ଜିଲାରେ ୧୪ଲକ୍ଷ ୧୫ହଜାର ୮୪୬ କୁଇଣ୍ଟାଲ ଧାନ ସରକାରୀ ମଣ୍ଡିରେ କିଣାଯାଇଥିବା ବେଳେ ଚଳିତ ଥର ଧାର୍ଯ୍ୟ ୪ଲକ୍ଷ ୨୪ହଜାର ୬୭୦କୁଇଣ୍ଟାଲ କମ୍‍ ଥିବାରୁ ଅନେକ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ। ଯାହାକୁ କେନ୍ଦ୍ର କରି ଜିଲାର ଧାନ ଚାଷୀ ମକର ପାଳିବା ଦୂରରେ ଥାଉ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି କରିବା ତାଙ୍କ ସ୍ୱପ୍ନ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ କ୍ରୟ ଧାନର ପରିମାଣ ବୃଦ୍ଧି ସାଙ୍ଗକୁ ମକର ପୂର୍ବରୁ ସମସ୍ତ ଧାନକ୍ରୟ କେନ୍ଦ୍ର ଖୋଲିବାକୁ ଚାଷୀ ମହଲରେ ଦାବି ହେଉଛି।

Comments are closed.