ମହିଳା ଆରଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଅଞ୍ଚଳରେ ଜଣେ ମହିଳା ଆରଆଇଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବଡ଼ସାହି ପୁଲିସ୍‍ ଜଣେ ବାଲିଘାଟ ଲିଜଧାରୀଙ୍କୁ ଗତ ଗୁରୁବାର କୋର୍ଟଚାଲାଣ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ଯିବାକୁ ପଢିଛି। ଅଭିଯୁକ୍ତ ଜଣଙ୍କ ହେଲେ ବେଲପାଳ ଗ୍ରାମର ସୁଶାନ୍ତ ନାୟକ(୪୮)। ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ କୁରାଢିହା ରାଜସ୍ୱ ନୀରିକ୍ଷିକା ମମତା ଗିରିଙ୍କ ଅଭିଯୋଗ କ୍ରମେ ପୁଲିସ୍‍ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଜାତିଆଣ ଗାଳିଗୁଲଜ, ଅସଦାଚରଣ ଓ ହତ୍ୟା ଉଦ୍ୟମ ଦଫା କ୍ରମେ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଅଭିଯୋଗରୁ ପ୍ରକାଶ ଯେ, ମହିଳା ଆରଆଇ ଜଣଙ୍କ କୁଳିଅଣା ଗ୍ରାମକୁ ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ବୁଢ଼ାବଳଙ୍ଗ ନଦୀରୁ ବାଲି ଚାଲାଣ ହେଉଥିବା ଦେଖି ଗାଡ଼ି ଅଟକାଇଥିଲେ। ନଦୀର ଉପରପାର୍ଶ୍ବ ବାଗୁଲି ହୋଇଥିବା ବେଳେ ତାହା ଦୁର୍ଗାପୁର ରାଜସ୍ୱ ସର୍କଲ ଅଧୀନରେ ରହିଛି। ତେବେ ସୀମାଲଂଘନ କରି ଲିଜଧାରୀ କୁଆଡ଼େ କୁରାଢିହା ସର୍କଲର କୁଳିଅଣା ସୀମାରୁ ବାଲି ଉତ୍ତୋଳନ କରୁଥିବା ନେଇ ଆରଆଇ ଜାଣି ତଦନ୍ତରେ ଯାଇଥିବାରୁ ଅଭିଯୁକ୍ତ ତାଙ୍କ ସ୍କୁଟିରୁ ଚାବିକାଠି କାଢିନେଇ ଅଟକ ରଖିବା ସହିତ ଗାଳିଗୁଳଜ କରିଥିଲେ। ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ା ଖବର ପାଇ ଲିଜଧାରୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଡ଼ାକିବାରୁ ସେ ଆରଆଇଙ୍କୁ ଛାଡ଼ି ଦେଇଥିଲେ। ପରେ ଆରଆଇ ଘଟଣା ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ଜଣାଇବା ପରେ ବିଭାଗ ପକ୍ଷରୁ ବଡ଼ସାହି ଥାନାକୁ ଅବଗତ କରାଯାଇଥିଲା। ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳା ଆରଆଇ ସମସ୍ତ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ ତଦନ୍ତ ପୂର୍ବକ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ମହିଳା ଆରଆଇଙ୍କୁ ଅଟକ ରଖିବା ସମୟର ୨ଟି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ୧୦ମିନିଟର ଦୃଶ୍ୟ ଥିବା ବେଳେ ଅନ୍ୟଟି ୫ମିନିଟର ରହିଛି। କୁରାଢିହା ସର୍କଲ ଅଧୀନ ଡ଼ିଙ୍ଗିରା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିଲେ ହେଁ ଆରଆଇ ତା’ର ତଦନ୍ତ ନକରି ବାଗୁଲି ଘାଟକୁ କ’ଣ ପାଇଁ ଆସିଥିବା ନେଇ ଲିଜଧାରୀ ପ୍ରଶ୍ନ କରୁଛନ୍ତି। ଉକ୍ତ ବାଲିଘାଟରୁ ଉତ୍କୋଚ ନେଇଥିବା ବେଳେ ତାଙ୍କୁ ମଧ୍ୟ ଉତ୍କୋଚ ମାଗିବା ସମ୍ପର୍କରେ ଲିଜଧାରୀ ସୁଶାନ୍ତ କହୁଥିବା ବେଳେ ମନଗଢ଼ା କାହାଣୀ ରଚନା କରି ଭିଡ଼ିଓ ରେକଡ଼ିଂ କରି କିଛି କରିପାରବନି ବୋଲି ମହିଳା ଆରଆଇ ଜଣଙ୍କ ଜବାବ ଦେଉଥିବା ଦୃଶ୍ୟ ଚର୍ଚ୍ଚା ହେଉଛି।

ପ୍ରକାଶ ଥାଉ କି, ୨୦୧୭ ମସିହାରେ ବାଲିଚାଲାଣ ଘଟଣାରେ ଜଣେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଲିଜଧାରୀ ଓ ତାଙ୍କ ଭାଇ ଉଚ୍ଚନ୍ୟାୟାଳୟରୁ ଜାମିନରେ ଆସିଥିବା ବେଳେ ୩ମାସ ପୂର୍ବେ ବଡ଼ସାହି ପୂର୍ବତନ ଆଇଆଇସିଙ୍କ ବିବାଦୀୟ ଭିଡ଼ିଓ ଭାଇରାଲ କରିବା ପରେ ଏସ୍‍ପି ସମ୍ପୃକ୍ତ ଆଇଆଇସିଙ୍କୁ ମୁଖ୍ୟାଳୟକୁ ପ୍ରତ୍ୟାହୃତ କରିଥିଲେ। ୭ବର୍ଷ ପୂର୍ବେ ବେଲପାଳ ବାଲିଖାଦାନକୁ ଖବର ସଂଗ୍ରହ ପାଇଁ ଆସିଥିବା ବେତନଟୀର ୨ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ଘଟଣାରେ ସେ ଜଡ଼ିତ ଥିବା ସହିତ ଅଭିଯୁକ୍ତ ଜଣଙ୍କ ୭ରୁ ଊର୍ଦ୍ଧ୍ବ ମାମଲାରେ ଜଡ଼ିତ ଥାଇ ହାଜତ ଯାଇଥିବା ନେଇ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

Comments are closed.