ପ୍ରସିଦ୍ଧ ମା’ହିଙ୍ଗୁଳାଙ୍କ ମେଳାରେ ବିପୁଳ ଭକ୍ତ ସମାଗମ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ନିକଟ କଉଡ଼ିଖଣି ଶାଳ ଜଙ୍ଗଲରେ ପୂଜା ପାଉଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ/ବଡ଼ ପୂଜା ମେଳାରେ ମଙ୍ଗଳବାର ବିପୁଳ ଭକ୍ତଙ୍କ ସମାଗମ ହୋଇଅଛି। ହିଙ୍ଗୁଳା ସୁରକ୍ଷା ଟ୍ରଷ୍ଟ ଓ ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ବାର୍ଷିକ ପୂଜା ବା ମେଳା ପୂର୍ବରୁ ଗୋଟିଏ ଦିନ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଠାରୁ ୪ଦିନ ମେଳା ଆରମ୍ଭ ହୋଇଛି। ୮ତାରିଖ ଶନିବାରରେ ଅଗ୍ନି ଉତ୍ସବ ପୂର୍ଣ୍ଣିମା ସନ୍ଧ୍ୟାରେ ଅଧିବାସ ଅଙ୍କୁରାରୋପଣ ହୋଇ ରବିବାର ଓ ସୋମବାର ଦୁଇଦିନ ମା’ଙ୍କ ଅଭିଷେକ, ଷୋଡ଼ଶୋପଚାର ପୂଜା, ଚଣ୍ଡୀପାଠ ସହିତ ଯଜ୍ଞ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ବଡ଼ପୂଜା ଦିନ ପ୍ରତ୍ୟୁଷ ୪ଘଟିକା ୪୫ମିନିଟରେ ମଙ୍ଗଳ ଆଳତୀ ହୋଇଥିବା ବେଳେ ମା’ଙ୍କ ମହାସ୍ନାନ ୫ଟା ୧୫ମିନିଟରେ, ବେଶ ଓ ସୂର୍ଯ୍ୟପୂଜା ୬ଘଟିକାରେ ଅନୁଷ୍ଠିତ ହେବା ପରେ ୭ଘଟିକା ପାଖରୁ ସର୍ବସାଧାରଣ ଦର୍ଶନ ଓ ଷୋଡ଼ଶ ଉପଚାର ପୂଜା ତଥା ଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହୋଇ ଦିନ ତମାମ ଚାଲିଥିଲା। ଅପରାହ୍ଣ ୪ଟା ୩୦ମିନିଟରେ ମା’ଙ୍କ ଚଳନ୍ତି ବିଗ୍ରହ, ପାର୍ଶ୍ବ ଦେବାଦେବୀଙ୍କ ସହିତ ଯଜ୍ଞକୁଣ୍ଡକୁ ବିଜେ କରିବା ପରେ ବିଶାଳ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ପୂର୍ବକ ପୂର୍ଣ୍ଣାହୂତୀ ହୋଇଥିଲା। ପୂର୍ଣ୍ଣାହୂତୀ ପରେ ଅଗ୍ନି ଆଳତୀ ଉଭୟ ମନ୍ଦିର ଓ ଯଜ୍ଞକୁଣ୍ଡ ନିକଟରେ ଅନୁଷ୍ଠିତ ହେବା ସାଙ୍ଗକୁ ରାତିଭୋଗ, ଆଳତୀ ଓ ପୋହଡ଼ ୯ଟା ୩୦ ସମାପନ ହେବ। ମେଳା ୪ଦିନ ଧରି ବସିଥିଲେ ହେଁ ପ୍ରତିକୂଳ ପାଗ ପାଇଁ ଶନିବାର ଭକ୍ତଙ୍କ ସଂଖ୍ୟା କମ୍‍ ଥିଲା। ଭିଡ଼ରୁ ରକ୍ଷା ପାଇଁ ରବିବାର ଓ ସୋମବାର ବହୁ ଭକ୍ତ ମା’ଙ୍କ ଦର୍ଶନ ସହିତ ପୂଜା କରି ସେମାନଙ୍କ ନୈବେଦ୍ୟ ଯଜ୍ଞକୁଣ୍ଡରେ ଅର୍ପଣ କରିଥିଲେ। ମଙ୍ଗଳବାର ବଡ଼ପୂଜା ଦିନ ଅନୁକୂଳ ପାଗ ପାଇଁ ପ୍ରତ୍ୟୁଷରୁ ଭିଡ଼ ଲାଗିଥିଲା। ପୀଠକୁ ସଂଯୋଗ କରୁଥିବା ବେତନଟୀ, ବୈଶିଙ୍ଗା, ଡୁକୁରା, ଖୁଣ୍ଟା, ଉଦଳା ଓ କୁଆମରା ରାସ୍ତାରେ ଯାତ୍ରୀବାହୀ ବସ, ସହସ୍ରାଧିକ ଅଟୋ ଓ ଚାରି ଚକିଆ ଯାନ ସାଙ୍ଗକୁ ଲମ୍ବା ଲାଇନରେ ଦୁଇ ଚକିଆ ଯାନ ଓ ସାଇକେଲରେ ଭକ୍ତଙ୍କ ସୁଅ ଲାଗିଥିଲା। ସମ୍ଭାବ୍ୟ ଭିଡକୁ ଏଡ଼ାଇବା ପାଇଁ ଚାନ୍ଦଡିହା ଓ ସୁହାଗପୁର ଛକ ପାଖରୁ ମେଳା ଭିତରକୁ ସାଇକେଲ ଓ ଯାନବାହାନ ପ୍ରବେଶ ନିଷିଦ୍ଧ କରାଯାଇଥିଲା। ଭକ୍ତମାନେ ସେମାନଙ୍କର ମାନସିକ ପୂଜାନୈବେଦ୍ୟ ସହ ପୀଠରେ ପହଞ୍ଚି ସଙ୍କଳ୍ପ ପୂର୍ବକ ପୂଜା ପରେ ନଡିଆ, କଦଳୀ, ଫଳମୂଳ, ଧୂପ, ଗୁଆ, ସିନ୍ଦୁର, ଘିଅ, ସଳିତା ଓ ନିଜ ଚାଳ ଘରର କୁଟା, ବାଉଁଶ ପ୍ରଥାନୁଯାୟୀ ସ୍ୱତନ୍ତ୍ର ଅଗ୍ନି କୁଣ୍ଡରେ ସମର୍ପଣ କରିଥିଲେ। ସେହିପରି ମାନସିକ ମାଟି ଓ ପିତ୍ତଳରେ ନିର୍ମିତ ଘୋଡା, ବସ୍ତ୍ର, ଅଳଙ୍କାର, ଦାନ ରାଶି ମା’ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପୀଠରେ ଥିବା ସାହାଡା ତଥା ଅନ୍ୟାନ୍ୟ ବୃକ୍ଷରେ ଲକ୍ଷାଧିକ ଭକ୍ତ ସେମାନଙ୍କର ମାନସିକ ବ୍ରତ ବାନ୍ଧିଥିଲେ। ବଳି ପ୍ରଥା ନ ଥିଲେ ହେଁ ଅନେକ ଭକ୍ତ ସେମାନଙ୍କର ମାନସିକ ପାରା, କୁକୁଡା ଓ ବୋଦା ସମର୍ପଣ କରିଥିଲେ। ଛୋଟରୁ ବଡ ଯାଏଁ ଭକ୍ତ ପୀଠରେ ମାନସିକ ବାଳ ପକାଇଥିଲେ। ପରମ୍ପରା ଅନୁଯାୟୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ଭକ୍ତ ମା’ଙ୍କୁ ଦର୍ଶନ ପୂର୍ବକ ପୂଜାସାମଗ୍ରୀ ଯଜ୍ଞକୁଣ୍ଡରେ ଅର୍ପଣ ପରେ ଫେରିଥିଲେ। ପୂର୍ବବର୍ଷ ପରି ମନ୍ଦିରର ଉଭୟ ପାର୍ଶ୍ବରେ ସୁଚିନ୍ତିତ ବ୍ୟାରିକେଟିଂ ଓ ପାରମାଣିକ ଦର୍ଶନ ବ୍ୟବସ୍ଥା ପାଇଁ ଦର୍ଶନାଭିଳାଷୀ ଉପକୃତ ହୋଇଥିଲେ। ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାର କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ମେଳାରେ ଅସ୍ଥାୟୀ କେନ୍ଦ୍ର ଓ ଆଶୁ ଚିକିତ୍ସା ଶିବିରଦ୍ୱାରା ସେବା ଯୋଗାଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ଜୋତା ଷ୍ଟାଣ୍ଡ କରାଯାଇଥିଲା। ବଡ଼ସାହି ବିବେକାନନ୍ଦ ଆବାସିକ ଶିକ୍ଷା କେନ୍ଦ୍ର, ବଡ଼ସାହି ବଣିକ ସଂଘ, ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ସଦସ୍ୟ, ଧର୍ମଜାଗରଣ ସମିତି, ଶ୍ରୀ କଳକୀ ମାନବ ସେବା ସମିତି ପକ୍ଷରୁ ସ୍ୱେଚ୍ଛାସେବୀଗଣ ଯଜ୍ଞକୁଣ୍ଡରେ ପ୍ରଦୁଷିତ ସାମଗ୍ରୀ ଯଥା ପଲିଥିନ, କାଚ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଦ୍ରବ୍ୟ ନିକ୍ଷେପକୁ ରୋକିବା ସହିତ ଭକ୍ତଙ୍କ ଦର୍ଶନରେ ସହଯୋଗ କରିଥିଲେ। ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ୩ଇନିସ୍‍ପେକ୍ଟର, ୩୦ଅଫିସର, ୪ପ୍ଲାଟୁନ ଫୋର୍ସ, କନେଷ୍ଟବଳ ଓ ନକ୍ସଲସେଲରୁ ସାଧା ପୋଷାକଧାରୀ ପୁଲିସ୍‍ ମୁତୟନ ପୂର୍ବକ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ପ୍ରମୁଖ ସ୍ଥାନରେ ୱାଚ୍‍ଟାୱାର ବ୍ୟବସ୍ଥା ହୋଇଥିଲା। ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ବ ଦୋକାନୀ ବିଭିନ୍ନ ସାମଗ୍ରୀର ପସରା ଖୋଲିଥିଲେ। ଭକ୍ତଗଣ ମା’ଙ୍କ ଦର୍ଶନ ସାଙ୍ଗକୁ ଦୋକାନରୁ ଆବଶ୍ୟକ ସାମଗ୍ରୀ କିଣି ଫେରିଥିଲେ। ବାରିପଦା ଓ ବାଲେଶ୍ୱର ଘରୋଇ ବସ୍ ଷ୍ଟାଣ୍ଡରୁ ସ୍ୱତନ୍ତ୍ର ବସ୍‍ସେବା ପାଇଁ ବହୁ ଶ୍ରଦ୍ଧାଳୁ ଉପକୃତ ହୋଇଛନ୍ତି। ପ୍ରବଳ ଭିଡ଼ ପାଇଁ ମେଳାରେ ମୋବାଇଲ ଫୋନ ସମସ୍ତଙ୍କର ଅଚଳ ହୋଇଥିଲା। ଟ୍ରଷ୍ଟର ମୁଖ୍ୟ ସୁନିଲ ଦାଶ ମେଳାରେ ୭ଲକ୍ଷରୁ ଊର୍ଦ୍ଧ୍ବ ଜନ ସମାଗମ ହୋଇଥିବା ପ୍ରକାଶ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମେଳା ସମ୍ପନ୍ନ ସାଙ୍ଗକୁ ପ୍ରଶାସନ ଓ ସମସ୍ତଙ୍କର ସହଯୋଗ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ୫ବର୍ଷ ଧରି ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପରଠାରୁ ସବୁଦିନ ମା’ଙ୍କ ପୂଜାଅର୍ଚ୍ଚନା ଅନୁଷ୍ଠିତ ହେଉଛି। ଅନୁରୂପ ନିକଟସ୍ଥ ଛେଳିଆ ଗ୍ରାମରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ପୀଠରେ ଯଥାରୀତି ପୂଜା କାର୍ଯ୍ୟ ସାଙ୍ଗକୁ ମେଳା ଅନୁଷ୍ଠିତ ହୋଇଯାଇଛି।

Comments are closed.