ଭୀମଦା-ଟିକାୟତପୁର ରାସ୍ତାର ଉଭୟ ପାର୍ଶ୍ବ ଉଚ୍ଛେଦ ଦାବି

ବଡ଼ସାହି : ଭୀମିଦା-ରେମୁଣା ରାସ୍ତାର ଭୀମିଦା ଉଡ଼ାପଦା ଛକ ଠାରୁ ଟିକାୟତପୁର ଗ୍ରାମ ଶେଷ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ଜବରଦଖଲରେ ଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ବଡ଼ସାହି ଓ ବେତନଟୀ ବ୍ଲକର ଜନସାଧାରଣ ବାଲେଶ୍ୱର, ରେମୁଣା, ମିତ୍ରପୁର ଓ ନୀଳଗିରି ଯିବା ପାଇଁ ଏହି ରସ୍ତାକୁ ବ୍ୟବହାର କରିଥାନ୍ତି। ତେବେ ପ୍ରତ୍ୟେକ ଦିନ ବିପରୀତ ଦିଗରୁ ଯାନବାହାନ ମୁହାଁମୁହିଁ ହେଲେ ଗଣ୍ଡଗୋଳର ସୁତ୍ରପାତ ହେଉଛି। ନିର୍ଭରଶୀଳ ଜନସାଧାରଣ ଏଥିପାଇଁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବା ସହିତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଦେଇ ୭/୮ଟି ଯାତ୍ରୀବାହି ବସ ଚଳାଚଳ କରୁଥିବା ବେଳେ ରାସ୍ତାର ସଙ୍କୀର୍ଣ୍ଣତା ପାଇଁ ରତନପୁରରୁ ଆରପଟ୍ଟା ଦେଇ ଚଳାଚଳ କରୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ବର୍ତ୍ତମାନ ଆରଡ଼ି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ପ୍ରଶସ୍ତି ତଥା ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଜବରଦଖଲ ଉଚ୍ଛେଦ ହୋଇନଥିବାରୁ ଠିକାଦାର ଗୋଟିଏ ମୁଣ୍ଡରୁ କାର୍ଯ୍ୟ ଆରମ୍ଭ ନକରି ମଝିରୁ ଆରମ୍ଭ କରିଛନ୍ତି। ଯଥାଶୀଘ୍ର ରାସ୍ତାର ଉଭୟ ପାର୍ଶ୍ବ ତହସିଲଦାରଙ୍କ ଉପସ୍ଥିତିରେ ମପାଯାଇ ଜବରଦଖଲ ଉଚ୍ଛେଦ ପାଇଁ ସୋମବାର ପୂର୍ବାହ୍ଣରେ କେତେକ ଗ୍ରାମବାସୀ ବେତନଟୀ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗପତ୍ରର ନକଲ ଜିଲାପାଳ, ବଡ଼ସାହି ବିଧାୟକ, ଆରଡ଼ି ନିର୍ବାହୀ ଯନ୍ତ୍ରୀଙ୍କ ଗୋଚରାର୍ଥେ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ସରପଞ୍ଚ ମଞ୍ଜୁ ସିଂ, ୱାର୍ଡ଼ ସଭ୍ୟା ଜାନକୀ ପାତ୍ର, ଗ୍ରାମର ଚକ୍ରଧର ମାହାର୍ଣ୍ଣା, ବଳରାମ ମଲ୍ଲିକ, ନିରଞ୍ଜନ ମହାଳିକ, ଜ୍ଞାନରଞ୍ଜନ ମହାଳିକ, ସଦାନନ୍ଦ ବେହେରା, ଦେବେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ବେହେରା, ରବିନ୍ଦ୍ର ପ୍ରଧାନ, ଶତୃଘନ ମଣ୍ଡଳ, ମଦନଗୋପାଳ ମହାନ୍ତ ଓ ଅରୁଣ ବାରିକଙ୍କ ସମେତ ୫୦ରୁ ଊର୍ଦ୍ଧ୍ବଙ୍କ ଦସ୍ତଖତ ରହିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ ପ୍ରଧାନ ଖୁବଶୀଘ୍ର ତହସିଲଦାରଙ୍କୁ ରାସ୍ତାର ଉଭୟ ପାର୍ଶ୍ବ ଦଖଲ ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ଆବେଦନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.