ବେତନଟୀ ବିଦାୟୀ ତହସିଲଦାରଙ୍କ ସହିତ ମୋରମ ଚାଲାଣ ବେପାରୀ ବିବାଦ ଘଟଣା : ଜିଲା ପୁଲିସ ଓ ପ୍ରଶାସନ ପାଇଁ ବଢ଼ିଲା ଅଡୁଆ

ବୈଶିଙ୍ଗା ଥାନା ସମ୍ମୁଖରେ ବିଧାୟକଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାଙ୍କ ଧାରଣା ଚେତାବନୀ

ବଡ଼ସାହି/ବେତନଟୀ : ବେତନଟୀ ବଡ଼ସାହି ତହସିଲ ଅଞ୍ଚଳରୁ ବ୍ୟାପକ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଘଟଣାରେ ବ୍ୟବସାୟୀ ଓ ବିଦାୟୀ ତହସିଲଦାରଙ୍କ ବିବାଦ ଘଟଣା କ୍ରମଶଃ ଜଟିଳ ସ୍ଥିତିକୁ ଯାଉଛି। ବିଜେପି ଦଳ ପକ୍ଷରୁ ପୁଲିସ ଓ ପ୍ରଶାସନକୁ ଦିଆଯାଇଥିବା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅଭିଯୁକ୍ତ ତହସିଲଦାର ଓ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଚୋରାଚାଲାଣରେ ଜଡ଼ିତ ଅଭିଯୁକ୍ତ ମାଫିଆଙ୍କୁ ଗିରଫ କରାଯାଇ ନଥିବାରୁ ବୁଧବାର ପୂର୍ବାହ୍ଣ ୧୦ଟାରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଦଳ କୋଭିଡ଼-୧୯ ନିୟମ ମାନି ଶାନ୍ତିପୂର୍ଣ୍ଣ ଭାବେ ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜଣାପଡ଼ିଛି। ବୈଶିଙ୍ଗା ବିଜେପି ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ ଏ ସମ୍ପର୍କରେ ବୈଶିଙ୍ଗା ଥାନା ଅଧିକାରୀଙ୍କୁ ଲିଖିତ ଅବଗତ କରିଥିବା ନେଇ ନିର୍ବାଚନ ମଣ୍ଡଳୀର ଗଣମାଧ୍ୟମ ସଂଯୋଜକ ଭବାନୀ ଶଙ୍କର ସାହୁ ପ୍ରେସ ବିବୃତ୍ତିରେ ଏହା କହିଛନ୍ତି।

ପ୍ରକାଶ ଥାଉ କି ୨୦ତାରିଖ ଭୋର ସମୟରେ ବଡ଼ସାହିର ଶ୍ରୀକାନ୍ତ ଦାସଙ୍କ ହାଇୱା ମୋରମ ବୋଝେଇ କରି ଚାନ୍ଦିପୁର ଆଟିଆର ଅଭିମୁଖେ ଯାଉଥିବା ବେଳେ ତହସିଲଦାର ଏକ ଘରୋଇ କାରରେ ୪ଜଣଙ୍କ ସହିତ ବୈଶିଙ୍ଗାରେ ପହଞ୍ଚି ଗାଡ଼ି ଅଟକାଇ କୁଆଡ଼େ ଡ୍ରାଇଭର ନିକଟରୁ ଟଙ୍କା ଛଡ଼ାଇନେବା ସହିତ ଗାଡ଼ି ଚାଳକକୁ ମାଡ଼ ମାରିଥିଲେ। ତହସିଲଦାର କାର ଭିତରେ ବସିଥିବା ମହିଳାଙ୍କୁ ଉପଜିଲାପାଳ ଭାବେ ଚିତ୍ରଣ କରି ମୋରମ ଗାଡ଼ିକୁ ଥାନାରେ ଜିମା ଦେଇଥିଲେ। ୨୨ତାରିଖ ଦିନ ଉକ୍ତ ଗାଡ଼ି ବିରୋଧରେ ତହସିଲଦାର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‍ ଏକ ମାମଲା ରୁଜୁ କରିଥିଲା।

ଅନ୍ୟପକ୍ଷରେ ମାମଲା ରଫାଦଫା ପାଇଁ ହୋଇଥିବା ଡ଼ିଲର କଥାବର୍ତ୍ତାର ୪ଟି ଅଡ଼ିଓ ଭାଇରାଲ ହେବା ପରେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହଇଚଇ ହୋଇଥିଲା। ଫଳରେ ମୟୂରଭଞ୍ଜ ଏସପି ଓ ଜିଲାପାଳ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ। ଶ୍ରୀକାନ୍ତ ଦାସଙ୍କ ପ୍ରତି ଅଭିଯୋଗ କ୍ରମେ ପୁଲିସ୍‍ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ ବାଲେଶ୍ୱର କ୍ରାଇମ ଡ଼ିଏସପି ମନୋଜ ରାଉତଙ୍କ ନେତୃତ୍ୱରେ ବେତନଟୀ ଏସଡ଼ିପିଓ, ଆଇଆଇସି ଓ ବୈଶିଙ୍ଗା ଆଇଆଇସି ମିଳିତ ଭାବେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ। ତହସିଲଦାରଙ୍କ ସହିତ ୩ଅଭିଯୁକ୍ତ ଓ ଅନ୍ୟ ଅଟକ ମହିଳାଙ୍କ ବୟାନ ରେକର୍ଡ଼ ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଟକ ମହିଳାଙ୍କୁ ରାଜସାକ୍ଷୀ ରଖି ଛାଡ଼ି ଦିଆଯାଇଛି। ତେବେ ତହସିଲଦାରଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇଥିବା ବେଳେ କ୍ଷମତାର ଅପବ୍ୟବହାର ପାଇଁ ପ୍ରଶାସନିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ କଳାହାଣ୍ଡି ଡ଼େପୁଟି କଲେକ୍ଟର ଭାବେ ବଦଳି ପରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ମଙ୍ଗଳବାର ସନ୍ଧ୍ୟାରେ ତହସିଲଦାର ବ୍ୟବହାର କରିଥିବା ଘରୋଇ କାର ଜବତ କରାଯିବା ସହିତ ତା’ର ମାଲିକଙ୍କ ବୟାନ ସଂଗ୍ରହ କରାଯାଇଛି।

ବାଲେଶ୍ୱର ଦୁମଦା ଗ୍ରାମର ଦଲାଲ ତଥା ମୁଖ୍ୟ ଅଭିଯୁକ୍ତ ଅଭିଜିତ ମହଲ(୩୫)ଙ୍କ ମାଧ୍ୟମରେ ବେତନଟୀ/ବଡ଼ସାହି ତହସିଲ ଅଞ୍ଚଳରୁୁ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଅଭିଜିତ ବ୍ୟବହାର କରୁଥିବା ନାଲିରଙ୍ଗର ଏସୟୂଭି କାରକୁ ପୁଲିସ୍‍ ଜବତ କରିଛି। ଗାଡ଼ିରୁ ତହସିଲଦାରଙ୍କ ସ୍ୱାକ୍ଷର ଥିବା ଟ୍ରାନଜିଟ ଓ ଚାଲାଣ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଯାହାର ଠିକ କି ନୁହେଁ ତଦନ୍ତ ପାଇଁ ପଠାଯାଇଛି। ଭାଇରାଲ ଅଡ଼ିଓର ବର୍ତ୍ତାଳାପର ଫରେନସିକ ପରୀକ୍ଷା ପାଇଁ କଲକାତା ପଠାଯାଇଛି। ଅଭିଜିତ ଜରିଆରେ ବେତନଟୀ ତହସିଲ ଅଧୀନ ଚୁଆପଦା, ମୋହନପୁର, ଭାଲିଆଡ଼ିହ ଓ ଭିତରଶୋଳ ଓ ଭୁଡ଼ୁରବଣିର ସଂରକ୍ଷିତ ଜଙ୍ଗଲ ଓ ଗୋଚର ଜମିରୁ ବ୍ୟାପକ ବେଆଇନ ଖନନ ପୂର୍ବକ ମୋରମ ଚୋରାଚାଲାଣ ହୋଇଛି। ଯାହାର କ୍ରାଇମବ୍ରାଞ୍ଜ ତଦନ୍ତ ପାଇଁ ବିଜେପି ପକ୍ଷରୁ ଦାବି କରାଯିବା ସହିତ ଘଟଣାରେ ଜଡ଼ିତ ସମସ୍ତଙ୍କୁ ଓ ତହସିଲଦାରଙ୍କୁ ଗିରଫ ପାଇଁ ବିଧାୟକ ଜିଦ୍‍ ଧରିଛନ୍ତି।

ଅନ୍ୟପକ୍ଷରେ ତହସିଲଦାରଙ୍କ ଅଭିଯୋଗ କ୍ରମେ ରୁଜୁ ମାମଲାର ଅଗ୍ରଗତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋରମ ଚାଲାଣ ପାଇଁ ଉଦ୍ଦିଷ୍ଟ ପରମିଟ ଠିକ ନଥିବା, ଅଭିଯୋଗରେ ଉଲ୍ଲେଖ ୨ୟ ଡ଼ମ୍ପର ଥାନା ଠାରୁ ଅନତି ଦୂରରେ ୮୦୦ସିପ୍ଟର ମୋରମ ଖାଲି କରିଥିଲେ ହେଁ ମୋରମ ଜବତ କରାନଯିବା ଏବଂ ଏହି ୨ୟ ଡ଼ମ୍ପରର ପରମିଟ ଠାରୁ ଆରମ୍ଭ କରି ବୀମାର ସମୟସୀମା ଶେଷ ହୋଇଥିଲେ ହେଁ ଘଟଣାର ଏକ ସପ୍ତାହ ପରେ ମଧ୍ୟ ସେହି ଡ଼ମ୍ପର ଜବତ ତଥା ଚାଳକ ଗିରଫ ନହେବା ପୁଲିସର ସ୍ୱଚ୍ଛ ତଦନ୍ତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଦଳପକ୍ଷରୁ ନିର୍ବାଚନ ମଣ୍ଡଳୀରେ ଥିବା ବାଲି ଓ ମୋରମ ଖାଦାନ(ସୈରାତ)ର ଲିଜଧାରୀଙ୍କ ନାମ , ନିଲାମ ତଥା ଦାଖଲ ଅର୍ଥରାଶି ଓ ଲୁଟକୁ ରୋକିବା ନେଇ ହୋଇଥିବା ଜୋରିମାନାର ସମସ୍ତ ବିବରଣୀ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଛି। ଜିଲା ଅତିରିକ୍ତ ଜିଲାପାଳଙ୍କ ଠାରୁ ଏହି ବିବରଣୀ ସଂଗ୍ରହ କରାଯାଇଛି। ଯାହାକି ଧାରଣା ପରେ ସର୍ବସାଧାଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ବିଧାୟକ ସନାତନ ବିଜୁଳି ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ରୋକିବା ପାଇଁ ବିଧାନସଭାରେ ସ୍ୱରଉତ୍ତୋଳନ କରିଥିବା ସହିତ ୨୪ତାରିଖ ବୈଶିଙ୍ଗା ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିଜ ତଥା ଦଳର ଆଭିମୁଖ୍ୟ ପ୍ରକାଶ କରିଥିଲେ। ପୁଲିସ ଓ ପ୍ରଶାସନକୁ ଦିଆଯାଇଥିବା ସମୟ ସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଦଳ ପକ୍ଷରୁ ଧାରଣା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦର୍ଶାଯାଇଛି।

Comments are closed.