ଚଳିତ ବର୍ଷଠୁ ୩ ଦିନ ଧରି ପାଳିତ ହେବ ମା ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ

ବଡ଼ସାହି:ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୂରଭଞ୍ଜ ଜିଲା ବଡ଼ସାହି ନିକଟ ସୁହାଗପୁର-କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଚଳିତ ଥର ଠାରୁ ୩ଦିନ ଧରି ପାଳିତ ହେବ ବୋଲି ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ପ୍ରଥମେ ପଡୁଥିବା ମଙ୍ଗଳବାର କିମ୍ବା ଶନିବାରରେ ଗୋଟିଏ ଦିନ ପାଇଁ ଉତ୍ସବ ବା ମେଳା ଅନୁଷ୍ଠିତ ହେଉଥିଲା। ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ୬/୭ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ସବକୁ ୩ଦିନ ପାଳନ କରାଯିବା ନେଇ ସର୍ବ ସମ୍ମତି ନିଷ୍ପତ୍ତି ଗୃହୀତ ହୋଇଛି। ଏନେଇ ମନ୍ଦିର ପରିଚାଳନା ଟ୍ରଷ୍ଟର ଦେବନୀତି ବୈଠକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଥାଉ କି, ମା’ଙ୍କ ଏକଦିବସୀୟ ବାର୍ଷିକ ତଥା ବଡ଼ପୂଜାକୁ ୩/୪ଦିନ ବଢ଼ାଇବାକୁ ବର୍ଷବର୍ଷ ଧରି ଭକ୍ତଙ୍କ ଯେଉଁ ଆବେଦନ ଥିଲା, ଦିନିକିଆ ମେଳାର ଭିଡ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଅଣାୟତ୍ତ ହେଉଥିବାରୁ ଚଳିତ ଥର ଠାରୁ ତାହା ଶୃଙ୍ଖଳିତ ହୋଇପାରିବ ବୋଲି ସବୁ ମହଲରେ ମତପ୍ରକାଶ ପାଇଛି। ମହାଯଜ୍ଞ ୩ଦିନ ବୃଦ୍ଧି ହୋଇ ଥିବାରୁ ମାନସିକ ରଖିଥିବା ଭକ୍ତ ଶୃଙ୍ଖଳିତ ଭାବରେ ଧାଡ଼ିରେ ଯାଇ ଦର୍ଶନ କରିବେ।

Comments are closed.