ବଡ଼ସାହିରେ ୪ଟି ସ୍କ୍ୱାଡ୍ ଟିମ ଦ୍ୱାରା ତଦାରଖ ଆରମ୍ଭ, ନଜରରେ ବାହାର ରାଜ୍ୟରୁ ଫେରିଥିବା ଶତାଧିକ ବ୍ୟକ୍ତି 

୨ ବିଦେଶ ଫେରନ୍ତା ସଙ୍ଗରୋଧରୁ ମୁକ୍ତ

ବଡ଼ସାହି : ମହାମାରୀ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ବଡ଼ସାହି ବ୍ଲକରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ୩୦ଟି ପଞ୍ଚାୟତରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥାକୁ ପରିଚାଳନା ଓ ତଦାରଖ ପାଇଁ ୪ଟି ସ୍କ୍ୱାଡ୍ ଗଠନ କରାଯାଇଛି। ବିଡ଼ିଓ ଦିଲ୍ଲିପ କୁମାର ମହାରଣା ଓ ଆଇଆଇସି ଜୟନ୍ତ କୁମାର ବେହେରା, ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ା, ସିଡ଼ିପିଓ କୁନ୍ତିମଣୀ ପାତ୍ର ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ବେଣୁଧର ସାହୁ ଟିମ ଗୁଡ଼ିକର ନେତୃତ୍ୱ ନେଉଛନ୍ତି। ପିଆରଆଇ ମେମ୍ବର, ସିଆରସିସି/ଶିକ୍ଷକ, ପଞ୍ଚାୟତରାଜ ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ଏହି ଟିମର ସଦସ୍ୟ ଭାବେ ସହଯୋଗ କରୁଛନ୍ତି।

ବଡ଼ସାହି ବ୍ଲକରେ କରୋନା ମହାମାରୀ ରୂପ ନେବାକୁ ନଦେବା ପାଇଁ ଏହି ସଦସ୍ୟ ଶପଥ ନେବା ସହିତ ସମସ୍ତ ବ୍ଲକବାସୀ ଶପଥ ନେବାକୁ ଆଇଆଇସି ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ସଙ୍ଗରୋଧରେ ଥିବା ଜଣେ ମହିଳାଙ୍କୁ ମିଶାଇ ୨ଜଣ ବିଦେଶ ଫେରନ୍ତାଙ୍କ ୧୪ଦିନ ଅତିକ୍ରାନ୍ତ ହୋଇଥିବାରୁ ସେମାନେ ମୁକ୍ତ ହୋଇଛନ୍ତି। ସେହିପରି ବିଭିନ୍ନ ପଞ୍ଚାୟତର ଶତାଧିକ ବ୍ୟକ୍ତି ବାହାର ରାଜ୍ୟରୁ ଘରକୁ ଫେରିଥିବା ବେଳେ ସେମାନେ ପ୍ରଶାସନ ନଜରରେ ରହିଛନ୍ତି। ତଦାରଖ ଟିମର ସଦସ୍ୟ ସେମାନଙ୍କ ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରତ୍ୟେହ ରିପୋର୍ଟ ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ସମ୍ଭାବ୍ୟ ସଂକ୍ରମଣ ବ୍ୟବସ୍ଥାରୁ ବର୍ତ୍ତିବା ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟଶିବିର ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଜଣେ ଲେଖାଏଁ ନୋଡ଼ାଲ ଅଫିସର ନିଯୁକ୍ତ ଅଛନ୍ତି। ସେହିପରି ବଡ଼ସାହି, ମାଣତ୍ର୍ରୀ, ଦେଉଳିଆ, ସାନକେରୋକ, ଶାକୁଆ ଓ କମଳାଶୋଳ ଡ଼ାକ୍ତରଖାନାରେ ସ୍ୱତନ୍ତ୍ର ପ୍ରକୋଷ୍ଠ ପ୍ରସ୍ତୁତ ସରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ଜରୁରୀ କାଳୀନ ଔଷଧ ମହଜୁଦ ଓ ବ୍ୟବସ୍ଥା ସଜାଗ ରଖାଯାଇଛି ବୋଲି ଭାରପ୍ରାପ୍ତ ଗୋଷ୍ଠୀ ଚିକତ୍ସାଧିକାରୀ ସଞ୍ଜିବ କୁମାର ବୋଇତି କହିଛନ୍ତି।

୨୪ତାରିଖ ମଙ୍ଗଳବାର ଠାରୁ କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି ନିୟମ ଓ ସତର୍କତା ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ। ଅମାନ୍ୟକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଓ ଆଇଆଇସି କହିଛନ୍ତି। ଖଟି, ପାନ, ଚା’ଦୋକାନ, ସେଲୁନ, ଜଳଖିଆ ଦୋକାନ, ଏଟିଏମ, ବ୍ୟାଙ୍କ, ଠିପି ବନ୍ଦ ବିଦେଶୀ ହାଟ ତଥା ବିଶେଷ ଭାବେ ୭ଜଣରୁ ଊର୍ଦ୍ଧ୍ବ ସମାଗମ ସ୍ଥାନ ଉପରେ ନଜର ଦିଆଯିବ ବୋଲି ଉଭୟ ପ୍ରକାଶ କରିଛନ୍ତି। କୌଣସି କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ଜନସାଧାରଣ ସେମାନଙ୍କୁ ସଚେତନ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ଜିଲାପରିଷଦ ସଦସ୍ୟ/ସରପଞ୍ଚ/ସମିତିସଭ୍ୟ/ୱାର୍ଡ଼ସଭ୍ୟ/ଆଶା/ଅଙ୍ଗନବାଡ଼ି/ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ବିଡ଼ିଓ ବା ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଭୟ କହିଛନ୍ତି। ମୟୂରଭଞ୍ଜ ଜିଲା ଲକଡ଼ାଉନ ହୋଇ ନଥିଲେ ହେଁ ବାଲେଶ୍ୱର ଓ କେନ୍ଦୁଝର ସହର ଲକ ଡ଼ାଉନ ପାଇଁ ସୋମବାର ସମ୍ପୃକ୍ତ ଅଞ୍ଚଳକୁ ଯାନବାହାନ ଓ ବସ ଚଳାଚଳ ଆଂଶିକ ପ୍ରଭାବିତ ହୋଇଛି।

ସରକାରଙ୍କ ଘୋଷଣା ଅନୁଯାୟୀ ମଙ୍ଗଳବାର ଦିନ ୧୧ଟା ଠାରୁ ବସ ଚଳାଚଳ ବନ୍ଦ ଘୋଷଣା ପାଇଁ ପୂର୍ବାହ୍ଣରେ ଯାତ୍ରା ଆରମ୍ଭ କରୁଥିବା ବସ ଚାଲିବା ସମ୍ଭାବନା ରହିଛି। ଏଣୁ ଯାତ୍ରୀ ମାନେ ଅସୁବିଧାର ସମ୍ମଖୀନ ହେବେ। ସେହିପରି ବଡ଼ସାହି ବ୍ଲକରେ ଥିବା ଆଶ୍ରମ ସ୍କୁଲ ହଷ୍ଟେଲ ଅନ୍ତେବାସୀ ୨୫ତାରିଖ ସନ୍ଧ୍ୟା ପୂର୍ବରୁ ନିଜନିଜ ଅବିଭାବକଙ୍କ ସହିତ ଘରକୁ ଫେରିବେ। ସେମାନଙ୍କୁ ୩ମାସର ଷ୍ଟାଇଫେଣ୍ଟ ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଭାରପ୍ରାପ୍ତ ଡ଼ବ୍ଲୁଇଓ ବାନାମ୍ବର ମଲ୍ଲିକ କହିଛନ୍ତି। ବ୍ଲକର ଭତ୍ତା ଓ ରାସନ ହିତାଧିକାରୀଙ୍କୁ ପ୍ରର୍ଯ୍ୟାୟ କ୍ରମେ ଯଥାଶୀଘ୍ର ସହାୟତା ରାଶି ଓ ସାମଗ୍ରୀ ପ୍ରଶାସନ ପ୍ରଦାନକରିବାକୁ ଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କୁ ଶୁଖିଲାଖାଦ୍ୟ ଓ ଅଣ୍ଡା ଘରେଘରେ ପହଞ୍ଚାଇବା ବନ୍ଦବୋସ୍ତ କରାଯାଉଛି ବୋଲି ବିଡ଼ିଓ କହିଛନ୍ତି। ତେବେ ବଡ଼ସାହି ବ୍ଲକରେ କରୋନା ସଂକ୍ରମଣ ଭୟରେ ବଜାରଘାଟ ଗହଳି କମିଛି। ଯାନବାହନ ଚଳାଚଳ ମଧ୍ୟ କମିଥିବା ବେଳେ ସଚେତନ ବ୍ୟକ୍ତି ଆବଶ୍ୟକ ନଥିଲେ ବାହରକୁ ବାହାରୁ ନାହାନ୍ତି। ଦିନମଜୁରିଆ ଓ ବ୍ୟବସାୟୀ ଏଥିପାଇଁ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ସତର୍କତା ଅବଲମ୍ବନ ସହିତ ଜରୁରୀ ନଥିଲେ ଘରୁ ବାହାରକୁ ନଯିବାକୁ ପାଇଁ ବ୍ଲକ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି।

Comments are closed.