ଏଥର ହିଙ୍ଗୁଳା ମେଳା ୪ଦିନ  

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୁରଭଞ୍ଜ ଜିଲା ବଡ଼ସାହି ନିକଟ ସୁହାଗପୁର-କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଚଳିତ ବର୍ଷ ଠାରୁ ୪ଦିନ ଧରି ପାଳିତ ହେବ ବୋଲି ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶଙ୍କ ଜଣାଇଛନ୍ତି। ପୂର୍ବରୁ ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ପ୍ରଥମେ ପଡୁଥିବା ମଙ୍ଗଳବାର କିମ୍ବା ଶନିବାରରେ ଗୋଟିଏ ଦିନ ପାଇଁ ଏହି ମେଳା ଅନୁଷ୍ଠିତ ହେଉଥିଲା। ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ୬/୭ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ସବକୁ ୪ଦିନ ପାଳନ କରାଯିବା ନେଇ ସର୍ବ ସମ୍ମତି ନିଷ୍ପତ୍ତିରେ ଗୃହୀତ ହୋଇଛି। ଏନେଇ ରବିବାର ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ଟ୍ରଷ୍ଟର ବୈଠକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଫେବୃଆରୀ ପହିଲାରୁ ମେଳା ଦୋକାନୀଙ୍କୁ ସ୍ଥାନ ଆବଣ୍ଟନ କରାଯିବ।

ମନ୍ଦିର ଦେବନୀତି ପ୍ରବନ୍ଧକ ଡ଼ା ସନତ କୁମାର ଦାସଙ୍କ ସୂଚନା ଅନୁଯାୟୀ,  ଫେବୃଆରୀ ମାସ ୭ତାରିଖ ଶୁକ୍ରବାର ପୂଜକମାନେ ମା’ଙ୍କ ବିଶାଳ ଅଗ୍ନିକୁଣ୍ଡ ମାର୍ଜନ ସଂସ୍କାର ପରେ ୮ତାରିଖ ପୂର୍ଣ୍ଣିମା ସନ୍ଧ୍ୟାରେ ଅଧିବାସ ଅଙ୍କୁରାରୋପଣ ହୋଇ ରବି ଓ ସୋମବାର ଦୁଇଦିନ ମା’ଙ୍କ ଅଭିଷେକ, ଷୋଡ଼ଶୋପଚାର ପୂଜା, ଚଣ୍ଡୀପାଠ ସହିତ ଯଜ୍ଞ ଅନୁଷ୍ଠିତ ହେବ। ମଙ୍ଗଳବାର ୧୧ତାରିଖ ବଡ଼ପୂଜା ଦିନ ପୂର୍ବ ବର୍ଷ ଭଳି ଭକ୍ତଙ୍କ ସମର୍ପିତ ନୈବେଦରାଶି ପୂର୍ଣ୍ଣ ଅଗ୍ନିକୁଣ୍ଡରେ ଅଗ୍ନି ସଂଯୋଗ ପୂର୍ବକ ପୂର୍ଣ୍ଣାହୂତି ପଡ଼ିବ। ତେବେ ଭକ୍ତମାନେ ଅଗ୍ନିକୁଣ୍ଡ ମାର୍ଜନ ସଂସ୍କାର ପରେ ସେମାନଙ୍କର ନୈବେଦ୍ୟ ପୂର୍ଣ୍ଣିମା ଠାରୁ ସମର୍ପଣ କରିପାରିବେ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ , ମା’ଙ୍କ ଏକଦିବସୀୟ ବାର୍ଷିକ ତଥା ବଡ଼ପୂଜାକୁ ୩/୪ଦିନ ବଢ଼ାଇବାକୁ ବର୍ଷବର୍ଷ ଧରି ଭକ୍ତଙ୍କ ଯେଉଁ ଆବେଦନ ଥିଲା, ତାହାକୁ ମା’ଙ୍କ ଶ୍ରୀଚରଣରେ ନିବେଦନ ପୂର୍ବକ ଗତବର୍ଷ ପରିଚାଳନା ସଭାରେ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ଡ଼ାକବାଜି ଯନ୍ତ୍ର ଦ୍ୱାରେ ମେଳାରେ ଘୋଷଣା କରାଯାଇଥିଲା। ଦିନିକିଆ ମେଳାର ଭିଡ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଅଣାୟତ୍ତ ହେଉଥିବାରୁ ଚଳିତ ଥର ଠାରୁ ତାହା ଶୃଙ୍ଖଳିତ ହୋଇପାରିବ ବୋଲି ସବୁ ମହଲରେ ମତପ୍ରକାଶ ପାଇଛି। ମହାଯଜ୍ଞ ୩ଦିନ ବୃଦ୍ଧି ହୋଇ ଥିବାରୁ ମାନସିକ ରଖିଥିବା ଭକ୍ତ ଶୃଙ୍ଖଳିତ ଭାବରେ ଧାଡ଼ିରେ ଯାଇ ପଲିଥିନ ପରିବର୍ତ୍ତେ ଶାଳପତ୍ର ଠୋଲାରେ ନିଜର ନୈବେଦ୍ୟ ସମର୍ପଣ କରିବେ। ମେଳାରେ ମଧ୍ୟ ପଲିଥିନ ଓ ଥର୍ମକୋଲ ଖଲିଦୋନା, କପ୍‍ ଏବଂ ଗ୍ଲାସ ବ୍ୟବହାରକୁ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.