ପୋତି ହୋଇଯାଉଛି ବୁଢ଼ାବଳଙ୍ଗ ନଦୀ ଶଯ୍ୟା : ବଦଳୁଛି ଗତିପଥ, ୫ଖଣ୍ଡ ଗ୍ରାମ ପ୍ରତି ବିପଦ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ୫ଖଣ୍ଡ ଗ୍ରାମ ବର୍ତ୍ତମାନ ବିପଦରେ। ସମସ୍ତ ଗ୍ରାମ ବୁଢ଼ାବଳଙ୍ଗ ନଦୀ ସଂଲଗ୍ନରେ ଅବସ୍ଥିତ। ନଦୀର ଗତିପଥ ପରିବର୍ତ୍ତନ ସୂଚନା ଏହି ସମ୍ଭାବ୍ୟ ବିପଦର କାରଣ। ନଦୀର ଆସୁକନ୍ଦ ଗ୍ରାମର ବାଙ୍କ କ୍ରମଶଃ ପୋତି ପୋତି ଯାଉଥିବାରୁ ନଦୀଶଯ୍ୟାର ଲମ୍ବ ବର୍ତ୍ତମାନ ୩ଶହ ମିଟରରୁ ୩୦ମିଟରରେ ପହଞ୍ଚିଛି। ଯାହାଫଳରେ ନଦୀଜଳ ନିଷ୍କାସନ ଜନିତ ସମସ୍ୟା ଗତିପଥ ପରିବର୍ତ୍ତନକୁ ସୁହାଉଛି। ଦୀର୍ଘଦିନ ଧରି ଏହି ବାଙ୍କରେ ବାଲିଜମା ହେବା ଫଳରେ ନଦୀଶଯ୍ୟା ସଙ୍କୁଚିତ ହେଉଛି। ଏଣୁ ୨୦୧୩ ମସିହା ଫାଇଲିନ ସମୟର ବନ୍ୟାରେ ପ୍ରଥମ ଥର ପାଇଁ ନଦୀର ଉତ୍ତରପାର୍ଶ୍ବ ପଣ୍ଡୁପାଳ ଗ୍ରାମକୁ ବନ୍ୟାଜଳ ପ୍ରବେଶ କରିଥିଲା। ପୂର୍ବ ଇତିହାସରେ ଏହି ଗ୍ରାମକୁ କେବେ ବି ବନ୍ୟାଜଳ ପ୍ରବେଶର ନଜର ନାହିଁ ବୋଲି କହନ୍ତି ରଙ୍ଗପାଣି ଗ୍ରାମର ଭାଗବତ ସାସମଲ।
ଅନ୍ୟପକ୍ଷରେ ୨ବର୍ଷ ତଳେ ପଣ୍ଡୁପାଳ ନିକଟରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଶେଉଳା ପୋଲ ପାଇଁ ଠିକାଦାର ପଣ୍ଡୁପାଳ ଅସ୍ଥାୟୀ ଘାଟରୁ ବାଲି ଉତ୍ତୋଳନ କରିବା ତଥା ପରବର୍ତ୍ତୀ ସମୟରେ ବଡ଼ସାହି ତହସିଲଦାର ସେହି ଘାଟରୁ ଅସ୍ଥାୟୀ ଅନୁମତିରେ ବାଲି ଉତ୍ତୋଳନ ପାଇଁ ଅନୁମତି ଦେବା ବର୍ତ୍ତମାନ ପଣ୍ଡୁପାଳ, ଆସୁକନ୍ଦ, ରଙ୍ଗପାଣି, କୁଲକୋଠା ଓ ସିଙ୍ଗଳାମୁଣ୍ଡଳି ଗ୍ରାମ ପାଇଁ ବିପଦକୁ ଆମନ୍ତ୍ରଣ କରୁଛି। ସେହପରି ଡ଼ିଙ୍ଗିରା ଘାଟରୁ ମଧ୍ୟ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇଛି। ଦିନରାତି ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯିବା ଫଳରେ ସେହି ସ୍ଥାନରେ ନଦୀଶଯ୍ୟା ଗଭୀର ହୋଇଛି। ଫଳରେ ତଳମୁଣ୍ଡରେ ଥିବା ନଦୀ ବାଙ୍କ ବର୍ତ୍ତମାନ ବାଲିର ପାହାଡ଼ ହୋଇ ରହିଥିବାରୁ ବନ୍ୟା ଆସିଲେ ବିପତ୍ତି ରଚିବ। ଉଦ୍‍ବୃତ୍ତ ବନ୍ୟା ଜଳ ସଙ୍କୁଚିତ ନଦୀଗର୍ଭରେ ନିଷ୍କାସନ ହୋଇ ନପାରି ପଣ୍ଡୁପାଳ ଶେଉଳା ନାଳ ହୋଇ ଉପରୋକ୍ତ ଗ୍ରାମର ଉତ୍ତର ପାର୍ଶ୍ବ ହୋଇ ନୂତନ ଗତିପଥ ସୃଷ୍ଟି କରିବ।
ଜଳସମ୍ପଦ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲାରେ ନଦୀ ଶଯ୍ୟା ଅନୁମତି ନଥିବାରୁ ଜଳ ନିଷ୍କାସନରେ ବାଧକ ସାଜିଥିବା ବାଲିର ପାହାଡ଼ ଖନନ ହୋଇପାରୁ ନାହିଁ। ଅପରପକ୍ଷରେ ରାଜସ୍ୱ ବିଭାଗ ମଧ୍ୟ ଏହି ବାଲି ଶଯ୍ୟାକୁ ଉତ୍ତୋଳନ ପାଇଁ ଅନୁମତି ନଦେଇ ନଦୀର ଉପରମୁଣ୍ଡ ଘାଟରେ ବାଲି ଖନନ ଅନୁମତି ଦେବା ଫଳରେ ଉଭୟ ପାର୍ଶ୍ବବର୍ତ୍ତୀ ଗ୍ରାମ ପ୍ରତି ବିପଦ ନିକଟତର ହେଉଛି। ଆଗାମୀ ଦିନରେ ନଦୀଶଯ୍ୟା ଖନନ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ବୁଢ଼ାବଳଙ୍ଗ ନଦୀ ତା’ର ଗତିପଥ ପରିବର୍ତ୍ତନ ପାଇଁ ୫ଟି ଗ୍ରାମ ପାଇଁ ବିପଦ ରଚିବ ଏଥିରେ ନିସନ୍ଦେହଃ।

Comments are closed.