ବାଲି ଉତ୍ତୋଳନକୁ ବିରୋଧ:ଉଠାଣୀ ନୂଆଗାଁରେ ଉତ୍ତେଜନା

ବଡ଼ସାହି:ନଦୀରୁ ବାଲି ଉତ୍ତୋଳନକୁ ବିରୋଧ କରି ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ଉଠାଣୀନୂଆ ଗ୍ରାମରେ ଲାଗିରହିଥିବା ଜନ ଅସନ୍ତୋଷ ଗୁରୁବାର ତୀବ୍ର ରୂପ ଧାରଣ କରିଛି। ବିରୋଧ ଗ୍ରାମବାସୀ ପରିବାର ସହିତ ବାଲି ଶଯ୍ୟା ଉପରେ ଧାରଣା ଦେବାରୁ ପ୍ରଶାସନ ସେମାନଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଛି।

ପ୍ରକାଶ ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ରାଜସ୍ୱ ବିଭାଗ ପକ୍ଷରୁ ଗ୍ରାମର ବୁଢ଼ାବଳଙ୍ଗ ନଦୀ ବାଲିଘାଟ ନିଲାମ ଦିଆଯାଇଥିଲା। ନୀଳମଣି ବେହେରା ଲିଜ ସୁତ୍ରରେ ଏହି ଘାଟ ନିଲାମ ନେଇ ଇଏମଡ଼ି ଅର୍ଥ ବାବଦକୁ ୫ଲକ୍ଷ ଟଙ୍କା ଜମା କରିଥିଲେ। ଏହା ପରେ ଆଇନ ଅନୁଯାୟୀ ବାର୍ଷିକ ଉତ୍ତୋଳନ ହେବାକୁ ଥିବା ବାଲିର ଧାର୍ୟ୍ୟ ଅର୍ଥ ଜମା ପରେ ଲିଜଧାରୀ ଗୋଟିଏ ବର୍ଷ ବାଲି ଉତ୍ତୋଳନ କରିଥିଲେ। ତେବେ ବାଲି ଉତ୍ତୋଳନ ପାଇଁ ନଦୀ ସଂଲଗ୍ନ କିଛି ପରିବାରଙ୍କ ଘର ଓ ଜମି ନଦୀରେ ଲୀନ ହେବ ଦର୍ଶାଇ କିଛି ଗ୍ରାମବାସୀ ବିରୋଧ କରିବାରୁ ବାଲି ଉତ୍ତୋଳନ ସମ୍ଭବ ହୋଇପାରି ନଥିଲା। ଲିଜଧାରୀ ଏନେଇ ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କୁ ଜଣାଇଥିଲେ।

ତେବେ ପ୍ରଶାସନ ପକ୍ଷରୁ ଲିଜଧାରୀଙ୍କୁ ନ୍ୟାୟ ଦେଇ ପାରି ନଥିଲେ। ନିୟମ ଅନୁଯାୟୀ ପ୍ରତିବର୍ଷ ଅର୍ଥ ଜମା ନକଲେ ଇଏମ୍ଡ଼ି ଜମା ରାଶି ବ୍ୟାଜାପ୍ତ ହେବ ବୋଲି ଲିଜ ଧାରୀଙ୍କୁ ନୋଟିସ ମିଳିବା ପରେ ପୁର୍ନବାର ସେ ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କୁ ବିବାଦ ସମ୍ପର୍କରେ କହିଥିଲେ। ତେବେ ଘଟଣାର ସମସ୍ତ ଦିଗ ତଦନ୍ତ ପରେ ଲିଜଧାରୀ ନିଲାମ ଘାଟରୁ ବାଲି ଉତ୍ତୋଳନ କରିପାରିବେ ବୋଲି ପ୍ରତିଶୃତି ଦେବାରୁ ଚଳିତ ବର୍ଷ ୪ଲକ୍ଷ ୫୦ହଜାର ଟଙ୍କା ବଡ଼ସାହି ତହସିଲରେ ଜମା କରିଥିଲେ। ପରନ୍ତୁ ପୁର୍ନବାର କିଛି ନୈସ୍ତସ୍ୱାର୍ଥ ବ୍ୟକ୍ତି ଲୋକଙ୍କ ମତାଇ ବାଲି ଉତ୍ତୋଳନ କରିବାକୁ ଦେଇନଥିଲେ। ଏନେଇ ବଡ଼ସାହି ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କେସ ନଂ୧୯/୧୮ରେ ଏକ ମାମଲା ରୁଜୁ ହୋଇଛି। ମାମଲା ବିଚାରାଧୀନ ଥିବା ବେଳେ ଲିଜଧାରୀଙ୍କ ବାଲିଉତ୍ତୋଳନ ସମୟ ସରିସରି ଆସୁଥିବାରୁ ସେ ଟଙ୍କା ଫେରସ୍ତ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

ତେବେ ବାଲି ଉତ୍ତୋଳନ ସମୟରେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ଉପୁଜିଲେ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯିବ ପ୍ରତିଶୃତି ମିଳିଥିଲା। ତଦନୁଯାୟୀ ଗୁରୁବାର ବେତନଟୀ ତହସିଲଦାର, ବଡ଼ସାହି ଅତିରିକ୍ତ ତହସିଲଦାର, ବଡ଼ସାହି ଆଇଆଇସି ପୁଲିସ୍ ଫୋର୍ସ ସହିତ ଉଠାଣୀନୂଆଗାଁରେ ଲିଜଧାରୀଙ୍କୁ ସୁରକ୍ଷା ଦେବା ପାଇଁ ପହଞ୍ଚିଥିଲେ। ତେବେ ସମିତିସଭ୍ୟ ତଥା ବଡ଼ସାହି ବ୍ଲକ ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ସରପଞ୍ଚ ମଧୁସୂଦନ ପଣ୍ଡାଙ୍କ ସମେତ ଗ୍ରାମବାସୀ ସେମାନଙ୍କୁ ବିରୋଧ କରି ସ୍ତ୍ରୀ, ପିଲାଛୁଆଙ୍କ ଧରି ନଦୀବାଲିରେ ବସି ସ୍ଳେଗାନ ଦେଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ। ଅଧିକାରୀଙ୍କ ସହିତ ଆଲୋଚନା ପରେ ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିବାରୁ ବାଧ୍ୟ ହୋଇ ସମସ୍ତେ ଫେରିଆସିଥିଲେ।

Comments are closed.