ତାଳପଦାରେ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ବଡ଼ସାହି : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ତାଳପଦା ଠାରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ବେତନଟୀ କୃଷି ଜିଲା ଅଧିକାରୀ ଅନ୍ତର୍ୟ୍ୟାମୀ ମଣ୍ଡଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ମୁଖ୍ୟବକ୍ତା ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ମୟୂରଭଞ୍ଜ ଜିଲା କୃଷି ଅଧିକାରୀ ଦାମଦୋର ସେଠୀ, ଶସ୍ୟ ସଂରକ୍ଷଣ ଅଧିକାରୀ ମନୋଜ ଚାନ୍ଦ ଓ ଶାମାଖୁଣ୍ଟା କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପରିବର୍ତ୍ତିତ ପାଣିପାଗକୁ ଦେଖି ଚାଷୀ ଭାଇମାନେ ଧାନ ବ୍ୟତୀତ ଅଣଧାନ ଚାଷ କରିବା ସହିତ ଗୋ-ପାଳନ, ମତ୍ସ୍ୟ, କୁକୁଡ଼ା, ବତକ ଓ ଘୁଷୁରୀ ଚାଷକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେତନଟୀ ଜିଲା କୃଷି କାର୍ୟ୍ୟାଳୟର ଅଧିକାରୀ, ବଡ଼ସାହି ବ୍ଲକର ପ୍ରାଣୀଚିକିତ୍ସକ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀଗଣ ମେଳାରେ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। କୃଷକଙ୍କ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବା ପରେ ମେଳା ଉଦ୍ଘାଟନ ହୋଇଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ କୃଷକ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶିତ କରିଥିବା ବେଳେ କୃଷି, ଗୋ-ପାଳନ ଓ ମତ୍ସ୍ୟ ତଥା ଅନ୍ୟ ବିଭାଗର ଷ୍ଟଲ ବସିଥିଲା। ସେହିପରି ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ଓ ବିହନ ଷ୍ଟଲ ମଧ୍ୟ ବସିଥିଲା। ବଡ଼ସାହି ଓ ସାନକେରକୋ କୃଷି ଅଧିକାରୀ ରାମକୃଷ୍ଣ ପଣ୍ଡା ଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ମେଳା ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.