ବିପଦ ସଙ୍କୁଳ ଘୋଷିତ ପୋଲରେ ଚାଲିଛି ଭାରୀଯାନ

ବଡ଼ସାହି :  ବିପଦ ସଙ୍କୁଳ ଘୋଷଣା ହୋଇଥିବା ପୋଲରେ ଅବାଧରେ ଚାଲିଛି ଭାରୀଯାନ। ନିଶ୍ଚିତ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ଏହି ପୋଲ ଯେକୌଣସି ମୂହୁର୍ତ୍ତରେ ଭାଙ୍ଗିଗଲେ ବେତନଟୀ-ବଡ଼ସାହି ମଡ଼୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବ। ପୂର୍ତ୍ତବିଭାଗର ଏମଡ଼ିଆର-୧୦୬ନଂ ବେତନଟୀ-ବଡ଼ସାହି ରାସ୍ତାର ୩କିମି ବା ଶଗଡ଼ଭଙ୍ଗା ଛକ ଠାରେ ଏହି ପୋଲ ରହିଛି ।

ଶଗଡ଼ଭଙ୍ଗା ନାଳ ଉପରେ ଥିବା ପୋଲଟିରେ ଫାଟ ଦେଖାଯିବାରୁ ମୟୂରଭଞ୍ଜ (ରାସ୍ତା ଓ ଗୃହ) ବିଭାଜନ ନିର୍ବାହୀ ଯନ୍ତ୍ରୀ ତାକୁ ବର୍ଷକ ତଳେ ବିପଦ ସଙ୍କୁଳ ଘୋଷଣା କରିଛନ୍ତି। ପୋଲ ଉପରେ ୭ଟନରୁ ଅଧିକ ଭାରୀଯାନ ଚଳାଚଳ ନିଷିଦ୍ଧ କରାଯାଇ ଦୁଇ ମୁଣ୍ଡରେ ଫଳକ ଲଗାଯାଇଛି। ଧୀର ଗତିରେ ଯାନବାହାନ ଚଳାଚଳ ପାଇଁ ଉଭୟ ମୁଣ୍ଡରେ ଗତିରୋଧକ ବା ହମ୍ପସ୍‍ ମଧ୍ୟ ନିର୍ମାଣ କରାଯାଇଛି।

ତେବେ ବୁଢ଼ାବଳଙ୍ଗ ନଦୀର ବେଲପାଳ, ଡ଼ିଙ୍ଗିରା, ଆରପଟ୍ଟା, ମାଧପୁର ଓ ହରିପୁର ଆଦି ଘାଟରୁ ବେଆଇନ ଭାବେ ପ୍ରତିଦିନ ହାଇୱା ଦ୍ୱାରା ବେଆଇନ ବାଲି ଚାଲାଣ କରାଯାଉଛି। ଏହି ଭାରୀଯାନ ଗୁଡ଼ିକ ବିପଦ ସଙ୍କୁଳ ପୋଲ ଉପର ଦେଇ ବେତନଟୀ, ବାରିପଦା ଓ ବାଲେଶ୍ୱରକୁ ଚାଲାଣ ହେଉଛି। ଏଥିରେ ଅଙ୍କୁଶ ନଥିବାରୁ ଯେକୌଣସି ସମୟରେ ଭୁଷୁଡ଼ି ପଡ଼ିବା ସମ୍ଭାବନା ରହିଛି। ରାସ୍ତା ପ୍ରଶସ୍ତିକରଣ ସମୟରେ ପୋଲଟି ପ୍ରତି ବିଭାଗ ଦୃଷ୍ଟି ଦେଇନଥିବାରୁ ବର୍ତ୍ତମାନ ନୂତନ ପୋଲ ନିର୍ମାଣ ଜରୁରୀ ହୋଇପଡ଼ିଛି। ଏନେଇ ବିଭାଗର ବେତନଟୀ ସହକାରୀ ଯନ୍ତ୍ରୀ ଗୌରାଙ୍ଗ ଚନ୍ଦ୍ର ମାହାର୍ଣ୍ଣାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ‘ଅର୍ଥାଭାବ ପାଇଁ ନୂତନ ଭାବେ ପୋଲ ନିର୍ମାଣ ଟେଣ୍ଡର ପ୍ରତିବନ୍ଧକ ସାଜିଥିଲା। ୪କୋଟି ୪୪ଲକ୍ଷ ବ୍ୟୟ ଅଟକଳରେ ନୂତନ ପୋଲ ନିର୍ମାଣ ନେଇ ବିଭାଗର ବେତନଟୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କାଗଜପତ୍ର କାର୍ଯ୍ୟ ଶେଷ ହୋଇଛି। ଅର୍ଥ ମଞ୍ଜୁର ହେବା କ୍ଷଣି ଟେଣ୍ଡର ଆହ୍ୱାନ କରାଯିବ’ ବୋଲି ସେ କହିଛନ୍ତି

Comments are closed.