ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ୱାରା ବାଲି ବୋଝେଇ ହାଇୱା ଅଟକ

ବଡ଼ସାହି : ଗାଁ ରାସ୍ତାରେ ଭାରୀଯାନ। ସରକାରୀ ନୀତି ନିୟମକୁ ଫାଙ୍କି ବାଲି ମାଫିଆ ଗାଁ ରାସ୍ତାରେ ଦିନରାତି ବେଫିକର ଭାବେ ଦଶଚକିଆ ହାଇୱାରେ ବାଲି ଚାଲାଣ ସମ୍ପର୍କିତ ଖବର ସୋମବାର ‘ସମାଜ’ରେ ପ୍ରକାଶ ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ମଙ୍ଗଳବାର ଉତ୍ତ୍ୟକ୍ତ ଗ୍ରାମବାସୀ ୩ଟି ବାଲିବୋଝେଇ ହାଇୱା ଅଟକ ରଖିଥିଲେ।

ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକର ବୁଢାବଳଙ୍ଗ ନଦୀର ଡ଼ିଙ୍ଗିରା ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ନିଶ୍ଚିନ୍ତପୁର ଗ୍ରାମ ଦେଇ ଯାଉଥିବା ବେଳେ ମଧ୍ୟାହ୍ଣରେ କୁଳିଅଣା(ବି) ଓ ନିଶ୍ଚିନ୍ତପୁର ଗ୍ରାମର ଜନସାଧାରଣ ଯାନ ଗୁଡ଼ିକୁ ଅଟକ ରଖି ବଡ଼ସାହି ଥାନା ଓ ତହସିଲ କାର୍ୟ୍ୟାଳୟକୁ ଖବର ଦେଇଥିଲେ। ତେବେ ଉଭୟ କାର୍ୟ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ମହିଳା ସବଇନି୍‍ସପେକ୍ଟର ମଞ୍ଜୁଳତା ଧଡ଼ା ଓ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ା ଉଠାଣୀନୂଆଗାଁ ବାଲିଘାଟ ବିବାଦ ସମାଧାନ ପାଇଁ ପୁଲିସ୍‍ ଫୋର୍ସ ସହିତ ଯାଇଥିବାରୁ ଯଥା ସମୟରେ ପହଞ୍ଚି ପାରି ନଥିଲେ। ତେବେ ସନ୍ଧ୍ୟାରେ ଅତିରିକ୍ତ ତହସିଲଦାର ପହଞ୍ଚିବା ବେଳକୁ ବାଲି ଉତ୍ତୋଳନ କରୁଥିବା ଜେସିବି ମେସିନ ଗୁଡ଼ିକୁ ପାଇ ନଥିଲେ। ପ୍ରଶାସନ ଜାଣି ଶୁଣି ଚୋରା ଚାଲାଣକାରୀଙ୍କୁ ସହାୟତା ଦେଉଥିବାରୁ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ନବନିର୍ମିତ ବୁଢ଼ାବଳଙ୍ଗ ସେତୁ ପ୍ରତି ବିପଦ ଦେଖାଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଦିନରାତି ଅବାଧ ଭାରୀଯାନ ଚଳାଚଳ ପାଇଁ ରାସ୍ତାରେ ଲୋକେ ଯା’ଆସ ପାଇଁ ନିରାପଦ ମଣୁନାହାନ୍ତି ବୋଲି ଉତ୍ତେଜିତ ଗ୍ରାମବାସୀ କହିଥିଲେ। ବର୍ଷକୁ ଡିଙ୍ଗିରା ଘାଟରୁ ୨୧ଶହ ସିୟୁଏମ୍‍ ବାଲି ଉତ୍ତୋଳନ ନିୟମ ଥିବାବେଳେ ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ବ ସିଏମ ବାଲି ଉତ୍ତୋଳନ କରାଯାଉଥିବାରୁ ଚୋରି ବାଲିଶଯ୍ୟା ମାପ ପୂର୍ବକ ନଦୀ ଗର୍ଭରୁ ବାଲି ଉତ୍ତୋଳନ କରୁଥିବା ମେସିନ ଜବତ ନକଲେ ଅଟକ ହାଇୱା ଜବତ କରିବାକୁ ଦେବେ ନାହିଁ ବୋଲି ଗ୍ରାମବାସୀ ଅଡିବସିବାରୁ ଅତିରିକ୍ତ ତହସିଲଦାର ଖାଲି ହାତରେ ଫେରିଥିବା ଜଣାପଡ଼ିଛି। ସୂଚନା ଥାଉକି, ବାଲିବୋଝେଇ ଭାରୀଯାନ ଗୁଡ଼ିକ ବେତନଟୀ ଥାନା ଏବଂ ତହସିଲ କାର୍ୟ୍ୟାଳୟ ସମ୍ମୁଖ ଦେଇ ଦିନରାତି ବାରିପଦା ଓ ବାଲେଶ୍ୱର ଚଳାଚଳ କରୁଥିଲେ ହେଁ ପ୍ରଶାସନର ନୀରବତା ସରକାରଙ୍କ ୫-ଟିର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ଲୁଟ୍‍ ଓ ଚୋରା କାରବାରକୁ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ନିକଟରେ ଶେଷ ହୋଇଥିବା ଶୀତକାଳୀନ ବିଧାନସଭାର ୧୫୧୩ନଂ ପ୍ରଶ୍ନରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ବାଲି ଓ ମୋରମ ଚୋରା ଚାଲାଣ ସମ୍ପର୍କିତ କୌଣସି ଖବର ଜିଲା ପ୍ରଶାସନ ନଜରରେ ନାହିଁ ବୋଲି ବିବୃତି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ବଡ଼ସାହିର ଭାରପ୍ରାପ୍ତ ତହସିଲଦାର ପୃଥ୍ୱୀରାଜ ପରିଡାଙ୍କୁ ଏସମ୍ପର୍କରେ ପଚାରିବାରୁ ଚାହିଁବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

Comments are closed.