ନବଗଠିତ ବଡ଼ମ୍ବା ପଞ୍ଚାୟତ ସମିତିର ପ୍ରଥମ ଅଧିବେସନ

ବଡ଼ମ୍ବା : ବନ୍ଦେ ଉତ୍କଳ ଜନନୀ ଗାନ ସହିତ ନବଗଠିତ ବଡ଼ମ୍ବା ପଞ୍ଚାୟତ ସମିତର ପ୍ରଥମ ଅଧିବେସନ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆମନ୍ତ୍ରିତ ତଥା ନବନିର୍ବାଚିତ ସମସ୍ତ ପଞ୍ଚାୟତ ପ୍ରତିନିଧି ଯୋଗଦେଇଥିଲେ। ବିଧାୟକ ଦେବୀପ୍ରସାଦ ମିଶ୍ର ଉକ୍ତ ସଭାରେ ବିଶିଷ୍ଠ ଅତିଥିଭାବେ ଯୋଗଦେଇ ନବାଗତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଛା ଜଣାଇବା ସହ ସେମାନେ ଜନଜଗତର ବିକାଶ ଓ କଲ୍ୟାଣ ଦିଗରେ ସକ୍ରିୟ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ପରେ ପ୍ରଶାସନ ତରଫରୁ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କର।ଯାଇଥିଲା।
ଏହି ବୈଠକରେ ବଡ଼ମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳରଞ୍ଜନ ଆଚାର୍ଯ୍ୟ,ଜିଲାପରିଷଦ ସଦସ୍ୟା ଜୟଶ୍ରୀ ବରାଳ,ନୟନା ସାହୁ,ସଦସ୍ୟ ରବିନ୍ଦ୍ର କୁମାର ସାହୁ,ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା,ସାଂସଦ ପ୍ରତିନିଧି ଦିପକକୁମାର ସାହୁ,ବ୍ଲକ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମ ଅଧିବେସନରେ ମୁଖ୍ୟତଃ ପାନୀୟଜଳ ସମସ୍ୟା ଏବଂ ଉନ୍ନୟନମୁଳକ କାର୍ଯ୍ୟର ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପାନୀୟଜଳ ସମସ୍ୟାର ଦୂରିକରଣ ସମ୍ପର୍କରେ ଜିଲାପରିଷଦ ସଦସ୍ୟ ଶ୍ରୀ ସାହୁ, ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏବଂ ବିଡିଓ ଶ୍ରୀ ଆଚାର୍ଯ୍ୟ ସଭାକୁ ଅବଗତ କରାଇଥିଲେ। ଏନେଇ ବିଭାଗୀୟ ଯନ୍ତ୍ରୀ ସମଗ୍ର ବ୍ଲକର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ବ୍ଲକ ଅନ୍ତର୍ଗତ କୁଅାଁରପାଳ,ବାଙ୍ଗେରିସିଂହା,ନିଜିଗଡ଼ ଅନ୍ତର୍ଗତ ବିଶ୍ୱମ୍ଭରପୁର ଆଦି ଅଞ୍ଚଳରେ ଗ୍ରୀଷ୍ମାବକାଶରେ ଉତ୍କଟ ପାନୀୟଜଳ ସମସ୍ୟା ରହିଥିବା ନେଇ ସଂପୃକ୍ତ ଅଞ୍ଚଳର ଜନପ୍ରତିନିଧି ସଭାକୁ ଅବଗତ କରାଇଥିଲେ। ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ନେବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ସଭା ଅବସରରେ ଡିଜିଟାଲ ସେବା ନେଇ ବ୍ଲକର କିଛି କର୍ମଚାରୀ ଜନପ୍ରତିନିଧିଙ୍କୁ କାର୍ଯ୍ୟ ସମ୍ପାଦନ କରିବା ଦିଗରେ ଉତ୍ତମ ବ୍ୟବହାର ଓ ସହଯୋଗ କରୁନଥିବା ଆପତ୍ତି କରିଥିଲେ।
ଏହାର ଉତ୍ତରରେ ଗୋଷ୍ଠି ଉନ୍ନୟନ ଅଧିକାରୀ କହିଥିଲେ, ଆଗକୁ କିଭଳି ଏହାର ପୁନରାବୃତି ନଘଟିବ ଏବଂ ଉପୁଜୁଥିବା ସମସ୍ୟାର ସରଳିକରଣ କରାଯାଇ ଏକ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ତ୍ୱରିତ ଫାଇଲ କାମ ହେବ ସେ ଉପରେ ପ୍ରାଥମିକତା ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପୁଲିସ,ସ୍ୱାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ ଅଧିକାରୀ ଅନୁଷ୍ଠିତ ବୈଠକରେ ଯୋଗଦେଇନଥିବା ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ତଥା ଜିଲାପ୍ରଶାସନକୁ ଅବଗତ କରାଇବାକୁ ଏକ ପ୍ରସ୍ତାବ ପାରିତ କରିବାକୁ ଜିଲାପରିଷଦ ସଦସ୍ୟ ଶ୍ରୀ ସାହୁ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକ ଜୀବିକା ମିଶନର ପ୍ରକଳ୍ପ ଅଧିକାରୀ ମୋନାଲିସା ତ୍ରିପାଠୀ,ସେକ୍ସନ ଅଧିକାରୀ ସୂର୍ଯ୍ୟନାରାୟଣ ମିଶ୍ର,କମ୍ପ୍ୟୁଟର ପରିଚାଳକ ହରିହର ବାହିନୀପତିଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ସଭା ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମ ପଞ୍ଚାୟତ ଅଧିକାରୀ ନବକିଶୋର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକ ଅଧ୍ୟକ୍ଷ ତଥା ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ ସହ ସମ୍ପନ୍ନ ହୋଇଥିଲା।

Comments are closed.