ଚୋରକୁ କାବୁ କଲେ ସାହାସୀ ଯୁବକ

ବଡ଼ମ୍ବା: ବଡ଼ମ୍ବାରେ ଜଣେ ଅଭ୍ୟାସଗତ ଚୋରକୁ ଚୋରୀ କରୁଥିବା ବେଳେ କାବୁ କରିଛନ୍ତି ଜଣେ ସାହାସି ଯୁବକ। ଘଟଣାଟି ଘଟିଛି ଏହି ବ୍ଲକ ଅନ୍ତର୍ଗତ ସୁନାପାଳ ଗ୍ରାମରେ। ମଙ୍ଗଳବାର ରାତି ପ୍ରାୟ ସାଢେ ୨ଟା ସମୟରେ ସୁନାପାଳ ଗ୍ରାମର ସ୍ୱର୍ଗତ ପଙ୍କଜ ରାଉତଙ୍କ ଘରର କାନ୍ଥ ସିନ୍ଧି (କଣା)କରି ଘରେ ପଶି ଚୋରୀ କରୁଥିଲା ସ୍ଥାନୀୟ ପରଜାପଡ଼ା ପଞ୍ଚାୟତ ପାଟିଆଢିପ ଗ୍ରାମର ସାଧୁଆ ବେହେରା। ନିଦରେ ଶୋଇଥିବା ସଂପୃକ୍ତ ଘରର ମହିଳାଙ୍କ ବେକରୁ ସୁନାଚେନ୍‍ ଚୋରୀ କରିବାକୁ ଉଦ୍ୟମ କରୁଥିବା ସମୟରେ ଘରଲୋକ ଉଠି ପଡ଼ିଥିଲେ। ସେହି ଘରର ପୁଅ ପବିତ୍ରମୋହନ ରାଉତ ଏହି ସମୟରେ ସାହାସ ଜୁଟାଇ ସଂପୃକ୍ତ ଚୋରକୁ ମାଡ଼ି ବସିଥିଲେ।

ଚୋର ପବିତ୍ରଙ୍କୁ ଆଣିଥିବା ଛୁରୀରେ ଆକ୍ରମଣ କରିବା ସହ ମାରଧର କରିଥିଲା। ଉକ୍ତ ସମୟରେ ପାଟିତୁଣ୍ଡ ଶୁଣି ସାହିପଡ଼ିସା ପହଞ୍ଚିଯିବା ଫଳରେ ସଂପୃକ୍ତ ଚୋର ଖସି ପଳାଇବାକୁ ସକ୍ଷମ ହୋଇନଥିଲା। ଯଦିଓ ଏହି ଡକାୟିତି ଉଦ୍ୟମରେ ସାଥୀ ଚୋରମାନେ ଖସି ଯାଇଥିଲେ ତେବେ ଅଭିଯୁକ୍ତ ସାଧୁଆକୁ ଘରଲୋକ କାବୁ କରିଥିଲେ। ଘଟଣାପରେ ଥାନାକୁ ଖବର ଦେବାରେ ପୁଲିସ ଆସି ସିନ୍ଧି ଚୋର ସାଧୁଆକୁ ଘଟଣାସ୍ଥଳରୁ ଗିରଫ କରିଥିଲେ।

Comments are closed.