କରୋନା ଲାଗି ଫିକା ପଡ଼ିଲା ପୁରପଲ୍ଲୀର ପାରମ୍ପରିକ ରାସ ଉତ୍ସବ

ବଡ଼ମ୍ବା : ପବିତ୍ର କାର୍ତ୍ତିକ ପଞ୍ଚକ ଅବସରରେ ବଡ଼ମ୍ବାର ଗୋପପୁର,ଗୋପୀନାଥପୁର,ବନମାଳୀପୁର ସମେତ ପୁରପଲ୍ଲୀରେ ପାରମ୍ପରିକ ରାସ ଉତ୍ସବ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍‍ ରାସପୂର୍ଣ୍ଣିମାରେ ଏହି ଉତ୍ସବ ସମ୍ପନ୍ନ ହୋଇଥାଏ। ତେବେ ମହାମାରୀ କରୋନା ପରିପ୍ରେକ୍ଷୀରେ କୋଭିଡ କଟକଣା ହେତୁ ଚଳିତବର୍ଷ ଏହି ଉତ୍ସବ ଫିକା ପଡ଼ିଥିବା ଲକ୍ଷ କରାଯାଇଛି। ଶତାଦ୍ଦି ପୁରୁଣା ଏହି ପରମ୍ପରାକୁ ପାଥେୟ କରି କେବଳ ବିଧି ରକ୍ଷାରେ ଏହି ଉତ୍ସବ ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଜଣାଯାଇଛି।

ରାସ ବ୍ରତଧାରୀମାନେ ଉପବାସ ପାଳିବାସହ ମହାପ୍ରଭୁ ଶ୍ରୀରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା,ରାସ ସଙ୍ଗୀତ ପାଠରେ ଏହି ଉତ୍ସବ ପାଳିଥିବା ବେଳେ ରାସନୃତ୍ୟ ଚଳିତବର୍ଷ କରାଯାଇନଥିବା ସୂଚନା ମିଳିଛି। ଏହି ବ୍ଲକ ଅନ୍ତର୍ଗତ ଗୋପପୁର ସମେତ ଏହା ସନ୍ନିକଟ ପଙ୍କାଳ,ମାଝିପାଟଣା ଓ ବାଗତୋଟା ସାହି ସମେତ ଗୋପୀନାଥପସ୍ଥିତ ଶ୍ରୀକୃଷ୍ଣ ରାସଲୀଳା ସ୍ୱେଛାସେବୀ ନାଟ୍ୟ ପରିଷଦ ଆନୁକୂଲ୍ୟରେ ରାସଉତ୍ସବ ଯଥାବିଧି ପାଳନ ହୋଇଯାଇଛି। ରାସପୂର୍ଣ୍ଣିମା ଅବସରରେ ଗୋପୀନାଥପୁର ରାସଲୀଳା ପରିଷଦ ତରଫରୁ ଏହାର ନିର୍ଦେଶକ ଗୁରୁ ପ୍ରଫୁଲ୍ଲକୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ କେବଳ ରାସ ସଙ୍ଗୀତ ଓ ଭଜନ ଗାନ କରାଯାଇଥିଲା। ରୋମା ରାମେଶ୍ୱରୀ ଶତପଥୀ,ଶୁଭଲକ୍ଷ୍ମୀ ନାୟକ,ମମତା ରଥ,କୁମୁଦିନୀ ପାଣିଗ୍ରାହୀ,ଅଜେନ୍ଦ୍ରପ୍ରସାଦ ମାନସିଂହ, ସ୍ୱାଧୀନ ନାୟକ,ସତ୍ୟନାରାୟଣ ମଲ୍ଲିକ,ଜୟାନନ୍ଦ ନାୟକ ପ୍ରମୁଖ ଅନୁଷ୍ଠାନର କଳାକାରମାନେ ଶ୍ରୀରାଧାକୃଷ୍ଣ ମନ୍ଦିରରେ ଏହି ସଙ୍ଗୀତ ପରିବେଷଣ କରିଥିଲେ।

Comments are closed.