ସଡ଼କପଥର ଦୁର୍ଘଟଣା ପ୍ରବଣ ସ୍ଥିତି ନେଉଛି ଅକାଳେ ଅନେକ ଜୀବନ

ବଡ଼ମ୍ବା: ସୁରକ୍ଷିତ ଯାତାୟତ ଲାଗି ସୁଗମ ପଥର ଯେତିକି ଆବଶ୍ୟକତା ଅଛି, ରାସ୍ତାର ସୁରକ୍ଷା ନେଇ ମଧ୍ୟ ପ୍ରଶାସନ ତରଫରୁ ନିୟମିତ ଦୃଷ୍ଟି ଦିଆଯିବା ସେତିକି ଜରୁରୀ ମନେ କରାଯାଉଛି। ରାସ୍ତାରେ ନିତିଦିନ ଚଳାଚଳ କରୁଥିବା ଯାନବାହାନର ବହୁଳତାକୁ ନେଇ ରାଜ୍ୟ ସଡ଼କପଥକୁ ପ୍ରଶସ୍ତ କରାଗଲା। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଖୁଣ୍ଟୁଣୀ ଠାରୁ ନରସିଂହପୁର ପର୍ଯ୍ୟନ୍ତ ଥିବା ୬୨ନମ୍ବର ରାଜ୍ୟ ରାଜପଥକୁ ଦୋହରୀକରଣ କରାଯାଇ ଦୁଇଲାଇନ ବିଶିଷ୍ଟ କରାଯାଇଛି। ହେଲେ ବିଡ଼ମ୍ବନା ଆନ୍ତରିକତାର ଅଭାବରୁ ହେଉ କି ବିଭାଗୀୟ କତୃପକ୍ଷଙ୍କ ଅପାରଗତାରୁ ସଂପୃକ୍ତ ରାସ୍ତାର ଅନେକସ୍ଥାନରେ ଦୁର୍ଘଟଣା ପ୍ରବଣ ସ୍ଥିତି ରହିଥିବା ସାଧାରଣରେ ଅଭିଯୋଗ ହୁଏ। ଯାହାଫଳରେ ଚଳିତବର୍ଷ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିବାସହ ବହୁ ମୂଲ୍ୟବାନ ଜୀବନ ଅକାଳରେ ଯାଇଥିବା ଲକ୍ଷ୍ୟ କରାଯାଇଛି।

ଲୋକଙ୍କ ଅଭିଯୋଗରୁ ଜଣାଯାଇଛି ଏହି ରାଜ୍ୟ ସଡ଼କପଥରେ ଯାନବାହାନର ଦ୍ରୁତଗତିକୁ ନିୟନ୍ତ୍ରଣ କରିବା ଲାଗି ଅନେକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଯାବତ୍‍ ହମ୍ପସ କିମ୍ବା ରମ୍ବଲର୍ସ କରାଯାଇନାହିଁ। ସେହିଭଳି ରାସ୍ତାପାର୍ଶ୍ବରେ କରାଯାଇଥିବା ନାଳରେ ମଧ୍ୟ ଏକାଧିକ ସ୍ଥାନରେ ଢାଙ୍କୁଣୀ ଲଗାଯାଇନଥିବାରୁ ତାହା ବିପଦଶଂକୁଳ ଭାବେ ସର୍ବଦା ଉନ୍ମୁକ୍ତ ରହୁଛି। ପଥଚାରୀ, ପ୍ରାତଃ ଭ୍ରମଣକାରୀ କିମ୍ବା ଗୋରୁଗାଈ ସଂପୃକ୍ତ ଉନ୍ମୁକ୍ତ ନାଳରେ ପଡ଼ି ଦୁର୍ଘଟଣାର ଶିକାର ହେଇଥିବା ଦେଖାଯାଉଛି। ନୂଆଭାବେ ନିର୍ମାଣ କରାଯାଇଥିବା ଏହି ପ୍ରମୁଖ ସଡ଼କପଥରେ ଅନେକ ବିପଦଶଂକୁଳ ବଙ୍କିଳ ରାସ୍ତା ରହିଛି। ଯେଉଁଠି କି ବାରମ୍ବାର ଅନେକ ଦୁର୍ଘଟଣା ଘଟୁଛି। କାରଣ ସଂପୃକ୍ତ ସ୍ଥାନରେ ଗତିରୋଧର ବ୍ୟବସ୍ଥା କରାଯାଇନାହିଁ କି ସତର୍କତା ଅବଲମ୍ବନ କରିବାକୁ ସୂଚନାଫଳକ ବି ଲାଗିନି। ଏପରିକି ସୁରକ୍ଷିତ ଗାଡ଼ିଚଳାଚଳ କରିବାକୁ ଉକ୍ତସ୍ଥାନର ରାସ୍ତାପାର୍ଶ୍ବ ଗଛ, ବୁଦାସବୁ ନିୟମିତ କଟା ବା ସଫା କରାଯିବା ଜରୁରୀ ମନେକରାଯାଉଥିବା ବେଳେ ତାହାମଧ୍ୟ କରାଯାଉନାହିଁ।

ଏହା କରାଯାଉନଥିବାରୁ ସମୟେ ସମୟେ ବିପରିତ ଦିଗରୁ ଆସୁଥିବା ଦ୍ରୁତ ଗାଡ଼ି ଦୃଶ୍ୟମାନ ନହୋଇ ପରଷ୍ପର ଦୁର୍ଘଟଣାର ସମ୍ମୁଖୀନ ହେବା ଅନ୍ୟତମ କାରଣ ବୋଲି ସ୍ପଷ୍ଟ ହୋଇଛି। ଅପରପକ୍ଷରେ ସଡ଼କପଥ ଜାମ୍‍ ନହେବା ଲାଗି ପ୍ରଶସ୍ତ ହେଲା ସତ ; କିନ୍ତୁ କେତକ ଅଜ୍ଞ ଏବଂ କ୍ଷମତାଶାଳୀ ଲୋକ ଏହାର ଦୁରୁପୋଯୋଗ କରି ବେଆଇନଭାବେ ରାସ୍ତାଅବରୋଧ କରୁଥିବା ସାଧାରଣରେ ଦୃଶ୍ୟମାନ ହୁଏ। ରାସ୍ତାର ଅର୍ଦ୍ଧେକ ଯାଗା ମାଡ଼ି ବେଆଇନ ଭାବେ ନିୟମିତ ଗାଡ଼ି ପାର୍କିଂ କରିବା,ବିଶ୍ରାମ ଆଳରେ ଲାଇନ ମାଲବାହୀ ଟ୍ରକ ରାସ୍ତା ଉପରେ ଘଣ୍ଟାଘଣ୍ଟା ରହୁଥିବା ଦେଖାଯଉଛି। ଦୁର୍ଘଟଣା ଆଶଂକା ଦୃଷ୍ଟିରୁ ଏସବୁ ସମ୍ବେଦନଶୀଳ ଘଟଣାପ୍ରତି ପୁଲିସପ୍ରଶାସନ ନଜରଅନ୍ଦାଜ ରଖୁନଥିବା ଅନ୍ୟତମ ବିଡ଼ମ୍ବନା। ସବୁଠୁ ନତିଦିନିଆ ସମସ୍ୟାଭାବେ ଦୃଷ୍ଟିଗୋଚର ହେଉଛି ରାସ୍ତାକୁ ଅବରୋଧ କରି ନିର୍ମାଣ କାର୍ଯ୍ୟ କରାଯିବା ନେଇ। ଟ୍ରକଭର୍ତ୍ତି ବାଲି,ପଥର,ଚିପ୍ସ ରାସ୍ତାରେ ଉପରେ ଜବରଦସ୍ତ ରଖି ଅନେକ ଦିନ ପର୍ଯ୍ୟନ୍ତ ସଡ଼କପଥ ଅବରୋଧ କରିବା।

ଏଭଳି ରାସ୍ତା ଅବରୋଧ ଘଟଣା ପ୍ରାୟ ପ୍ରତ୍ୟେକ ବଜାରଘାଟରେ ଦେଖିବାକୁ ମିଳୁଥିଲେ ସୁଦ୍ଧା ସଂପୃକ୍ତ ଦୁର୍ଘଟଣାସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାରୁ ଲୋକଙ୍କ ଭିତରେ ବେଖାତିର ଭାବ ବଢୁଥିବା ପ୍ରକାଶ। ସଡ଼କପଥ ସୁଗମ୍ୟ,ସୁରକ୍ଷିତ ତଥା ବେଆଇନ ଅବରୋଧ ମୁକ୍ତ ହେଲେଯାଇ ମାତ୍ରାଧିକ ଦୁର୍ଘଟଣାକୁ ଅନେକାଂଶରେ ଏଡ଼ାଯାଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମନେକରନ୍ତି। ବିଶେଷକରି ରାସ୍ତାପାର୍ଶ୍ବ ନାଳରେ ଥିବା ଖୋଲାସ୍ଥାନରେ ଢାଙ୍କୁଣୀ ଲାଗିବା,ଗ୍ରାମ୍ୟ ଛକ ତଥା ଜନଗହଳିପୂର୍ଣ୍ଣ ସ୍ଥାନର ଯଥେଷ୍ଟ ଦୂରରୁ ଗତିପ୍ରତିରୋଧକ ରମ୍ବଲର୍ସ କରାଯିବା,ବଙ୍କିଳ ରାସ୍ତାପାର୍ଶ୍ବରୁ ବୁଦା କିମ୍ବା ଗଛ କଟାଯାଇ ଅପରପାର୍ଶ୍ବ ରାସ୍ତା ଦୃଶ୍ୟମାନ ହେବା ଦିଗରେ ଗୁରୁତ୍ୱ ଦିଆଯିବା ତଥା ମୁଖ୍ୟ ସଡ଼କପଥକୁ ବେଆଇନ ଭାବେ ଦୀର୍ଘସମୟଧରି ଅବରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନତଃ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଦିଗରେ ପୁଲିସପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି। ଏହା କରାଯାଇପାରିଲେ ହୁଏତ ଦୁର୍ଘଟଣା ପ୍ରବଣ ସ୍ଥିତି ଉପରେ ନିୟନ୍ତ୍ରଣ ଆଣାଯାଇପାରିବ ବୋଲି ସଚେତନ ନାଗରିକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.