ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ବଡ଼ମ୍ବା: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବଜନତା ଦଳ ତରଫରୁ ବଡ଼ମ୍ବା ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଦଳ ତରଫରୁ ଶୋଭାଯାତ୍ରା କରାଯିବାସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ପ୍ରତିବାଦ ସଭା କରାଯାଇଥିଲା। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ବିଜୁ ଯୁବଜନତା ଦଳର ବ୍ଲକ ସଭାପତି ଆଲୋକରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସଭାରେ ଦଳର ପ୍ରମୁଖ ନେତୃବର୍ଗ ଯୋଗଦେଇ ନିଜ ବକ୍ତବ୍ୟରେ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ।

ଯେଭଳି ଭାବେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଛି ଏବଂ ବିଶେଷଭାବେ ପେଟ୍ରୋଲ ତଥା ଡିଜେଲ ଦର ମାତ୍ରାଧିକ ବୃଦ୍ଧି କରିବାସହ ରନ୍ଧନ ଗ୍ୟାସର ମୂଲ୍ୟ କିଛିମାସ ଭିତରେ ଦୁଇଗୁଣା ବୃଦ୍ଧି ପାଇଥିବାରୁ ଗରିବ,ମଧ୍ୟବିତ ଏବଂ ନିମ୍ନ ମଧ୍ୟବିତ ପରିବାର ସେମାନଙ୍କ ଘର ଚଳାଇବା କଷ୍ଟସାପେକ୍ଷ ହୋଇଛି ବୋଲି ଦଳ ତରଫରୁ ଅଭିଯୋଗ କରାଯାଇଥିଲା। ତୁରନ୍ତ କେନ୍ଦ୍ର ସରକାର ରନ୍ଧନଗ୍ୟାସ ଦର ହ୍ରାସ କରିବାକୁ ଏହି ଅବସରରେ ଦାବି କରାଯିବା ପୂର୍ବକ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଦଳ ତରପରୁ ପ୍ରଦାନ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଡଲି ସାହୁ, ପୂର୍ବତନ ଜିଲାପରିଷଦ ରଘୁପତି ମହାନ୍ତି, ପୂର୍ବତନ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାହୁ, ଯୁବଜନତା ଦଳର ଉପଦେଷ୍ଟା ପ୍ୟାରୀମୋହନ ସ୍ୱାଇଁ, ସରୋଜ କୁମାର ପଟ୍ଟନାୟକ, ଇଂ.ସଞ୍ଜୟ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସ୍ୱାଇଁ, ସଞ୍ଜି ସ୍ୱାଇଁ ପ୍ରମୁଖ ନେତୃବର୍ଗ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ତପନ କୁମାର ପରିଡ଼ା ସାକ୍ଷାତ କରି ଉକ୍ତ ସ୍ମାରକପତ୍ରକୁ ପ୍ରଦାନ କରିଥିଲେ।

Comments are closed.