ଦୁର୍ଗନ୍ଧରେ ସଢୁଛି ନିର୍ମଳ ପରିବେଶ ପାଇଁ ପୁରସ୍କୃତ ପଂଚାୟତ

ବଡ଼ମ୍ବା: ସାହିମାନଙ୍କର ନାଳନର୍ଦମା ନିଷ୍କାସନ ବ୍ୟବସ୍ଥାପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ପଷ୍ଟ ବାରି ହୁଏ ବଡ଼ମ୍ବା ବଡ଼ଦାଣ୍ଡ ସାହିରେ। ନିର୍ମଳପଞ୍ଚାୟତରେ ଏକଦା ପୁରଷ୍କୃତ ଏହି ପଞ୍ଚାୟତର ନିର୍ମଳ ପରିବେଶ ବଜାୟ ରଖିବା ଦିଗରେ ପ୍ରଶାସନିକ ଉଦାସିନତାକୁ ନେଇ ଜନଅସନ୍ତୋଷ ପ୍ରକାଶପାଇଛି। ନିଜଗଡ଼ ବଡ଼ମ୍ବା ପଞ୍ଚାୟତ ଅଧିନସ୍ଥ ୮ନମ୍ବର ୱାର୍ଡ଼ (ସାଆନ୍ତସାହି)ବଡ଼ଦାଣ୍ଡରେ ମାସମାସ ଧରି ନାଳପାଣି ବୋହୁଥିବା ଦୃଶ୍ୟମାନ ହୁଏ। ଦୁର୍ଗନ୍ଧମୟ ନାଳପାଣି ଉପରେ ପ୍ରତ୍ୟହ ଲୋକମାନେ ଯାତାୟତ କରୁଥିଲେ ସୁଦ୍ଧା ଏହି ସମସ୍ୟା ସୁଧାରିବା ଦିଗରେ ପଞ୍ଚାୟତ ହେଉ କି ପୂର୍ତ୍ତବିଭାଗର ଦୃଷ୍ଟିନପଡ଼ିବା ବିଡ଼ମ୍ବନା ମନେକରାଯାଉଛି। ବଡ଼କଥାହେଲା ଗଡ଼ଯାତ ସଂସ୍କୃତିରେ ଏହି ବଡ଼ଦାଣ୍ଡରେ ରଥଯାତ୍ରା ସମେତ ଅନେକ ଜାନିଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଅନ୍ୟ ଠାକୁରମାନେ ଯାତ୍ରା କରିଥାନ୍ତି।

ତେବେ କୋଭିଡ କାରଣରୁ ଗତଦୁଇବର୍ଷ ଧରି ରଥଯାତ୍ରା ଏବଂ ବଡ଼ମ୍ବାର ପାରମ୍ପାରିକ ଚନ୍ଦନଯାତ୍ରା ବନ୍ଦ ରହିଥିବାରୁ ଏହି ବଡ଼ଦାଣ୍ଡର ପରିମଳ ସୁରକ୍ଷା ଦିଗରେ ଅବହେଳା କରାଯାଇଥିବା ଅନ୍ୟତମ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବର୍ଷାଦିନ ଆଗରୁ କାହିଁକି ନାଳନର୍ଦମା ସଫେଇ ଏବଂ ଏହାର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆନଗଲା ସେଥିପାଇଁ ପ୍ରଶାସନିକ ଅବହେଳାକୁ ସାଧାରଣରେ ଦାୟୀ କରାଯାଇଛି। ଅନୁରୁପଭାବେ ଗୁଣ୍ଡିଚାବାଡ଼ି ସାହି ମୋଡ଼ ଏବଂ କାରିଗର ସାହିରେ ନର୍ଦମାପାଣି ନିଷ୍କାସନ ଦିଗରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ। କିଭଳିଭାବରେ ବଡ଼ମ୍ବା ସହରର ବିଭିନ୍ନସାହିର ନାଳପାଣି ନିଷ୍କାସନ ବ୍ୟବସ୍ଥିତ ଭାବେ ହୋଇପାରିବ ସେଦିଗରେ ଦୀର୍ଘସ୍ଥାୟୀ ପଦକ୍ଷେପ ଜରୁରୀ ମନେକରାଯାଉଛି। ୮ନମ୍ବର ୱାର୍ଡ଼ ବଡ଼ଦାଣ୍ଡରେ ବୋହୁଥିବା ଆବର୍ଜନାପାଣି ବନ୍ଦହେବା ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାହିଲୋକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

Comments are closed.