ଅଭିଯୋଗ ସତ୍ୱେ ସମସ୍ୟା ସୁଧାରିବାରେ ପ୍ରଶାସନ ବିମୁଖ

ବଡ଼ମ୍ବା: ରାସନ ବିତରଣକାରୀ (ଡିଲର)ଙ୍କ ମନମାନି କାରଣରୁ ବଡ଼ମ୍ବା ବ୍ଲକ ଗୋପାଳପୁର ଗ୍ରାମର ଅନେକ ଖାଉଟି ସେମାନଙ୍କ ପଡ଼ି ସାମଗ୍ରୀ ସୁବିଧାରେ ପାଇପାରୁନଥିବା ଅଭିଯୋଗ ହୋଇଛି। ଏପରିକି ବାରମ୍ବାର ଏହି ଘଟଣାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଲିଖିତ ଅଭିଯୋଗ ହୋଇଥିବା ପ୍ରକାଶ। ତେବେ ଲୋକଙ୍କ ସମସ୍ୟା ସୁଧାରିବାରେ ପ୍ରଶାସନ ବିମୁଖ ରହିବା ପ୍ରତିବାଦରେ ଗ୍ରାମବାସୀ ଶେଷରେ ନ୍ୟାୟପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଚେତାବନୀ ମୁତାବକ ଉପୁଜିଥିବା ସମସ୍ୟାର ଆଶୁ ସମାଧାନ ଦାବିରେ ଶତାଧିକ ଗୋପାଳପୁର ଗ୍ରାମବାସୀ ବୁଧବାର ନିଜ ଗ୍ରାମଛକରେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି।

ଘଟଣାରୁ ପ୍ରକାଶ ଗୋପାଳପୁର ପଞ୍ଚାୟତ ଲାଗି ନିଯୁକ୍ତ ଡିଲର କେତକ ଲୋକଙ୍କୁ ରାସନ ସାମଗ୍ରୀ ସ୍ୱଇଛାରେ ପ୍ରଦାନ କରୁଥିବା ଦୀର୍ଘଦିନରୁ ଅଭିଯୋଗ ହେଇଆସୁଛି। ନିର୍ଦ୍ଧାରିତ ସମୟରେ ଏବଂ ନିର୍ଦ୍ଦିଷ୍ଟସ୍ଥାନରେ ସାମଗ୍ରୀ ଦେଉନଥିବାରୁ ଡିଲର ବଦଳାଇବା ନେଇ ସଂପୃକ୍ତ ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏପରିକି ଏହି କାରଣରୁ ଗ୍ରାମର ଅଧିକାଂଶ ଲୋକ ଗତ ଦୁଇମାସ ଧରି ରାସନ ଚାଉଳ ପାଇନଥିବା ପ୍ରକାଶ। ତେବେ ଅଭିଯୋଗ ସତ୍ୱେ ଏହି ସମସ୍ୟା ସୁଧାରିବା ତଥା ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାରେ ପ୍ରଶାସନ ଗୁରୁତ୍ୱ ନ ଦେବାରୁ ଏହାକୁନେଇ ଜନଅସନ୍ତୋଷ ପ୍ରକାଶପାଇଛି। ଯାହା ଫଳରେ ସମସ୍ୟାର ସମ୍ମୁଖିନ ହୋଇଥିବା ଲୋକମାନେ ବାଧ୍ୟହୋଇ ରାସ୍ତାରୋକ ଆନ୍ଦୋଳନ କରିଥିବା ଜଣାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବଡ଼ମ୍ବା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ, ତହସିଲଦାର ଦେବଦତ୍ତ ମହାନ୍ତ, ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ପ୍ରତିସ୍ୱିନୀ ଷଡ଼ଙ୍ଗୀ, ସ୍ଥାନୀୟ ଆଇଆଇସି ନିରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନେତୃବୃନ୍ଦ ଏବଂ ଗ୍ରାମ୍ୟ ମୁରବୀଙ୍କ ସହିତ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠିତ ଆଲୋଚନାରେ ଓକିଲ ସଂଘର ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା ପ୍ରମୁଖ ଯୋଗ ଦେଇଥିବା ପ୍ରକାଶ। ଖୁବ୍‍ଶୀଘ୍ର ଉପେକ୍ଷିତ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ସାମଗ୍ରୀ କିଭଳି ସୁବିଧାରେ ପାଇବେ ସେନେଇ ତତ୍କାଳ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନ ପ୍ରାୟ ୨ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

Comments are closed.