ସଜେଇ ହେଲାଣି ମହାନଦୀ ଉପରେ ଦୀର୍ଘତମ ସେତୁ, ଉଦ୍‍ଘାଟନକୁ ଅପେକ୍ଷା

ବଡ଼ମ୍ବା ଗୋପୀନାଥପୁର,ସିଂହନାଥ ପୀଠ ଏବଂ ବାଙ୍କୀ ବୈଦ୍ୟେଶ୍ୱରକୁ ସଂଯୋଗ ସେତୁକୁ ଦୁଇ ବିଧାୟକ ବୁଲି ଦେଖିଲେ

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ସିଂହନାଥପୀଠକୁ ଗମନାଗମନର ସୁବିଧାଲାଗି ସ୍ଥାନୀୟ ଗୋପୀନାଥପୁର ଏବଂ ବାଙ୍କୀ ବୈଦ୍ୟେଶ୍ୱରକୁ ସଂଯୋଗ କରୁଥିବା ନିର୍ମାଣାଧିନ ମହାନଦୀ ଉପରେ ଦୀର୍ଘତମ ସେତୁ ପ୍ରାୟ ଶେଷ ପର୍ଯ୍ୟାୟରେ। ଉକ୍ତ ନୂତନ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏହା ସଜେଇ ହୋଇ ସାରିଥିବା ବେଳେ କେବଳ ଏହି ସେତୁରୁ ବାଙ୍କୀ ବୈଦ୍ୟେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଆଉ ମାତ୍ର କିଛି ମାସରେ ଶେଷ ହେବ ବୋଲି ଜଣାଯାଇଛି। ଫଳ ସ୍ୱରୁପ ବଡ଼ମ୍ବା ଏବଂ ବାଙ୍କୀ ଉଭୟ ଜନସାଧାରଣଙ୍କ ବହୁଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ମହାନଦୀ ବକ୍ଷସ୍ଥଳରେ ଅବସ୍ଥିତ ଐତିହାସିକ ସିଂହନାଥ ଶୈବପୀଠର କିଭଳି ପ୍ରଥମ କରି ରାସ୍ତାରେ ସୁବିଧାରେ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଦର୍ଶନ ଲାଭ କରିବେ ସେଥିପାଇଁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିବା ଅନ୍ୟତମ ଉଲ୍ଲେଖନୀୟ ବିଷୟ। ଗୁରୁବାର ଏନେଇ ଉଭୟ ବଡ଼ମ୍ବା ଏବଂ ବାଙ୍କୀ ବିଧାୟକ ଏକ ଉଚ୍ଚ ବୈଷୟିକ ପ୍ରତିନିଧି ଦଳ ସହିତ ନବନିର୍ମିତ ସେତୁ ବୁଲି ଦେଖିବା ସହ ସିଂହନାଥ ପୀଠ ଏବଂ ଏହାର ପାରିପାର୍ଶ୍ବିକ ଉନ୍ନତି ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଷ କରିଥିବା ପ୍ରକାଶ।

ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସହିତ ରାଜ୍ୟ ନିର୍ମାଣ ବିଭାଗ ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର,ସଚିବ କିଶନ କୁମାର,ବିଭାଗୀୟ ଅତିରିକ୍ତ ସଚିବ ଧ୍ୟାନଚାନ୍ଦ ନାୟକ, ବିଶ୍ୱବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମକ୍ରୀଷ୍ଣ ମହାରଣା ପ୍ରମୁଖ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୂଚନାଥାଉକି ଏହା ପୂର୍ବରୁ କିଛି ଦିନ ତଳେ କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ, ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସହିତ ଜିଲା ପ୍ରଶାସନର ପ୍ରମୁଖ ଅଧିକାରୀ ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଉକ୍ତସ୍ଥାନ ପରିଦର୍ଶନରେ ଆସି ସେତୁକୁ ସଂଯୋଗ କରୁଥିବା ବୈଦ୍ୟେଶ୍ୱର ରାସ୍ତା କିଭଳି ଶିଘ୍ର ସମ୍ପୂର୍ଣ୍ଣ ହେବ ଏବଂ ସିଂହନାଥପୀଠର ଆବଶ୍ୟକ ଉନ୍ନତି କରଣ ଉପରେ ଅନୁଧ୍ୟାନ କରି ଫେରିଥିବା ଜଣାଯଇଛି। ମୁଖ୍ୟତଃ ସେତୁକାମ ଶିଘ୍ର ସମ୍ପୂର୍ଣ୍ଣ ହେବା, ସିଂହନାଥପୀଠ ତଥା ସେତୁ ବିଦ୍ୟୁତକରଣ ଓ ଆଲୋକିକରଣ, ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, ବୟୋବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ସେତୁରୁ ର‍୍ୟାମ୍ପ ସୁବିଧା, ରହିବା ସୁବିଧା, ପାନୀୟଜଳ ସୁବିଧା, ଗାଡ଼ି ପାର୍କିଂ ଏବଂ ମନ୍ଦିର ସେବାୟତଙ୍କ ଦୈନନ୍ଦିନ ଯିବା ଆସିବା ଆଦି ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଦୁଇ ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକ, ଜନପ୍ରତିନିଧି,ସେବାୟତଙ୍କ ଉପସ୍ଥିତିରେ ଏହି ଉଚ୍ଚପ୍ରତିନିଧି ଦଳ ଗୁରବାର କ୍ଷେତ୍ର ପରିଦର୍ଶନ ପୂର୍ବକ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବଡ଼ମ୍ବା ତହସିଲଦାର ଦେବଦତ୍ତ ମହାନ୍ତ, ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି, ବିଭାଗୀୟ ଏସଡିଓ(ଆଠଗଡ଼) ଜୟନ୍ତ ନାୟକ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଗୋପୀନାଥପୁର ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ଶତପଥୀ, ମନ୍ଦିର ଉନ୍ନୟନ ପରିଷଦ ସଦସ୍ୟ ଡାକ୍ତର.ନିରଞ୍ଜନ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଲୋନଚାରେ ଅଂଶଗ୍ରହଣ କରିଥିଲେ। ପ୍ରକାଶଥାଉକି ରାଜ୍ୟସରକାରଙ୍କ ଉଦ୍ୟମକ୍ରମେ ପ୍ରାୟ ୧୩୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳରେ ନିର୍ମିତ ମହାନଦୀ ଉପରେ ଏହି ଦୀର୍ଘତମ ଇଂରାଜୀ ଟି ଅକ୍ଷର ଆକୃତିର ସେତୁ ୩କି.ମିରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ। ଏହି ସେତୁ ଲୋକାର୍ପିତ ହେବାରେ ଦକ୍ଷିଣ ଓଡ଼ିଶା ସେମତ ରାଜଧାନୀ ଭୁବନେଶ୍ୱର,ଖୋର୍ଦ୍ଧା,ବାଙ୍କୀ,ନୟାଗଡ଼ ଆଦି ସଂଲଗ୍ନ ସହରକୁ ବଡ଼ମ୍ବାରୁ ଗମନାଗମର ସୁବିଧା ହେବାସହ ପ୍ରସିଦ୍ଧ ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ତଥା ଜାତୀୟ ସ୍ମାରକୀ ମାନ୍ୟତାପ୍ରାପ୍ତ ସିଂହନାଥ ଶୈବପୀଠକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଘଟିବା ଲକ୍ଷ ରଖାଯାଇଛି।

Comments are closed.