ବାଧକ ହେଲା ବନ୍ୟାଜଳ, ୧୪୧୦ ହେକ୍ଟରରୁ ଅଧିକ ଜମି ପ୍ରଭାବିତ

ବଡ଼ମ୍ବା : ଭଲ ଦି ଅସରାଏ ବର୍ଷାହେଲା, ଚାଷୀ ଭାବୁଥିଲା ଏଥର ଫସଲ ମୁକୁଳିଯିବ। ହେଲେ ଚାଷୀର ସମସ୍ତ ଭାବନାକୁ ଧୂଳିସାତ କଲା ମହାନଦୀର ବନ୍ୟାଜଳ। ବାଧକ ସାଜିଥିବା ବନ୍ୟାଜଳରେ ବୁଡ଼ିରହିଛି ବଡ଼ମ୍ବା ବ୍ଲକ ନଦୀକୂଳ ଅଞ୍ଚଳର ଶହଶହ ଏକର ଚାଷଜମି। କୃଷି ବିଭାଗରୁ ମିଳିଥିବା ରିପୋର୍ଟ ମୁତାବକ ଆଜିସୁଦ୍ଧା କରାଯାଇଥିବା କ୍ଷେତ୍ର ସର୍ବେକ୍ଷଣ ମୁତାବକ ବଡ଼ମ୍ବା ବ୍ଲକର ସମୁଦାୟ ୧୩ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩ଟି ଗ୍ରାମର ସମୁଦାୟ ୧୦୯୦ ହେକ୍ଟର ଧାନକ୍ଷେତ ଏବଂ ୩୨୦ ହେକ୍ଟର ପରିବାକ୍ଷେତ, ଏହିଭଳି ସମୁଦାୟ ଏକହଜାର ୪୧୦ ହେକ୍ଟର ଚାଷଜମି ଚଳିତ ମହାନଦୀ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରକାଶ। ଲୁହଲହୁ ଏକାକାର କରି ମୁଣ୍ଡଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥିବା ଚାଷୀଟି ଦେଖୁଛି ତା ଆଖି ଆଗରେ ସଢୁଛି ଧାନ କ୍ଷେତ ତ ଆଉ କିଆରି କିଆରି ଭେଣ୍ଡି, ଜହ୍ନି, ପୋଟଳ, କାକୁଡ଼ି, ବାଇଗଣ, ମକା ଆଦି ପରିବା ଚାଷ। ଗଲା ୩ଦିନ ଧରି ଏଭଳି ଅବସ୍ଥା ନଦୀକୂଳ ଅଞ୍ଚଳରେ ଲାଗି ରହିଥିବା ବେଳେ ବଢୁଥିବା ବନ୍ୟାପରିସ୍ଥିତିକୁ ନେଇ ଚାଷୀକୂଳଙ୍କ ମନରେ ହତାଶାରେ ଭାବ ଦେଖିବାକୁ ମିଳିଛି। ବନ୍ୟାଜଳରେ ବୁଡ଼ି ରହିଥିବା କ୍ଷେତ ଆଉ ଉଦ୍ଧାର ହେବାନେଇ ଚାଷୀଙ୍କର ଆଶା ନଥିବା ପ୍ରକାଶ। ଚିନ୍ତା, କିଭଳି ସେମାନେ ବିଲରେ କରିଥିବା ଖର୍ଚ୍ଚ ଭରଣା କରିବେ ! ଏଭଳି ଦୁଃସ୍ଥିତି ବନ୍ୟାଞ୍ଚଳ ବାଙ୍ଗେରିସିଂହା ଏବଂ ଏହାର ସଂଲଗ୍ନ ଅଞ୍ଚଳ ସମୁହର କ୍ଷେତ୍ର ପରିଦର୍ଶନ ସମୟରେ ଦେଖିବାକୁ ମିଳିଛି। ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲପଡ଼ା,ଇନ୍ଦ୍ରାଙ୍ଗ, ଯୋଡ଼ୁମ, ବାଙ୍ଗେରିସିଂହା, ଲଟାକାନ୍ଥ(ନୂଆବାଙ୍ଗେରିସିଂହା), ନରଣପୁର,ତେଲେଣିଆ,ମୁଗଗହିର ଆଦି ଅଞ୍ଚଳର ହେକ୍ଟର ହେକ୍ଟର ଚାଷଜମିରେ ଦୁଇଫୁଟରୁ ୫ଫୁଟ ଉଚ୍ଚର ବନ୍ୟାଜଳ ଘେରିରହିଥିବା ବେଳେ ପାଣି ବଢୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଅନୁସଂଧାନରୁ ଆଉ ମଧ୍ୟ ଜାଣିବାକୁ ମିଳିଛି ଏସବୁ ଅଞ୍ଚଳର ସତକଡ଼ା ପ୍ରାୟ ୮୦ଭାଗ ଅଞ୍ଚଳରେ ଖରିଫ ଧାନଚାଷ କରାଯାଇଥିବା ବେଳେ ସେସବୁର ରୁଆ ବେଉଷଣ କାର୍ଯ୍ୟ ପ୍ରାୟତଃ ସରିଯାଇଥିଲା।

 

ଧାନ କ୍ଷେତ ଛନ୍ଛନିଆ ହୋଇ ବଢୁଥିବା ବେଳେ ଉପରୋକ୍ତ ଅଞ୍ଚଳର ଚାଷୀଙ୍କୁ ବନ୍ୟା ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ିଛି। ସବୁଠାରୁ ଅଧିକ ବାଙ୍ଗେରିସିଂହା ମାହାଲର ପ୍ରାୟ ୨୦୪ ହେକ୍ଟରରୁ ଅଧିକ ଧାନ ଚାଷ ଏବଂ ୧୧୬ ହେକ୍ଟରରୁ ଅଧିକ ପରିବାଚାଷ ପ୍ରଭାବିତ ହୋଇଥିବା ବେଳେ ନରଣପୁରର ପ୍ରାୟ ୬୪ ହେକ୍ଟର ଧାନଚାଷ ଏବଂ ୪୬ହେକ୍ଟର ପରିବା ଚାଷ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେହିଭଳି ଯୋଡ଼ୁମ,ଇନ୍ଦ୍ରାଙ୍ଗ,ନୂଆବନ୍ଧ,ବେଲପଡ଼.ଦିନିଆରୀ ଚାଷୀଙ୍କର ପ୍ରାୟ ୩୫୦ ହେକ୍ଟରରୁ ଅଧିକ ଧାନକ୍ଷେତ ଏବଂ ପ୍ରାୟ ୬୩ ହେକ୍ଟର ପରିବାକ୍ଷେତ ବନ୍ୟାଜଳରେ ବୁଡ଼ିରହିଥିବା ବେଳେ ଏସବୁ ଅଞ୍ଚଳର ଆଖୁଚାଷ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ବନ୍ୟାପ୍ରଭାବିତ ବାଙ୍ଗେରିସିଂହା ସମେତ କେତକ ନଦୀକୂଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାସହ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିବା ପ୍ରକାଶ। ବଡ଼ମ୍ବା ବ୍ଲକର ଦକ୍ଷିଣ ଏବଂ ଦକ୍ଷିଣପୂର୍ବାଞ୍ଚଳରେ ଥିବା ମହାନଦୀକୂଳ ଚାଷଜମିରେ ଏଭଳି ବନ୍ୟା ବିପତ୍ତି ଚାଷୀଙ୍କୁ ସାମନା କରିବାକୁ ପଡ଼ିଥିବା ବେଳେ ଏହି ବ୍ଲକର ଦକ୍ଷିଣପଶ୍ଚିମାଞ୍ଚଳ ଅନ୍ତର୍ଗତ ରତାପାଟ,କଣ୍ଢା,ଗମେଇ,ଶଶାଙ୍ଗ,ଓଗାଳପୁର,କରଡ଼ିବନ୍ଧ ସମେତ କାଞ୍ଜିଆପାଳ,ମଙ୍ଗରାଜପୁର,ଶଂଖାମେରୀ,କନ୍ତପଡ଼ା ଆଦି ଅଞ୍ଚଳରେ ମଧ୍ୟ ଅନୁରୁପ ବନ୍ୟାଜନିତକି କ୍ଷୟକ୍ଷତି କୃଷିକ୍ଷେତ୍ରରେ ଉପୁଜିଥିବା ଜଣାଯାଇଛି। ମହାନଦୀର ବନ୍ୟାଜଳ କାହିଁକି ସିଆରିଆ,ଧୋବଣୀନାଳ,ହାଡ଼ୁଆନାଳ,ସରନାଳ ଆଦି ମହାନଦୀକୁ ସଂଯୋଗ କରୁଥିବା ନାଳସମୁହ ମଧ୍ୟ ଚାଷୀଙ୍କ ପାଇଁ ଏସମୟରେ ଦାଉ ସାଜିଥିବା ଲକ୍ଷ କରାଯାଇଛି। ବିସ୍ତିର୍ଣ୍ଣ ଚାଷଜମି ଅଞ୍ଚଳ ଏବେ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଦୁଃଖର ପାହାଡ଼ରେ ବସି ଦିନ ବିତାଉଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ସରକାର ପହଞ୍ଚି ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେବା ଏ ସମୟର ବଡ଼ ଆହ୍ୱାନ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି।

Comments are closed.