ଗ୍ରାମାଞ୍ଚଳରେ ଟିକାକରଣ – ଚିନ୍ତାରେ ୧୮ରୁ ୪୪, ହତୋତ୍ସାହିତ ବୟସ୍କ ହିତାଧିକାରୀ

ବଡ଼ମ୍ବା: କରୋନା ଦ୍ୱିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଅଧିକ ସତର୍କତା ପଦକ୍ଷେପ ନେବାକୁ ବିଶେଷଜ୍ଞ ଗୁରତ୍ୱ ଦେଉଛନ୍ତି। ସେପଟେ କୋଭିଡ ଟୀକାକରଣକୁ ଘରେଘରେ ପ୍ରାଧାନ୍ୟ ଦିଆଯାଉଥିବାସ୍ଥଳେ ଏବେସୁଦ୍ଧା ଏହା ବ୍ୟବସ୍ଥିତ ହେଇପାରୁନଥିବା ଅନ୍ୟତମ ପ୍ରମୁଖ ସମସ୍ୟା। ବିଶେଷକରି ଗ୍ରାମାଞ୍ଚଳରେ ଟୀକା କରଣ ସନ୍ତୋଷଜନକ ହେଇପାରୁନଥିବାରୁ ଏହାକୁନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶପାଇଛି। ଖାସ୍‍କରି ଟୀକାନେବାକୁ ଉତ୍ସାହିତ ରହିଥିବା ଏବଂ ନିଜର ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ଅଧିକ ସଚେତନ ଥିବା ଗ୍ରାମାଞ୍ଚଳର ଯୁବବର୍ଗ ଅର୍ଥାତ୍‍ ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିବିଶେଷ ଅପେକ୍ଷାରେ ଦିନ ବିତାଉଥିବା ଦେଖାଯାଉଛି।

ଅପରପକ୍ଷରେ ସମୁଦ୍ରକୁ ଶଂଖେ ଭଳି ସୀମିତ ଟୀକା ଗୋଟିଏଗୋଟିଏ ବ୍ଲକକୁ ଆସୁଥିବାରୁ ଟୀକାକରଣ ବ୍ୟବସ୍ଥିତ ହେଇପାରୁନଥିବାର ଅନ୍ୟତମ କାରଣ ଯାହା ଅନୁସଂଧାନରୁ ଜଣାଇଛି। ଫଳସ୍ୱରୁପ ପ୍ରତ୍ୟହ କଷ୍ଟସ୍ୱିକାର କରି ଡାକ୍ତରଖାନା ଆସୁଥିବା ସମାଜର ବୟସ୍କ ନାଗରିକ,ଅନେକ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ତଥା ସେମାନଙ୍କ ସାଥୀରେ ଆସୁଥିବା ପରିବାର ସଦସ୍ୟଙ୍କୁ ଟୀକା ନମିଳିବା ନେଇ ହତୋତ୍ସାହିତ ହେବା ନୀତିଦିନିଆ ଘଟଣା ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ସରକାର ତଥା ପ୍ରଶାସନ ଟୀକାକରଣକୁ ସୁବ୍ୟବସ୍ଥିତ କରିବା ଏକପ୍ରକାର ବର୍ତ୍ତମାନର ଆହ୍ୱାନ ସାବ୍ୟସ୍ତ ହୋଇଛି। ଯେତିକି ଅବା ଟୀକା ଆସୁଛି ତାକୁ ଗୋଟିଏଗୋଟିଏ କ୍ଷେତ୍ର ବିଶେଷରେ ଯଦି ଶିବିର ମାଧ୍ୟମରେ ପ୍ରଦାନ କରାଯାଅନ୍ତା ତେବେ ହୁଏତ ଅନ୍ତତ ପକ୍ଷେ ଗୋଟିଏ ଗୋଟିଏ ୱାର୍ଡ଼ କିମ୍ବା ସାହିରେ ଶତପ୍ରତିଶତ ଟୀକାକରଣ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସଂକ୍ରମଣର ଭୟାବହତାକୁ ଦୃଷ୍ଟିଦେଲେ ଡାକ୍ତରଖାନା ପରିସରରେ ଟୀକାକରଣ ଏବଂ ଏହାକୁନେଇ ଦୃଷଟିଗୋଚର ହେଉଥିବା ଅସମ୍ଭବ ଭିଡ଼ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରଖୁଥିବା କୁହାଯାଉଛି। ସୁତରାଂ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଟୀକାକରଣ ଅଧିକ ସୁରକ୍ଷିତ ହେବବୋଲି ବୁଦ୍ଧିଜୀବୀ ଆଶାବ୍ୟକ୍ତ କରୁଥିବା ପ୍ରକାଶ। ଗ୍ରାମେଗ୍ରାମେ ସ୍ୱାସ୍ଥ୍ୟଶିବିର ମାଧ୍ୟମରେ ଟୀକାକରଣ ତଥା ସୁବୁବର୍ଗର ଲୋକଙ୍କୁ ଆନୁପାତିକ ଭାବେ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଗଲେ ସ୍ଥିତିରେ ଧୀରେଧୀରେ ସୁଧାର ଆସିପାରିବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି। ଏସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ତଥା ପ୍ରଶାସନ କୋଭିଡ ନିୟନ୍ତ୍ରଣ ଦିଗରେ ସମୟୋପଯୋଗି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସେହିଭଳି ଦୀର୍ଘ ପ୍ରତିକ୍ଷାରେ ଥିବା ୧୮ବର୍ଷରୁ ୪୧ବର୍ଷର ଯୁବବର୍ଗଙ୍କ ନିମନ୍ତେ ଗ୍ରାମାଞ୍ଚଳରେ ତୁରନ୍ତ ଟୀକାକରଣ ଆରମ୍ଭ କରିବାକୁ ଅଭିଭାବକମାନେ ମତପୋଷଣ କରିଛନ୍ତି।

Comments are closed.