ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ

ବଡ଼ମ୍ବା: ମହାନଦୀର ବନ୍ୟାଜଳ ରବିବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କରିଛି। ସଂଧ୍ୟାସୁଦ୍ଧା ମନ୍ଦିର ଗର୍ଭଗୃହ ଭିତର ଦେଇ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାହିତ ହେଉଛି। ମନ୍ଦିରରେ ବନ୍ୟାଜଳ ପ୍ରବେଶ ପୂର୍ବରୁ ଠାକୁରାଣୀଙ୍କ ବିଜେପ୍ରତିମା ନିକଟସ୍ଥ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ପୀଠର ନବଧାଶକ୍ତି ପାଶାଣୀ ମୂର୍ତ୍ତି ଜଳାଶାୟୀ ହୋଇଥିବାରୁ ଦେବୀଙ୍କ ଦୈନନ୍ଦିନ ନୀତି ଅସ୍ଥାୟୀ ମନ୍ଦିରରେ ସେବାସୀଙ୍କ ଦ୍ୱାରା କରାଯାଉଛି।

ଖବରପାଇ ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ରବିବାର ସକାଳେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ବନ୍ୟାଜଳରେ ପ୍ଲାବିତ ମନ୍ଦିର ପରିସର ପରିଦର୍ଶନ କରିଥିଲେ। ସେହିଭଳି ଅପରାହ୍ନରେ କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ, ଆଠଗଡ଼଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ା ବନ୍ୟାଜଳ ଘେରରେ ଥିବା ପୀଠ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶଥାଉ କି ଚଳିତ ବର୍ଷ ଭଳି ପୂର୍ବରୁ ବହୁ ବର୍ଷ ଧରି ଏହି ପ୍ରାଚୀନ ମନ୍ଦିର ବନ୍ୟାର ପ୍ରଖର ସ୍ରୋତକୁ ଅନେକଥର ସମ୍ମୁଖୀନ କରିଛି। ଫଳସ୍ୱରୁପ ଏହି ପ୍ରାକୃତିକ ବିପଦରୁ ବହୁ ପୁରାତନ ମନ୍ଦିର କିଭଳି ସୁରକ୍ଷା ପାଇବ ସେନେଇ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଉଦ୍‍ବେଗ ପ୍ରକାଶ କରାଯାଉଛି।

Comments are closed.