ବଡ଼ମ୍ବା ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ଐତିହାସିକ ମକରମେଳା ବାତିଲ

ବଡ଼ମ୍ବା: ମହାମାରୀ କରୋନାର ବ୍ୟାପକତା ଏବଂ ନୂତନ ଭୂତାଣୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେରଖି ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ସିଂହନାଥ ଦେବଙ୍କ ଶୈବପୀଠରେ ଆସନ୍ତା ୧୪ ତାରିଖ ଶୁକ୍ରବାର ହେବାକୁଥିବା ଚଳିତବର୍ଷର ଐତିହାସିକ ବାଲି ମକରମେଳାକୁ ପ୍ରଶାସନ ତରଫରୁ ବାତିଲ କରାଯାଇଛି। ବର୍ତ୍ତମାନ ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡ଼ିଶାର ଦୀର୍ଘତମ (ଟି )ସେତୁ ସଂଯୋଗ କରିଥିବାରୁ ପ୍ରତ୍ୟହ ହଜାରହଜାର ଦର୍ଶକଙ୍କ ଆଗମନ ହେଉଛି। ଭିଡ଼ ଓ ଜନଗହଳିକୁ ଦୃଷ୍ଟିରେ ରଖି ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ତପନକୁମାର ପରିଡ଼ା କୋଭିଡ ନିୟମାବଳି ତଥା ଜିଲା ପ୍ରଶାସନର ନିର୍ଦେଶକ୍ରମେ ସଂପୃକ୍ତ ପୀଠରେ ଆଗାମୀ ୧୩ ତାରିଖ ସକାଳ ୬ଟା ଠାରୁ ୧୬ ତାରିଖ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୪ଦିନ ଧରି ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ୧୪୪ଧାରା ଜାରି କରିଛନ୍ତି।

 

ଏହି ସମୟରେ ମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟକାହାକୁ ଭିତରକୁ ଛଡ଼ା ଯିବନାହିଁ। ଏହାସହିତ ପୀଠରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସୋମବାର ପୂର୍ବାହ୍ନରେ ଏନେଇ ତହସିଲଦାର ଶ୍ରୀ ପରିଡ଼ା ଆଗତ କରିଥିବା ଏକ ସ୍ୱତନ୍ତ୍ର ବୈଠକରେ ମନ୍ଦିର ସେବାୟତ, ପୁଲିସ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ସତର୍କତା ସ୍ୱରୁପ ବଡ଼ମ୍ବାର ଅନ୍ୟତମ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ମନ୍ଦିରରେ ଏହି ସମୟରେ ଦର୍ଶକଙ୍କ ଅନୁରୁପ ଭିଡ଼ ଜମିବା ଆଶଂକା ଥିବାରୁ ସେଠାରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ବୁଦ୍ଧିଜୀବୀମାନେ ତହସିଲଦାର ଶ୍ରୀ ପରିଡ଼ାଙ୍କୁ ପରାମର୍ଶ ଦେଇଥିଲେ।

Comments are closed.