MEllora 950×100

ଶଂଖାମେରୀ ସର୍ବଭାରତୀୟ ବାପୁଜୀ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫଇନାଲରେ କମାଣ୍ଡୋ ୧୧ ଭୁବନେଶ୍ୱର ଏବଂ ଇମେଜ ୧୧ ଭଦ୍ରକ

ବଡ଼ମ୍ବା :  ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ବଡ଼ମ୍ବା ବ୍ଲକ ଶଂଖାମେରୀ ଗ୍ରାମରେ ଚାଲିଥିବା ୨ୟ ବାର୍ଷିକ ବାପୁଜୀ ପ୍ରିମିୟର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବୁଧବାର ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ଦୁଇଟି ଚିତ୍ତାକର୍ଷକ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ପ୍ରଥମ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱରର କମାଣ୍ଡୋ ୧୧ ଏବଂ ଅନଗୁଳର ଏସଏସ ଲୁଟୁ ୱାରିଅର୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଅନଗୁଳ ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୬ଉଇକେଟ ବିନିମୟରେ ୧୫୪ରନ ସଂଗ୍ରହ କରିଥିଲେ। ଏହାର ଜବାବରେ  ଅନଗୁଳ ଦଳ ବ୍ୟାଟିଂ କରି ୮.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୪ରନ ସଂଗ୍ରହ କରିପାରିଥିଲେ। ଫଳସ୍ୱରୁପ ଏହି ମ୍ୟାଚରେ ଭୁବନେଶ୍ୱର କମାଣ୍ଡୋ ୧୧ଦଳ ବିଜୟୀ ହେବା ସହ ଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଅନୁରୁପ ଭାବେ ଅପରାହ୍ନରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଏମଏମସିସି ଏବଂ ଭଦ୍ରକର ଇମେଜ ୧୧ ଦଳ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ଭଦ୍ରକ ଦଳ ବିଜୟୀ ହୋଇଥିଲେ। ଟସ୍ ଜିତି ଭଦ୍ରକ ଦଳ ପ୍ରଥମେ ଫିଲ୍ଡିଂ କରିଥିଲେ। ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ବିନିମୟରେ ମାତ୍ର ୯୭ ରନ ସଂଗ୍ରହ କରିପାରିଥିଲେ। ଏହାର ଜବାବରେ ଭଦ୍ରକ ଦଳ ୮.୫ ଓଭରରେ ୩ ଉଇକେଟ ହରାଇ ୧୦୦ରନ ସଂଗ୍ରହ କରିବା ସହ ବିଜୟୀ ହୋଇଥିଲେ। ଅନୁଷ୍ଠିତ ଦୁଇ ଆକର୍ଷଣୀୟ ସେମିଫାଇନାଲରେ କମାଣ୍ଡୋ ୧୧ ଭୁବନେଶ୍ୱର ଏବଂ ଇମେଜ ୧୧ ଭଦ୍ରକ ଦଳ ବିଜୟୀ ହୋଇ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ ଆଇନଜୀବୀ ଶିଶିର କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

Comments are closed.