ଦିନିଆରୀରେ ଝାଡ଼ାବାନ୍ତି; ୩ ମୃତ, ୭ ଆକ୍ରାନ୍ତ

ବଡ଼ମ୍ବା : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଦିନିଆରୀ ଗ୍ରାମରେ ଝାଡ଼ାବାନ୍ତିର ପ୍ରକୋପ ଦେଖାଯାଇଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭ଜଣ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଦିନିଆରୀ ଗ୍ରାମର ଶାନ୍ତିଲତା ସାହୁ (୬୦), ନାଗୁଲି ମୁଦୁଲି (୫୨) ଏବଂ ଲକ୍ଷ୍ମୀ ଦେଈ (୫୩)। ଘଟଣା ଜାଣିବାରେ ମଙ୍ଗଳବାର ସକାଳେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ତୁରନ୍ତ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇବା ସହ ସ୍ଥିତି ଅନୁଧ୍ୟାନ କରି ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦେଶ ଦେଇଥିଲେ। ମାଣିଆବନ୍ଧ ଚିକିତ୍ସାଳୟର ଡାକ୍ତର ଉଦୟଜ୍ୟୋତି ମଲ୍ଲିକ, ଡାକ୍ତର ଉଦୟରଞ୍ଜନ ଦାସ, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଶରତଚନ୍ଦ୍ର ଖୁଣ୍ଟିଆ, ଫାର୍ମାସିଷ୍ଟ
ସୋମନାଥ ସାମନ୍ତରା, ମହିଳା ସ୍ୱାସ୍ଥ୍ୟକର୍ମୀ ସୁଫଲା ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା ପରେ ସେମାନଙ୍କୁ ଆବଶ୍ୟକ ଔଷଧ, ହାଲୋଜେନ ଟାବଲେଟ ଏବଂ ବ୍ଲିଚିଂ ଦିଆଯାଇଥିବା ପ୍ରକାଶ। ସ୍ଥିତି ଯଦିଓ ନିୟନ୍ତ୍ରଣାଧୀନ ରହିଛି ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ବର୍ତ୍ତମାନ ଏହି ରୋଗରେ ଅସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗସୂତ୍ରରୁ ପ୍ରକାଶ। ଜଣେ ଆକ୍ରାନ୍ତଙ୍କୁ ଡାକ୍ତରଖାନାଯିବାକୁ ପରାମର୍ଶ ଦିଆଯିବା ସହ ଉକ୍ତ ଅଞ୍ଚଳର ନଳକୂଅ ଏବଂ ପୋଖରୀ ପାଣି ସମ୍ପୂର୍ଣ୍ଣ ବିଶୋଧିତ ନହେବା ପର୍ଯ୍ୟନ୍ତ ବ୍ୟବହାର ନକରିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁ ପ୍ରମୁଖ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମ୍ପର୍କରେ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ। କେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ସେନେଇ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ଭିନ୍ନ ଭିନ୍ନ ଦିନରେ ଉକ୍ତ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟବିଭାଗ ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଛନ୍ତି।

Comments are closed.