୨ ଦିନ ପରେ ପାଣିକୁଣ୍ଡରୁ ହାତୀ ଛୁଆ ଉଦ୍ଧାର

ବାଲେଶ୍ବର: ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ଥିବା ଲୁହାପଡା-ଘାସମରା ଜଙ୍ଗଲ ନିକଟସ୍ଥ ଏକ ପାଣିକୁଣ୍ଡରେ ୨ ଦିନ ଧରି  ପଡ଼ିଥିବା ଏକ ହାତୀ ଛୁଆକୁ ଶୁକ୍ରବାର ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ନିଜ ଛୁଆକୁ ସାଙ୍ଗରେ ନେଇ ଜଙ୍ଗଲ ଅଭିମୁଖେ ଗଲା ମାଆ ହାତୀ।

ସୂଚନା ଅନୁସାରେ, ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ଥିବା ଲୁହାପଡା-ଘାସମରା ଜଙ୍ଗଲରେ ୨୨ଟି ହାତୀ ଗତ କିଛିଦିନ ଧରି ଅବସ୍ଥାନ କରୁଛନ୍ତି। ବୁଧବାର ରାତିରେ ଜଙ୍ଗଲ ନିକଟରେ ନିର୍ମାଣ ହୋଇଥିବା ଏକ ପାଣି କୁଣ୍ଡରେ ହାତୀ ଛୁଆଟି ପଡିଯାଇଥିଲା। ଗତ ଗୁରୁବାର ଦିନତମାମ ସେଠାରେ ହାତୀ ଛୁଆଟି ପଡିଥିଲା ବେଳେ ତା’ ମାଆ ତାକୁ ଜଗିରହିଥିଲା। ଆଜି ରାସଗୋବିନ୍ଦପୁର ଓ ଜଳେଶ୍ୱର ଫରେଷ୍ଟ ରେଞ୍ଜର କର୍ମଚାରୀମାନେ ଏକ ଜେସିବି ସହାୟତାରେ ହାତୀ ଛୁଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପାଣିକୁଣ୍ଡର ପାଚେରୀ ଜେସିବି ଲଗାଇ ଭାଙ୍ଗି ଦିଆଯିବାପରେ ମାଆ ହାତୀଟି ତା’ ଛୁଆକୁ ପାଣିକୁଣ୍ଡରୁ ଉଦ୍ଧାର କରି ଜଙ୍ଗଲ ଅଭିମୁଖେ ଯାଇଛି।

Comments are closed.