ସ୍ବାସ୍ଥ୍ୟ ସେବାର ବିଚିତ୍ର ଗତି: ଡାକ୍ତରଖାନା ଶୌଚାଳୟରେ ମହିଳାଙ୍କ ପ୍ରସବ

ଯାଜପୁର : ଯାଜପୁର ସଦରମହକୁମା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାର ଏମସିଏଚ ବିଭାଗରେ ଗୁରୁବାର ଅପରାହ୍ନରେ ଜଣେ ମହିଳାଙ୍କର ଶୌଚାଳୟ ଭିତରେ ପ୍ରସବ ହୋଇଛି।

ସୂଚନା ଅନୁସାରେ, ବିଂଝାରପୁର ମାଂସଡ଼ା ଅଞ୍ଚଳର ସ୍ମୃତିରଞ୍ଜନ ମିଶ୍ର ନିଜ ପତ୍ନି ସ୍ୱାଗତିକାଙ୍କ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ସମୟରେ କୌଣସି ଡାକ୍ତର ଉପସ୍ଥିତ ନ ଥିଲେ। ଦାୟିତ୍ୱରେ କେବଳ କିଛି ନର୍ସ ଥିଲେ ଓ ବର୍ତ୍ତମାନ ପ୍ରସବ ସମୟ ହୋଇ ନ ଥିବା କହି ସେଠାରୁ ପଳାଇ ଯାଇଥିଲେ। ପରେ ଅଧିକ ଯନ୍ତ୍ରଣା ହେବାରୁ ମହିଳାଜଣକ ପରିସ୍ରା କରିବା ପାଇଁ ପାଖ ଶୌଚାଳୟକୁ ଯାଇଥିଲେ। ସେଠାରେ ତାଙ୍କର ହଠାତ୍ ଶିଶୁ କନ୍ୟାଟିଏ ଜନ୍ମ ହୋଇଥିଲା। ମହିଳାଙ୍କ ଚିତ୍କାର ଶୁଣି ପାଖ ରୋଗୀଙ୍କ ସମ୍ପର୍କୀୟ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ସ୍ମୃତିରଞ୍ଜନ ଯାଜପୁର ସିଡିଏମଓଙ୍କୁ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ସିଡିଏମଓ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇ ପଳାଇ ଆସିଥିଲେ। ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଓ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାଗତିକା ଦାବି କରିଛନ୍ତି। ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ବାରମ୍ବାର ସିଡିଏମଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Comments are closed.