ବାବୁଜୀଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀରେ ସ୍ମାରକ ବ୍ୟାଖ୍ୟାନ : ‘ସେବା, ସାମ୍ବାଦିକତାର ଅପୂର୍ବ ସମନ୍ୱୟ ଥିଲେ ରାଧାନାଥ’

କଟକ : ସମାଜରେ ଯାହା ଘଟୁଛି ତାହା ଚିରନ୍ତନ ସତ୍ୟ ନହେଲେ ବି ଆପେକ୍ଷିକ ସତ୍ୟ। ସମାଜକୁ ଛାଡ଼ି ଖବର ହୋଇପାରିବ ନାହିଁ। ଜଣେ ସାମ୍ବାଦିକ ଜୀବନର ସତ୍ୟ ଖୋଜେ ଓ ତାହାକୁ ଉଦ୍‍ଘାଟନ କରେ। ମିଥ୍ୟାକୁ ଦମନ କରିବା ଓ ସତ୍ୟକୁ ଜୟ କରିବାର ସଂଘର୍ଷ ଚାଲିଥାଏ ଏହି କାର୍ଯ୍ୟରେ। ସମାଜରେ ଘଟୁଥିବା ଦୋଷ, ତ୍ରୁଟିକୁ ଦେଖାଇବା ସହ ସେବା ଓ ସହଯୋଗ ଲୋକଙ୍କୁ ଯୋଗାଇ ଦେଇଥାଏ ଏହି ସାମ୍ବାଦିକ। ଡ. ରାଧାନାଥ ରଥ ଥିଲେ ଏହିଭଳି ଜଣେ ଦକ୍ଷ ସାମ୍ବାଦିକ। ସେ ଥିଲେ ସେବା ଓ ସାମ୍ବାଦିକତାର ଅପୂର୍ବ ସମନ୍ୱୟ ବୋଲି ମତବ୍ୟକ୍ତ କରିଛନ୍ତି ଦୈନିକ ଖବର କାଗଜ ‘ସକାଳ’ର ସମ୍ପାଦକ ଡ. ଉମାକାନ୍ତ ମିଶ୍ର। ରାଧାନାଥଙ୍କ ପରିବାର ପକ୍ଷରୁ କୋଭିଡ୍‍ ଗାଇଡ୍‍ ଲାଇନ ଅନୁଯାୟୀ ଆୟୋଜିତ ବାବୁଜୀଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ‘ସାମ୍ପ୍ରତିକ ସମାଜରେ ନିରପେକ୍ଷ ସାମ୍ବାଦିକତାର ଭୂମିକା’ ଶୀର୍ଷକ ସ୍ମାରକ ବ୍ୟାଖ୍ୟାନ ପ୍ରଦାନ କରି ମୁଖ୍ୟ ଅତିଥି ଡ. ଉମାକାନ୍ତ ମିଶ୍ର ସାମ୍ବାଦିକତା ଓ ବାବୁଜୀଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ସିଡିଏ ସେକ୍ଟର ୬ ସ୍ଥିତ କଟକ ଟ୍ୟାକ୍ସ ବାର ଆସୋସିଏସନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଏହି ଉତ୍ସବରେ ଜଷ୍ଟିସ ଅନନ୍ତ ସୂର୍ଯ୍ୟ ନାରାୟଣ ନାଇଡ଼ୁ ଅଧ୍ୟକ୍ଷତା କରିଥିଲେ। ବାବୁଜୀଙ୍କ କନ୍ୟା ଡ. ମନୋରମା ମହାପାତ୍ର ସ୍ୱାଗତ ଭାଷଣ ଦେଇ ଇଂରାଜୀ ତାରିଖ ଅନୁସାରେ ପ୍ରତିବର୍ଷ ଫେବୃଆରୀ ୧୨ରେ ବାବୁଜୀଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଉଥିବା କହିଥିଲେ। ଜ୍ୟେଷ୍ଠପୁତ୍ର ନୀଳକଣ୍ଠ ରଥଙ୍କ ନିଷ୍ପତ୍ତି ଅନୁସାରେ, ବାବୁଜୀଙ୍କୁ ଭଲ ଲାଗୁଥିବା କାର୍ଯ୍ୟ ବ୍ୟାଖ୍ୟାନ ଓ ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱ ଦିଆଯାଇ ପ୍ରତିବର୍ଷ ଏହାକୁ କରାଯାଇଆସୁଛି ବୋଲି ଡ. ମହାପାତ୍ର କହିଥିଲେ। ଏହି ଅବସରରେ ବିଶ୍ୱମୁକ୍ତି ପ୍ରକାଶନ ଦ୍ୱାରା ପ୍ରକାଶିତ ଡ. ମନୋରମା ମହାପାତ୍ରଙ୍କ ମୂଳ ଓଡ଼ିଆ ରଚନାର ଡ. ଅଜିତ୍‍ ପ୍ରସାଦ ମହାପାତ୍ରଙ୍କ ଦ୍ୱାରା ହିନ୍ଦୀ ଅନୁଦିତ ପୁସ୍ତକ ‘ହମ୍‍ ହୈ ନୀରବ ଦର୍ଶକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ନୀଳକଣ୍ଠ ରଥଙ୍କ ପ୍ରେରିତ ବାର୍ତ୍ତା ପାଠ କରାଯାଇଥିଲା। ଅନୁବାଦକ ଡ. ଅଜିତ ପ୍ରସାଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ସ୍ତମ୍ଭକାର ଡ. ପ୍ରମୋଦ କୁମାର ମହାପାତ୍ର, କାନନ ଦାଶ ପ୍ରମୁଖ ବାବୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରକାଶିକା ସବିତା ଦାସ, ଡ. ପ୍ରିୟମ୍ବଦା ହେଜମାଦି, ମହେଶ ମହାପାତ୍ର, ଡା. ଶିଶୁଶଙ୍କର ମିଶ୍ର, ସନ୍ତୋଷ ମହାପାତ୍ର, ଡ. ସିନ୍ଧୁନନ୍ଦିନୀ ତ୍ରିପାଠୀ, ଡ. ପାବକ କାନୁନ୍‍ଗୋ, ବାସନ୍ତୀ ମହାନ୍ତି, ସୁରେନ୍ଦ୍ରନାଥ କର, ପ୍ରଭା ପଣ୍ଡା, ହେମନ୍ତ ପରିଡ଼ାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବାବୁଜୀଙ୍କ ସମ୍ପର୍କୀୟ ପ୍ରଦୀପ ମହାପାତ୍ର, ସନ୍ଦୀପ ମହାପାତ୍ର ଓ ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ତପନକୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଡ. ସତ୍ୟ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବାବୁଜୀଙ୍କ ନାତୁଣୀ ବୋହୂ ଡ. ଜ୍ୟୋତ୍ସ୍ନାମୟୀ କର ପ୍ରାରମ୍ଭରେ ଗଣେଶ ସ୍ତୋତ୍ର ଆବୃତ୍ତି କରିଥିଲେ। ବାବୁଜୀଙ୍କ ରଚିତ କବିତା ‘ଯିବି ଆର ପାରି…’ ଆବୃତ୍ତି କରିଥିଲେ ଶରତ ଶତପଥୀ। ଏଥିସହ ବାବୁଜୀଙ୍କ ରଚନାରୁ ଦେଶାତ୍ମବୋଧ କବିତା ଆବୃତ୍ତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜସେବୀ ଦିଲୀପ ବାରିକ ସହଯୋଗ କରିଥିଲେ।

Comments are closed.