କରୋନା ଟିକା ନେବେ ବାବା ରାମଦେବ : ଟିକା ନେବାକୁ ଦେଶବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଶେଷରେ କରୋନା ଟିକା ନେବେ । ଏଥିସହ କରୋନା ଟିକା ନେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଏଲୋପାଥିକୁ ନେଇ ଦେଇଥିବା ବୟାନ ଉପରେ ବାବା ରାମଦେବ କହିଛନ୍ତି, ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଦୂତ । କୌଣସି ଡାକ୍ତର ସଂଗଠନ ସହ ଆମର ଶ୍ରତୁତା ନାହିଁ । ଆମେ ଡାକ୍ତରଙ୍କୁ ନୁହେଁ ଡ୍ରଗ୍ସ ମାଫିଆଙ୍କୁ ବିରୋଧ କରୁଛୁ ବୋଲି ବାବା କହିଛନ୍ତି । ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଓ ଏଲୋପାଥି ଚିକିତ୍ସା ହିଁ ଉତ୍କୃଷ୍ଟ । ଏହାସହ ଲୋକମାନେ ଯୋଗ ଓ ଆୟୁର୍ବେଦ ଚିକିତ୍ସା ଉପରେ ବିଶ୍ବାସ ରଖିବା ଆବଶ୍ୟକ । ଏହା ଅନେକ ରୋଗରୁ ଲୋକମାନଙ୍କୁ ରକ୍ଷା କରିଥାଏ ବୋଲି ବାବା ରାମଦେବ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ବିଷୟରେ ବାବା ରାମଦେବ ଗତ ମାସରେ ଏକ ମନ୍ତବ୍ୟ ଦେଇଥିଲେ। କରୋନା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ଉପରେ ପ୍ରଶ୍ନ କରି ସେ କହିଥିଲେ ଯେ, କୋଭିଡ -୧୯ ଚିକିତ୍ସାରେ ଏଲୋପାଥିକ ଔଷଧ ଖାଇ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବାବା ରାମଦେବଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଥିଲା । ଏହାସହ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଯେଉଁମାନେ ଏଲୋପାଥିକୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲା।

Comments are closed.