ଇ​କ୍ଵେଡରରେ ନିତ୍ୟାନନ୍ଦଙ୍କ ନୂଆ ସାମ୍ରାଜ୍ୟ ‘କୈଳାସ’

ବେଙ୍ଗାଲୁରୁ : ବଳାତ୍କାର ଓ ଅପହରଣ ଭଳି ଏକାଧିକ ଅଭିଯୋଗରେ ଅଭିଯୁକ୍ତ ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ନିଖୋଜ ହୋଇଯିବା ପରେ ଏବେ କେନ୍ଦ୍ରୀୟ ଲାଟିନ୍‌ ଆମେରିକୀୟ ରାଷ୍ଟ୍ର ଇ​‌େ​‌କ୍ବଡରରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଖବର ମିଳିଛି। ଗତ ବର୍ଷ ସେ ଭାରତ ଛାଡ଼ି ସେଠାକୁ ପଳାଇଥିବାବେଳେ ଏକ ଦ୍ବୀପ କିଣି ନିଜର ସାମ୍ରାଜ୍ୟ ନିର୍ମାଣ କରିଛନ୍ତି। ନିଜକୁ ଶିବଙ୍କ ଅବତାର ଭାବେ ଉପସ୍ଥାପନ କରୁଥିବା ନିତ୍ୟାନନ୍ଦ ଏହାର ନାମ ରଖିଛନ୍ତି ‘କୈଳାସ’। ଏହାକୁ ସେ ଏକ ନୂଆ ସ୍ବାଧୀନ ଦେଶ ଭାବେ ଅଭିହିତ କରୁଛନ୍ତି ଓ ନିଜ ପାଇଁ ସ୍ବତନ୍ତ୍ର ପାସପୋର୍ଟ ଉପଲବ୍ଧ କରାଇଛନ୍ତି। ସେ ନିଜର ଏକ ୱେବ୍‌ସାଇଟ୍‌ ଖୋଲିଛନ୍ତି; ଯାହାର ନାମ ରଖିଛନ୍ତି ‘ନେସନ୍‌’। ଏଥିରେ ସେ ନିଜ ଦ୍ବୀପକୁ ଧରାପୃଷ୍ଣର ମହାନ୍‌ତମ ହିନ୍ଦୁ ରାଷ୍ଟ୍ର ଭାବେ ବର୍ଣ୍ଣନା କରିଛନ୍ତି। ୱେବ୍‌ସାଇଟ୍‌ରେ ଉପଳବ୍ଧ ତଥ୍ୟ ଅନୁଯାୟୀ, କୈଳାସ ହେଉଛି ଏକ ସୀମାହୀନ ରାଷ୍ଟ୍ର। ଏହା ବିଶ୍ବର ଯେକୌଣସି ପ୍ରାନ୍ତରୁ ବିତାଡ଼ିତ କିମ୍ବା ନିଜ ଦେଶରେ ସ୍ବୀୟ ଧର୍ମ ପାଳନ ଅଧିକାରରୁ ବଞ୍ଚିତ ହିନ୍ଦୁମାନଙ୍କ ଦ୍ବାରା ପ୍ରତିଷ୍ଠିତ। ଏହି ଦେଶର ନିଜସ୍ବ ପାସପୋର୍ଟ ବ୍ୟବସ୍ଥା ରହିଥିବା ୱେବ୍‌ସାଇଟ୍‌ରେ ପ୍ରଦର୍ଶିତ ହୋଇଛି। ଏହି ‘ନୂଆ ଦେଶ’ରେ ମନ୍ଦିର ଆଧାରିତ ପର୍ଯ୍ୟାବରଣ, ବିଜ୍ଞାନଭିତ୍ତିକ ତୃତୀୟ ନୟନ, ଯୋଗ, ଧ୍ୟାନ, ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଛି। ଏତଦ୍‌ବ୍ୟତୀତ ସମସ୍ତଙ୍କ ପାଇଁ ସାର୍ବଜନୀନ ମାଗଣା ଚିକିତ୍ସା ବ୍ୟବସ୍ଥା, ମାଗଣା ଶିକ୍ଷା, ମାଗଣା ଖାଦ୍ୟ ସହିତ ମନ୍ଦିର ଶୈଳୀର ଜୀବନଚର୍ଯ୍ୟା ଏଠାରେ ପ୍ରଚଳିତ। ଏହି ନୂଆ ଦେଶରେ ବସବାସ ପାଇଁ ନିତ୍ୟାନନ୍ଦ ୱେବ୍‌ସାଇଟ୍‌ ମାଧ୍ୟମରେ ବିଶ୍ବବାସୀଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଦେଶର ପରିଚାଳନା ପାଇଁ ଦାନ ଆହ୍ବାନ କରିଛନ୍ତି।
ସ୍ବାମୀ ନିତ୍ୟାନନ୍ଦଙ୍କ ମୂଳ ନାମ ଏ. ରାଜଶେଖରନ୍‌। ସେ ତାମିଲନାଡ଼ୁ ବାସିନ୍ଦା। ୨୦୦୦ରେ ବେଙ୍ଗାଲୁରୁରେ ଆଶ୍ରମ ପ୍ରତିଷ୍ଠା କରି ଚର୍ଚ୍ଚାକୁ ଆସିଥିଲେ। ଏହି ୪୧ବର୍ଷୀୟ ଗୁରୁଙ୍କ ଦ୍ବାରା ଦକ୍ଷିଣ ଭାରତ ସମେତ ବିଦେଶରେ ଏକାଧିକ ଗୁରୁକୂଳ ଓ ଆଶ୍ରମ ପରିଚାଳିତ ହେଉଛି। ବେଙ୍ଗାଲୁରୁର ଜନାର୍ଦ୍ଦନ ଶର୍ମା ଓ ତାଙ୍କ ପତ୍ନୀ ସେମାନଙ୍କ ଦୁଇ ଝିଅ ଲୋପାମୁଦ୍ରା ଜନାର୍ଦ୍ଦନ ଶର୍ମା (୨୧) ଓ ନନ୍ଦିତା (୧୮)ଙ୍କୁ ଅହମ୍ମଦାବାଦସ୍ଥିତ ନିତ୍ୟାନନ୍ଦଙ୍କ ଆଶ୍ରମ ବିଦ୍ୟାଳୟ ‘ଯୋଗିନୀ ସର୍ବଜ୍ଞାପୀଠମ୍‌’ରେ ଛାଡ଼ିଥିବାବେଳେ ନିତ୍ୟାନନ୍ଦ ବଳପୂର୍ବକ ସେମାନଙ୍କୁ ରଖିଥିବା ଓ ସାକ୍ଷାତର ସୁ​‌େ​‌ଯାଗ ଦେଉ ନ ଥିବା ନେଇ ଗତ ମାସରେ ଗୁଜରାତ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହା ପରଠାରୁ ନିତ୍ୟାନନ୍ଦଙ୍କର କୌଣସି ଖବର ମିଳୁ ନାହିଁ। ପୁରୁଣା ପାସପୋର୍ଟ ଜରିଆରେ ସେ ଦେଶ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଥିଲା। ତାଙ୍କ ପାସପୋର୍ଟର ଅବଧି ୨୦୧୮ ସେପ୍ଟେମ୍ବରରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ କୌଣସିମତେ ସେ ଏହା ବଳରେ ନେପାଳ ଦେଇ ଇ‌େକ୍ବଡର ଚାଲିଯାଇଥିବା ପୁଲିସ ସୂଚନା ପାଇଥିଲା। ନିତ୍ୟାନନ୍ଦଙ୍କ ବିରୋଧରେ କର୍ଣ୍ଣାଟକରେ ପୂର୍ବରୁ ଅପହରଣ, ବଳାତ୍କାର ଭଳି ଏକାଧିକ ଆପରାଧିକ ମାମଲା ବିଚାରାଧୀନ ରହିଛି ଓ ସେ ପ୍ରାୟ ୪୦ଥର ଅଦାଲତରେ ହାଜର ହୋଇଛନ୍ତି। ୨୦୧୦ରେ ତାମିଲ ଅଭିନେତ୍ରୀ ରଞ୍ଜିତାଙ୍କ ସହିତ ସେ ନିଜ ଆଶ୍ରମରେ ଯୌନାଚାରରେ ଲିପ୍ତଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏବେ ଏହି ମାମଲା ବିଚାରାଧୀନ ରହିଛି।

Comments are closed.