ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର, ଥାନାରେ ମାମଲା

ଦାନଗଦି: ଉଚ୍ଚବାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ଜଣେ ଶିକ୍ଷକଙ୍କ ଅଭାବନୀୟ ଆଚରଣ ନେଇ ଜଣେ ମହିଳା ଅଭିଭାବକ ଟମକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରିବା ପରେ ଏକ ମାମଲା (୧୯/୨୩) ରୁଜୁ କରିଛି। ଖବର ମୁତାବକ ଯଖପୁରା ଗ୍ରାମର ଲକ୍ଷ୍ମୀପ୍ରିୟା ଭୂୟାଁଙ୍କ ପୁଅ ଉଚ୍ଚବାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସରେ ରହି ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବସନ୍ତ ନାୟକ ସମ୍ପୃକ୍ତ ଛାତ୍ରଙ୍କୁ ଏକ ମାସ ତଳେ କୌଣସି କାରଣ ନଥାଇ ହଠାତ୍ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ। ଏନେଇ ଛାତ୍ର ତାଙ୍କ ମାଙ୍କୁ ଜଣାଇବା ପରେ ଲକ୍ଷ୍ମୀପ୍ରିୟା ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଶିକ୍ଷକଙ୍କୁ ପଚାରିବାରୁ ଶିକ୍ଷକ ଶ୍ରୀ ନାୟକ ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗି ଘଟଣାର ସମାଧାନ କରିଥିବା ଲକ୍ଷ୍ମୀପ୍ରିୟା ଜଣାଇଛନ୍ତି। ମାତ୍ର ଘଟଣାର ଏକ ମାସ ପରେ ସମ୍ପୃକ୍ତ ଶିକ୍ଷକ ପୂର୍ବ ଆକ୍ରୋଶରୁ ଅନ୍ୟ ଦୁଇ ଜଣ ଛାତ୍ରଙ୍କ ଦ୍ବାରା ମା ଲକ୍ଷ୍ମୀପ୍ରିୟାଙ୍କ ନାମରେ ଅଶ୍ଳୀଳ ଓ ଆପତ୍ତିଜନକ ଲେଖା ଏବଂ ଚିତ୍ର ଆଙ୍କି ତାଙ୍କ ପୁଅ ଶ୍ରେଣୀରେ ବସୁଥିବା ସ୍ଥାନରେ ରଖି ଦେଇଥିଲେ। ଘଟଣା ସମ୍ପର୍କରେ ଛାତ୍ର ଜଣକ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ମାତ୍ର ଦୁଇ ଜଣ ପିଲା ବସନ୍ତ ସାର୍‌ଙ୍କ କହିବା ଅନୁସାରେ ଅଶ୍ଳୀଳ ଚିଠି ଓ ଚିତ୍ର ଲେଖିଥିବା ମାନିଥିଲେ। ପରୀକ୍ଷା ରେ ଅଧିକ ନମ୍ବର ଦେବା ଲୋଭ ଦେଖାଇ ବସନ୍ତ ସାର୍ ଏପରି କରିଥିବା ପିଲା ଦ୍ୱୟ ଜଣାଇ ଥିଲେ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ଲକ୍ଷ୍ମୀପ୍ରିୟା ସେଠାରେ ପହଞ୍ଚି ଛାତ୍ର ଦ୍ୱୟଙ୍କ ଠାରୁ ସତ୍ୟାସତ୍ୟ ଜାଣିବାକୁ ଛାତ୍ରାବାସ ଯାଇଥିଲେ। ମାତ୍ର ସେମାନଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଥିବାରୁ ସେ ସେଠାରୁ ଫେରି ଆସି ଟମକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସୋମବାର ତଦନ୍ତ କରିବା ପରେ ଅଭିଯୋଗକୁ ମାମଲା ଭାବେ ଗ୍ରହଣ କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କ ମତାମତ ଜାଣିବାକୁ ଚେଷ୍ଠା କରାଯାଇଥିବା ବେଳେ ଶିକ୍ଷକ ଶ୍ରୀ ନାୟକ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି।

Comments are closed.