ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ମକଡ୍ରିଲ ପ୍ରଦର୍ଶନ

ସମାଜ ପୋର୍ଟାଲ ଡେସ୍କ: ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ମହେନ୍ଦ୍ର ତନୟା ନଦୀ ଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକ-ଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଏଡିଏମ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କୁମାର ବେହେରା, ଡିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ଅଧିକାରୀ, କାଶୀନଗର ଏନଏସି ନିର୍ବାହୀ ଅଧିକାରୀ ଡ଼ଃ ସତ୍ୟ ସଂପନ୍ନା ରାଉତ, ଏଏଫଓ ଲିଶା ବେହେରା, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦର୍ଶନଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟତଃ ପ୍ରାକୃତିକ ବିପର୍ଯୟର କଡା ମୁକାବିଲା କରିବା ସମୟରେ ଧନ ସମ୍ପତି ଅପେକ୍ଷା ମନୁଷ୍ୟ ତଥା ପ୍ରାଣୀଧନର ଜୀବନ ବଞ୍ଚାଇବା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ପ୍ରାକୃତିକ ବିପର୍ଯୟର କିପରି ସଫଳତାର ସହ ମୁକାବିଲା କରାଯାଇ ପାରିବ ଏବଂ ଧନଜୀବନ କ୍ଷୟକ୍ଷତିରୁ ରକ୍ଷା କରା ଯାଇପାରିବ, ସେଥିପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଥିଲେ।

ଏହି ଅବସରରେ କଟକ ସ୍ଥିତ ମୁଣ୍ଡଳୀରୁ ଟିମ କମାଣ୍ଡର ଶୈଳେନ୍ଦ୍ର କୁମାର ପ୍ରସାଦଙ୍କ ନେତୃତ୍ୱରେ ଆସିଥିବା ୩୪ ଜଣିଆ ଏନ୍‌ଡିଆର୍‌ଏଫ୍ ୩ୟ ବାଟାଲିଅନ ଦଳ ଓ ପାରଳାଖେମୁଣ୍ଡି ଅଗ୍ନିଶମ ଅଧିକାରୀ ରଜନୀ କାନ୍ତ ଗୌଡ଼ଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ ଜିଲ୍ଲା ଆଗ୍ନିଶମ ବିଭାଗର କର୍ମଚାରୀମାନ ମକ୍ ଡ୍ରିଲ କାର୍ଯ୍ୟକ୍ରମ ନେଇ ବିଶେଷ ତାଲିମ, ସଜାଗ ଓ ଉଦ୍ଧାର କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରିବେ ସେ ନେଇ ମକଡ୍ରିଲ ପ୍ରଦର୍ଶନ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ମୁଖ୍ୟତଃ ନଦୀରେ ବନ୍ୟା ଓ ବଢି ସମୟ’ରେ ଭାସି ଯାଉଥିବା କି ବୁଡି ଯାଉଥିବା କି ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ଫସି ଯାଇଥିବା ଲୋକମାନଙ୍କୁ କିଭଳି ଉଦ୍ଧାର କରିହେବ, ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ପ୍ରାଥମିକ ଚିକିସ୍ୟା କିଭଳି କରାଯିବ ବିଭିନ୍ନ ଉପକରଣ ମାଧ୍ୟମରେ ନଦୀରେ ପ୍ରଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ଜରୁରୀକାଳୀନ ବିପର୍ଯ୍ୟୟ ସମୟରେ ପୀଡିତ ଲୋକଙ୍କୁ ନେବା ଆଣିବା ପାଇଁ ଷ୍ଟ୍ରେଚର ନ ଥିଲେ ଦଉଡି କି ଲୁଗା କି ହାତ ଯୋଗେ ଷ୍ଟ୍ରେଚର ଭଳି କିଭଳି ବ୍ୟବହାର କରାଯାଇ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇବାକୁ ହେବ ତାହା ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।

Comments are closed.