ଜାଲ ଚେକ୍ ଦାଖଲ କରି ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଠକେଇ

ଘଟଣାଟି ଗତକାଲି (୯ସେପ୍ଟେମ୍ବର) ଅର୍ଥାତ୍ ବୁଧବାର ଘଟିଛି । ଅପରାହ୍ନ ପ୍ରାୟ ଗୋଟାଏ ବେଳକୁ ରାମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଚିବ ଚମ୍ପତ ରାୟଙ୍କୁ ଲକ୍ଷ୍ନୌ ଷ୍ଟେଟବ୍ୟାଙ୍କ ଶାଖାରୁ ଗୋଟିଏ ଫୋନ ମିଳିଲା । ବ୍ୟାଙ୍କର ଅଧିକାରୀ ଚମ୍ପତ ରାୟଙ୍କୁ ଚେକ୍ ନଂ ୭୪୦୭୯୮ ଜରିଆରେ ୯.୮୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ତତକ୍ଷଣାତ୍ ଶ୍ରୀ ରାୟ ଷ୍ଟେଟବ୍ୟାଙ୍କର ଚେକବୁକ୍ କାଢ଼ି ଦେଖିବା ବେଳକୁ ସେପରି କୌଣସି ଚେକ୍ କାହାରିକୁ ପ୍ରଦାନ କରାଯାଇ ନାହିଁ ଓ ଟ୍ରଷ୍ଟର ଚେକ୍ ପୂର୍ବପରି ତାଙ୍କ ପାଖରେ ରହିଛି । ଏହାପରେ ତୁରନ୍ତ ସେ ବ୍ୟାଙ୍କକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଓ ଅଯୋଧ୍ୟା ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । ଏହି ଚେକ୍ କିଏ ଜମା କରିଥିଲେ ସେ ସମ୍ପର୍କରେ ପୁଲିସ ଅନୁସନ୍ଧାନ ଚଳାଇଛି ।

ତେବେ ଆଳୁ ଖେଳୁଖୋଳୁ ମହାଦେବ ବାହାରିବା ପରି ଏହାପରେ ଆଉ ୨ଟି ଜାଲିଆତି ପଦାକୁ ଆସିଛି । ଜାଲ ଚେକ୍ ଦାଖଲ କରାଯାଉ ଟ୍ରଷ୍ଟର ଅକାଉଣ୍ଟରୁ ପୂର୍ବରୁ ୬ ଲକ୍ଷ ଟଙ୍କା କୌଣସି ବ୍ୟକ୍ତି ନେଇ ଯାଇଛନ୍ତି । ଏ ସମ୍ପର୍କରେ ଶ୍ରୀ ରାୟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି । ପୂର୍ବରୁ ମନ୍ଦିର ଫଣ୍ଡ ନାଁରେ ଜାଲ ଜମାଖାତା ଖୋଲିବା ଓ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ଆସିଥିଲା ଓ କିଛ ଲୋକ ଗିରଫ ହୋଇଥିଲେ । ମାତ୍ର ମନ୍ଦିର ଟ୍ରଷ୍ଟର ବ୍ୟାଙ୍କ ଜମାଖାତାରୁ ଜାଲିଆତି କରି ଟଙ୍କା ଠକିନେବା ଏହା ପ୍ରଥମ ଘଟଣା ।

ସୂଚନା ଅନୁସାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଭାରତୀୟ ଷ୍ଟେଟବ୍ୟାଙ୍କର ଅଯୋଧ୍ୟା ନୂଆଘାଟ ଶାଖାରେ ୩୯୨୦୦ ୨୩୫ ୦୬୨ ନମ୍ବରର ଆକାଉଣ୍ଟ ରହିଛି । ଏଥିରେ ଟ୍ରଷ୍ଟି ଚମ୍ପଦ ରାୟ ଓ ଡ଼. ଅନୀଲ ମିଶ୍ର ଯୁଗ୍ମ ସ୍ବାକ୍ଷରକାରୀ ଅଛନ୍ତି । କେବଳ ଏହି ଦୁଇଜଣଙ୍କ ସ୍ବାକ୍ଷରରେ ହିଁ ଟଙ୍କା ନେଣଦେଣ କରାଯାଇପାରିବାର ବ୍ୟବସ୍ଥା ହୋଇଛି ।

ମାତ୍ର ଲକ୍ଷ୍ନୌର ଷ୍ଟେଟବ୍ୟାଙ୍କର ଏକ ଶାଖାରୁ ଚେକ୍ ନଂ ୭୪୦୭୯୯ ଜରିଆରେ ସେପ୍ଟେମ୍ବର ୧ ତାରିଖରେ ୨ଲକ୍ଷ ୫୦ ହଜାର ପଞ୍ଜାବ ନେସନାଲ ବ୍ୟାଙ୍କର ଏକ ଜମାଖାତାକୁ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି । ସେହିପରି ୮ ତାରିଖରେ ଚେକ୍ ନଂ ୭୪୦୮୦୦ରେ ୩ଲକ୍ଷ ୫୦ ହଜାର ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କର ଆଉ ଏକ ଜମାଖାତାକୁ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି ।  ଦୁଇଥର ଏପରି ଘଟଣା ଘଟିଥିବାବେଳେ ଏ ସମ୍ପର୍କରେ କେହି ସୁରାକ ପାଇ ନ ଥିଲେ । ମାତ୍ର ତୃତୀୟ ଥର ଚେକ ନମ୍ବର ୭୪୦୭୯୮ ଜରିଆରେ ୯ଲକ୍ଷ ୮୬ ହଜାର ଟଙ୍କା ପ୍ରଦାନ ବେଳକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟଙ୍କୁ ଯୋଗାଯୋଗ କରିବା ବେଳେ ଜାଲିଆତି ପଦାକୁ ଆସିଛି । ଏବେ ବି ଟ୍ରଷ୍ଟ ନିକଟରେ ଏହି ୩ଟିଯାକ ଚେକର ମହଜୁଦ ରହିଛି । ତେଣୁ ଠକମାନେ ଜାଲ ଚେକ୍ ପ୍ରସ୍ତୁତ କରି ଏହି ଠକେଇ କରିଥିବା ସ୍ପଷ୍ଟ ହୋଇ ଯାଇଛି ।

ଏ ସମ୍ପର୍କରେ ଶ୍ରୀ ରାୟ ଅଯୋଧ୍ୟାରେ ଏମ ମାମଲା ରୁଜୁ କରିଛନ୍ତି । ପୁଲିସ ଧାରା ୪୧୯, ୪୨୦, ୪୬୭, ୪୬୮, ୪୭୧ ଧାରାରେ ମାମଲା ରୁଜୁ କରିଛି । ପୁଲିସ ଆଇଟି ସେଲର ଦୁଇଟି ଟିମ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟାଙ୍କର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।

Comments are closed.