ଅଣସଂକ୍ରାମକ ରୋଗ ସମ୍ପର୍କିତ ଜନସଚେତନତା

ବାଙ୍କୀ: ବର୍ତ୍ତମାନ ଜନସାଧାରଣ ବହୁ ମାତ୍ରାରେ ମଧୁମେୟ, ରକ୍ତଚାପ, କର୍କଟ ରୋଗ, ପକ୍ଷାଘାତ, ହୃଦଘାତ ଓ ମସ୍ତିସ୍କାଘାତ ପ୍ରଭୃତି ଅଣସଂକ୍ରାମକ ରୋଗରେ ପୀଡିତ ହୋଇ ବିପଦପୂର୍ଣ୍ଣ ଜୀବନ ବଞ୍ଚୁଥିବା ଦେଖିବାକୁ ମିଳୁଛି। ଏ ଦିଗରେ ବେଳଠୁ ସାବଧାନ ଓ ସଚେତନ ନହେଲେ ରୋଗ ସଂକ୍ରମିତ ଆଶଙ୍କା ମଣିଷକୁ ମୃତ୍ୟୁ ଆଡକୁ ଟାଣିନେବ। ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି। ଶୁକ୍ରବାର ଦିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କଳାକାର କବୀର ବେହେରା ଓ ସାଥୀଙ୍କ ଦ୍ୱାରା ଲୋକକଳା ସଂକୀର୍ତ୍ତନ ପରିବେଷଣ ମାଧ୍ୟମରେ ଅଣସଂକ୍ରାମକ ରୋଗ ସମ୍ପର୍କିତ ଜନସଚେତନତା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ସାହୁଙ୍କ ସୂଚନାକ୍ରମରେ କାଳିପୋଇ ଓ ପଣ୍ଡାଳମ ଗ୍ରାମରେ ସଂକୀର୍ତ୍ତନ ମାଧ୍ୟମରେ ଜାଗରଣ କରାଯାଇଛି। ସ୍ଥାନୀୟ ଆଶା, ଅଙ୍ଗନବାଡିକର୍ମୀ, ସ୍ୱଂୟସହାୟକ ଗୋଷ୍ଠୀ ସଦସ୍ୟ, ଏ.ଏନ.ଏମ୍‍, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଯାଇଛି। ସପ୍ତାହ ମଧ୍ୟରେ କନ୍ତପଁହରା ,କଦଳୀବାଡି, ବନ୍ଦାଳ, ବ୍ରହ୍ମପୁର, ନୂଆଗାଁ, କଳାପଥର, କେନ୍ଦୁପଲ୍ଲୀ, ଲେମ୍ବେରୀ, ବରପୁଟ, ବୈଦେଶ୍ୱର ଓ ଅନୁଆରୀ ଆଦି ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଅଧିନ ବିଭିନ୍ନ ଗ୍ରାମରେ ଅଣସଂକ୍ରାମକ ରୋଗ ସମ୍ପର୍କରେ ଜନଜାଗରଣ କରାଯିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୩ ଗୋଟି ଲୋକକଳା ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

Comments are closed.