MEllora 950×100

ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଦିବସ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଜନଗର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ରାଜନଗରଠାରେ ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦେଶ କ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସଲମଙ୍କ ଅଧ୍ୟକ୍ଷତାରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଦିବସ ପାଳିତ ହୋଇଯାଇଅଛି । ଯେଉଁ ଶିଶୁ ବାପା, ମାଆଙ୍କ ସାନିଧ୍ୟରୁ ବଞ୍ଚିତ ହୋଇ ଅବହେଳିତ ଜୀବନଯାପନ କରିଥାଏ, ତାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ଅସ୍‌ଲମ୍‌ ସୂଚାଇଥିଲେ। ପ୍ରତ୍ୟେକ ଶିଶୁର ବିଭିନ୍ନ ଅଧିକାର ରହିଅଛି। ସେ ସୁରକ୍ଷିତ ରହି ଆଗକୁ ବଢ଼ିବା ପାଇଁ ଏକ ପରିବାର ଦରକାର କରେ। ପାଠ ପଢ଼ିବା ସହ ଶିଶୁ ପ୍ରତିଭାକୁ ବିକାଶ କରିବା ଦିଗରେ ପରିବାରର ସଦସ୍ୟମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଅଛି । ୧୮ ବର୍ଷରୁ କମ୍ ବୟସର କୌଣସି ପିଲା ଯଦି ଅସହାୟ ଅବସ୍ଥାରେ ବିପରୀତ ପରିସ୍ଥିତିରେ କିମ୍ବା ବିପଦସଂକୁଳ ଅବସ୍ଥାରେ ଥିବାର ଆପଣଙ୍କ ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ବା ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ଜଣାଇ ପାରିବା । ଆମ ଦେଶରେ ୧୧୦ ହଜାର ଶିଶୁ ପୋଷ୍ୟ ହେବା ପାଇଁ ଅପେକ୍ଷା କରି ବସିଛନ୍ତି, ସେହିପରି ୬୫ ହଜାର ଶିଶୁ ପୋଷ୍ୟ ହୋଇ ସାରିଛନ୍ତି । କୌଣସି ଦୁର୍ବିପାକ, ବାତ୍ୟା, ବନ୍ୟା, ଭୂମିକମ୍ପ, ଯୁଦ୍ଧ ଇତ୍ୟାଦି ବା କୌଣସି କାରଣରୁ ଶିଶୁମାନେ ଅନାଥ ବା ଅଲଗା ହୋଇଗଲେ, ଏମାନଙ୍କୁ ଏକତ୍ରିତ ଭାବରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଲାଳନ ପାଳନ କରନ୍ତି । ସେହିପରି କୌଣସି ଅସୁବିଧାବଶତଃ ଯେଉଁ ଦମ୍ପତ୍ତି ନିଃସନ୍ତାନ ହୋଇଥାନ୍ତି, ସେମାନେ ଆଇନ ଅନୁଯାୟୀ ଏହି ପିଲାମାନଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଥାଆନ୍ତି ଏବଂ ନିଜର ସନ୍ତାନକୁ ଯେପରି ସ୍ନେହ ମମତା ଓ ପାଠ ପଢ଼ାଇ ଶିକ୍ଷିତ କରାନ୍ତି ସେହିପରି ପିଲାଟିକୁ ମଣିଷ କରାନ୍ତି । ପିଲାମାନଙ୍କୁ ଘରର ଠିକଣା ଏବଂ ଉକ୍ତ ଦମ୍ପତ୍ତିକୁ ନିଜର ପିଲା, ଏହା ଏକ ମହାନ ଓ ଉତ୍ତମ ପ୍ରଶଂସନୀୟ କାର୍ଯ୍ୟ । ଏହାଦ୍ୱାରା ସମାଜର ଶିଶୁମାନଙ୍କ ପ୍ରତି ହେଉଥିବା ଶିଶୁ ଶ୍ରମିକ, ଭିକ୍ଷାବୃତ୍ତି ଓ ଅନ୍ୟାନ୍ୟ ବହୁ କୁକାର୍ଯ୍ୟକୁ ଦୂର କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ସୁଜାତା ଲେଙ୍କା, ଅଙ୍ଗନବାଡି କର୍ମୀ ମମତା ପଣ୍ଡା, ଜସ୍ମିନ ରାଉତ, ଆଶାକର୍ମୀ ଉର୍ବଶୀ ପରିଡା, ଆରତୀ ବେଉରା ଓ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।

Comments are closed.